କଟକ: ନାବାଳକ ସ୍କୁଲ ଛାତ୍ର ଚୋରି, ହତ୍ୟା, ଅପହରଣ, ଦୁଷ୍କର୍ମ ଭଳି ଅପରାଧରେ ଲିପ୍ତ ରହିବା ଘଟଣା ଏବେ ରାଜ୍ୟରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ଗଲା ୫ ବର୍ଷ ଭିତରେ ରାଜ୍ୟରେ ଏଭଳି ୫ ହଜାର ୭୮୦ଟି ଅପରାଧିକ ମାମଲା କେବଳ ସ୍କୁଲ ଓ ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ରଙ୍କ ବିରୋଧରେ ମାମଲା ଓଡ଼ିଶା ପୁଲିସ ରୁଜୁ କରିଛି। ଏହି ମାମଲାରେ ୬ ହଜାର ୭୭୯ ଜଣ ଛାତ୍ରଙ୍କୁ ପୁଲିସ ଗିରଫ କରିଛି। ଛାତ୍ରଙ୍କ ଭିତରେ ଅଧିକାଂଶ କେବଳ ପ୍ରଥମରୁ ମାଟ୍ରିକ ଯାଏ ଛାତ୍ର ଅଛନ୍ତି। ମୋଟ ମାମଲାରୁ ୫୨ଟି ହତ୍ୟା, ୧୮୪ଟି ଦୁଷ୍କର୍ମ, ୧୩୫ଟି ଅସଦାଚରଣ, ୨୮ଟି ଅପହରଣ, ଚୋରି, ଡକାୟତି, ସିନ୍ଧିଚୋରି, ଛିନତାଇ ଭଳି ୩ ହଜାର ୯୯୭ଟି ମାମଲା ରୁଜୁ ହୋଇଛି।

Advertisment

ତଥ୍ୟ ଅନୁଯାୟୀ, ୨୦୨୧ ବର୍ଷରେ ୧୩ ଶହ ୩୪ଟି ଅପରାଧିକ ମାମଲା ଛାତ୍ରଙ୍କ ବିରୋଧରେ ରୁଜୁ ହୋଇଥିଲା। ସେଥିରେ ଥିଲା ୯ଟି ହତ୍ୟାକାଣ୍ଡ, ୨୦ ଟି ହତ୍ୟା ଉଦ୍ୟମ, ୧୪ଟି ମହିଳାଙ୍କୁ ଅସଦାଚରଣ, ୯ଟି ଅପହରଣ, ୩୪ଟି ଦୁଷ୍କର୍ମ, ୮ଟି ଆକ୍ରମଣ, ୮ଟି ଦଙ୍ଗା ଓ ୫୨୪ଟି ସମ୍ପତ୍ତି ଲୁଟ୍ ମାମଲା। ପୋକସୋ ଆକ୍ଟରେ ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗରେ ବି ୮ଟି ମାମଲା ରହିଛି। ୨୦୨୧ରେ ୧୬ ଶହ ୧୦ ଜଣ ଛାତ୍ର ପୁଲିସ ହାତରେ ଧରାପଡ଼ିଥିଲେ। ଏମାନଙ୍କ ମଧ୍ୟରେ ୫୮୬ ଜଣ ପ୍ରାଥମିକ ଶିକ୍ଷା(ପ୍ରଥମରୁ ପଞ୍ଚମ) ଗ୍ରହଣ କରିଥିବା ନାବାଳକ ଥିବା ବେଳେ ପଞ୍ଚମରୁ ମାଟ୍ରିକ ଯାଏ ୫୯୩ ଜଣ ଛାତ୍ର, ମାଟ୍ରିକରୁ ଯୁକ୍ତ ଦୁଇ ଯାଏ ୧୯୯ ଜଣ ଛାତ୍ର ରହିଥିଲେ। ୨୦୨୦ରେ ୧ ହଜାର ୯୫ଟି ଅପରାଧିକ ମାମଲା ଛାତ୍ରଙ୍କ ବିରୋଧରେ ରୁଜୁ ହୋଇଥିଲା। ସେଥିରେ ଥିଲା ହତ୍ୟା ମାମଲା ୧୦ଟି, ୧୬ଟି ହତ୍ୟା ଉଦ୍ୟମ, ଆକ୍ରମଣ ମାମଲା ୧୦ଟି, ମହିଳାଙ୍କୁ ଅସଦାଚରଣ ୬୧ଟି, ଅପହରଣ ୯ଟି, ଦୁଷ୍କର୍ମ ୩୪ଟି, ୩ ଦଙ୍ଗା ମାମଲା,ସମ୍ପତ୍ତି ଜନିତ ଅପରାଧ ୬୯୪, ପୋକସୋ ମାମଲା ୧୯ଟି। ସେହି ବର୍ଷ ୧୩୬୦ ଜଣ ଛାତ୍ର ଧରାପଡ଼ିଥିଲେ। ସେମାନଙ୍କ ମଧ୍ୟରେ ପ୍ରଥମରୁ ପଞ୍ଚମ ପଢିଥିବା ୨୬୨ ଜଣ, ପଞ୍ଚମରୁ ମାଟ୍ରିକ ୧ ହଜାର ୯ ଜଣ, ମାଟ୍ରିକରୁ ଯୁକ୍ତ ଦୁଇ ୭୮ ଜଣ ଛାତ୍ର ରହିଥିଲେ।

ଅନ୍ୟପଟେ ୨୦୧୯ରେ ୧୧ଶହ ୬୨ଟି
ଅପରାଧିକ ମାମଲା ରୁଜୁ ହୋଇଥିଲା ବେଳେ ସେଥିରେ ୩ଟି ହତ୍ୟା ମାମଲା, ୫୩ ଟି ହତ୍ୟା ଉଦ୍ୟମ ମାମଲା, ମହିଳାଙ୍କୁ ଅସଦାଚରଣ ୧୧ଟି, ଅପହରଣ ମାମଲା ଗୋଟିଏ, ଦୁଷ୍କର୍ମ ୨ଟି, ସମ୍ପତ୍ତି ଲୁଟ୍ ଜନିତ ଅପରାଧ ମାମଲା ୧ ହଜାର ୫୧ଟି ରହିଥିଲା। ସେହି ବର୍ଷ ୧୪ ଶହ ୧୨ ଛାତ୍ର ଧରାପଡ଼ିଥିଲେ। ସେମାନଙ୍କ ମଧ୍ୟରେ ପ୍ରଥମରୁ ପଞ୍ଚମ ଯାଏ ୪୧୧ ଜଣ, ପଞ୍ଚମରୁ ମାଟ୍ରିକ ଯାଏ ୮୪୮, ମାଟ୍ରିକରୁ ଉଚ୍ଚଶିକ୍ଷା ଯାଏ ୨୭ ଜଣ ଜଣ ଛାତ୍ର ଥିଲେ। ୨୦୧୮ରେ ୧ ହଜାର ୭୮ଟି ମାମଲା ରୁଜୁ ହୋଇଥିଲା। ଏଥିରେ ହତ୍ୟା ମାମଲା ୯ଟି, ହତ୍ୟା ଉଦ୍ୟମ ମାମଲା ୧୦ଟି, ଆକ୍ରମଣ ମାମଲା ୧୧ଟି, ମହିଳାଙ୍କୁ ଦୁର୍ବ୍ୟବହାର ମାମଲା ୪ଟି, ଅପହରଣ ମାମଲା ୬ଟି, ଦୁଷ୍କର୍ମ ମାମଲା ୬୦ଟି, ଦୁଷ୍କର୍ମ ଉଦ୍ୟମ ମାମଲା ଗୋଟିଏ, ସମ୍ପତ୍ତି ଜନିତ ଅପରାଧ ମାମଲା ୮୬୧ଟି, ପୋକ୍ସ ଆକ୍ଟରେ ୬ଟି ମାମଲା ଥିଲା। ସେହି ବର୍ଷ ମୋଟ ୧୧ ଶହ ୫୫ ଜଣ ଛାତ୍ର ଧରାପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରଥମରୁ ପଞ୍ଚମ ଯାଏ ୧୬୯ ଜଣ, ପଞ୍ଚମରୁ ମାଟ୍ରିକ ଯାଏ ୭୯୯ ଜଣ, ମାଟ୍ରିକରୁ ଉଚ୍ଚଶିକ୍ଷା ଯାଏ ୧୭୯ ଜଣ ଛାତ୍ର ଥିଲେ।

୨୦୧୭ରେ ୧୧ଶହ ୧୧ଟି ମାମଲା ରୁଜୁ ହୋଇଥିଲା। ଏଥିରେ ହତ୍ୟା ମାମଲା ୨୧ଟି, ହତ୍ୟା ଉଦ୍ୟମ ମାମଲା ୧୩ଟି, ମହିଳାଙ୍କୁ ଅସଦାଚରଣ ମାମଲା ୧୨ଟି, ଅପହରଣ ମାମଲା ୩ଟି, ଦୁଷ୍କର୍ମ ମାମଲା ୫୪ଟି, ଦଙ୍ଗା ମାମଲା ୧୨ଟି, ସମ୍ପତ୍ତି ଲୁଟ୍ ଜନିତ ମାମଲା ୮୬୭ଟି ରହିଛି। ସେହି ବର୍ଷ ୧ ହଜାର ୨୪୨ ଜଣ ଧରାପଡ଼ିଥିଲେ। ସେମାନଙ୍କ ମଧ୍ୟରେ ପ୍ରଥମରୁ ପଞ୍ଚମ ଯାଏ ୪୬୮ ଜଣ, ପଞ୍ଚମରୁ ମାଟ୍ରିକ ଯାଏ ୨୩୨ ଜଣ, ମାଟ୍ରିକରୁ ଉଚ୍ଚ ଶିକ୍ଷା ଯାଏ ୪୯ ଜଣ ଛାତ୍ର ରହିଥିଲେ। ଏ ସଂପର୍କରେ ଶିଶୁ ଅଧିକାର ବିଶେଷଜ୍ଞ ବିକାଶ ମହାପାତ୍ର କହିଛନ୍ତି ଯେ ପିଲା ଅନେକ ସମୟରେ ବାପା ମା ଛେଉଣ୍ଡ ହୋଇଯାଉଛନ୍ତି। ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଟରେ ଏକୁଟିଆ ରହୁଛନ୍ତି। ଅବାଟକୁ ଆସିବାରୁ ନିଶା ସେବନ କରୁଛନ୍ତି। ଏଥିପାଇଁ ସେମାନଙ୍କ ଅର୍ଥର ଆବଶ୍ୟକତା ରହୁଛି। ସେଥିପାଇଁ ଚୋରି, ଡକାୟତି ଓ ଛିନତାଇ କରୁଛନ୍ତି। ନାବାଳକ ବୟସରେ ଅପରାଧର ପରିଣାମ ସମ୍ପର୍କରେ ସାଧାରଣତଃ ସେମାନେ ଅବଗତ ନୁହନ୍ତି। ବୁଦ୍ଧି ପାକଳ ହୋଇନଥାଏ। ସେଥିପାଇଁ ପରିସ୍ଥିତିରେ ପଡ଼ି ହତ୍ୟା, ଦୁଷ୍କର୍ମ ଭଳି ଅପରାଧରେ ସାମିଲ ହୋଇଯାଉଥିବା ଦେଖିବାକୁ ମିଳୁଛି। ତେବେ ସ୍କୁଲ ଛାତ୍ରମାନେ ଏଭଳି ଅପରାଧିକ ମାମଲାରେ ସାମିଲ ହେବା ଚିନ୍ତାଜନକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।