ଭୁବନେଶ୍ବର: ପେଟ ଚାଖଣ୍ଡକ ପାଇଁ ସୁଦୂର ବିହାରରୁ ହାଇଦ୍ରାବାଦ ଯାଇଥିଲେ ୨ ଭାଇ। ରଙ୍ଗମିସ୍ତ୍ରି ଭାବେ କାମ କରୁଥିବା ବଡ଼ ଭାଇ ନାବାଳକ ସାନ ଭାଇକୁ ସାଙ୍ଗରେ ନେଇଥିଲେ। ୩ ମାସ ପରେ ରୋଜଗାରରୁ ସଂଚିତ କିଛି ଟଙ୍କା ଧରି ଖୁସିରେ ଘରକୁ ଫେରୁଥିଲେ ୨ ଭାଇ। ଓଡ଼ିଶା ପାର ହେବା ପରେ ସେମାନେ ବିହାରରେ ପହଞ୍ଚିଥାଆନ୍ତେ। ଘରେ ବାପାମା’ ଅପେକ୍ଷା କରିଥିଲେ ୨ ପୁଅଙ୍କୁ ଦେଖିବେ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଘରକୁ ଫେରିଲା ସାନ ପୁଅର ମୃତଦେହ। ଏକ ଆକସ୍ମିକ ଦୁର୍ଘଟଣାରେ ଟ୍ରେନ୍‌ ଭିତରେ ହିଁ ବଡ଼ଭାଇ ସମ୍ମୁଖରେ ଚାଲିଗଲା ସାନ ଭାଇର ଜୀବନ। ବାହାରୁ ପଥର ମାଡ଼ରେ ସାନ ଭାଇର ଜୀବନ ଚାଲିଗଲା। ମଙ୍ଗଳବାର ରାତିରେ ଭୁବନେଶ୍ବର ରେଳଷ୍ଟେସନରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ବାହାରୁ ହୋଇଥିବା ପଥରମାଡ଼ରେ ଜଣେ ନାବାଳକ ଟ୍ରେନ୍‌ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିହାର ବିସେରା ଅଞ୍ଚଳର ପ୍ରିନ୍‌ସ କୁମାର(୧୪)। ରେଳବାଇ ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ପଥରମାଡ଼ କରିଥିବା ଦୁର୍ବୃତ୍ତକୁ ଠାବ କରିବାକୁ ଉଦ୍ୟମ ଆରମ୍ଭ କରିଛି। ବଡ଼ ଭାଇ ମୁନା ଆଜି ସାନ ଭାଇର ମୃତଦେହ ନେଇ ଘରକୁ ଫେରିଛି।

Advertisment

ସୂଚନା ମୁତାବକ ପ୍ରିନ୍‌ସ ଓ ତାଙ୍କ ବଡ଼ ଭାଇ ମୁନା କୁମାର ହାଇଦ୍ରାବାଦରେ ରଙ୍ଗମିସ୍ତ୍ରି ଭାବେ କାମ କରୁଥିଲେ। ଛୁଟିରେ ଦୁଇ ଭାଇ କୁର୍ଲା-ବିବିଏସ୍‌ଆର୍‌ ଏକ୍ସ‌ପ୍ରେସ୍‌ରେ ଘରକୁ ଫେରୁଥିଲେ। ମଙ୍ଗଳବାର ସନ୍ଧ୍ୟା ପାଖାପାଖି ୭ଟା ସମୟରେ ଟ୍ରେନ୍‌ଟି କଳ୍ପନା ଓଭରବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ହଠାତ୍‌ ବାହାରୁ ପଥରମାଡ଼ ହୋଇଥିଲା। ନିକଟସ୍ଥ ବସ୍ତିର କେହି ଦୁର୍ବୃତ୍ତ ଏଭଳି ପଥର ମାଡ଼ କରିଥିଲା। ଟ୍ରେନ୍‌ ବଗିର ଗେଟ୍‌ ପାଖରେ ବସିଥିବା ପ୍ରିନ୍‌ସଙ୍କ ମୁଣ୍ଡରେ ଗୋଟିଏ ଢେଲା ବାଜିଥିଲା। ପଥର ମାଡ଼ରେ ପ୍ରିନ୍‌ସଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସେ ସେଠାରେ ଟଳି ପଡ଼ିଥିଲେ। ଚିତ୍କାର ଶୁଣି ବଡ଼ ଭାଇ ମୁନା ଓ ବଗିରେ ଥିବା ଅନ୍ୟ ଯାତ୍ରୀମାନେ ତାଙ୍କୁ ତଳୁ ଉଠାଇ ପ୍ରାଥମିକ ଚିକିତ୍ସା କରିଥିଲେ। ଭୁବନେଶ୍ବର ରେଳଷ୍ଟସନରେ ସେମାନେ ଓହ୍ଲାଇପଡ଼ିଥିଲେ ଏବଂ ରେଳବାଇ ପୁଲିସ ସହଯୋଗରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ସେତେବେଳକୁ ପ୍ରିନ୍‌ସଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ବ୍ୟ‌ବଚ୍ଛେଦ କରିବା ପରେ ମୃତଦେହକୁ ବଡ଼ ଭାଇ ମୁନାଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ ଆମ୍ବୁଲାନ୍ସ ଯୋଗେ ବିହାର ପଠାଯାଇଥିଲା। ସେହିପରି ରେଲ୍‌ୱେ ପକ୍ଷରୁ ମୁନାଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ ଯୋଗାଇଦିଆଯାଇଥିଲା। ଅନ୍ୟପକ୍ଷରେ ଗତକାଲି ରାତିରେ ପୁଲିସ କଳ୍ପନା ଓଭରବ୍ରିଜ୍‌ ଅଞ୍ଚଳକୁ ଯାଇ ପଚରାଉଚରା କରିଛି। କିଛି ସ୍ଥାନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଛି।