ଘଟଗାଁ: ମା ତାରିଣୀଙ୍କ ଅପାର ମହିମା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ମାନସିକ ନଡ଼ିଆ ପଠାଉଛନ୍ତି। ଏସବୁ ନଡ଼ିଆ ମାଙ୍କ ଠା‌ରେ ଭୋଗ ଲାଗିବା ପରେ ନିଲାମ ହେବାର ବ୍ୟବସ୍ଥା ରହିଛି। ମାସମାସ ଧରି ଭୋଗ ନଡ଼ିଆ ନିଲାମ ହେଉନଥିବାରୁ ଏସବୁ ଗୋଦାମରେ ପଡ଼ିପଡ଼ି ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ୧୧ ଲକ୍ଷ ୫୭ ହଜାର ୩୧୮ଟି ନଡ଼ିଆ ମନ୍ଦିର ଗୋଦାମରେ ଗଚ୍ଛିତ ଅଛି। ଏଥିରୁ ଅର୍ଦ୍ଧାଧିକ ନଷ୍ଟ ହୋଇଗଲାଣି। ଅନ୍ୟପକ୍ଷରେ ମାଙ୍କ ଭୋଗ ନଡ଼ିଆରୁ ତେଲ ପ୍ରସ୍ତୁତି ପାଇଁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ମୁକୁନ୍ଦପୁର ପାଟଣାରେ ଏକ କାରଖାନା ପ୍ରତିଷ୍ଠା ହୋଇଥିବା ବେଳେ ୮ ବର୍ଷ ହେଲା ଏଥିରେ ତାଲା ଝୁଲୁଛି।

Advertisment

ସେପ୍ଟେମ୍ବର ୧ ତାରିଖରେ ଦେବୋତ୍ତର କମିସନରଙ୍କ ଆଦେଶ ଅନୁଯାୟୀ ଭୋଗ ନଡ଼ିଆ ଉଠାଇବା ପାଇଁ ଖୋଲା ନିଲାମ ପ୍ରକ୍ରିୟା ହେବ ବୋଲି ନୋଟିସ୍‌ କରାଯାଇଥିଲା। ସେପ୍ଟେମ୍ବର ୮ ତାରିଖରେ ନିଲାମ ପାଇଁ ଦିନଧାର୍ଯ୍ୟ କରାଯାଇଥିଲା। ନଡ଼ିଆ ଗୋଟା ୪ ଟଙ୍କା ୬୦ ପଇସାରୁ ନିଲାମ ଆରମ୍ଭ ହେବ ବୋଲି ନୋଟିସ୍‌ରେ ଉଲ୍ଲେଖ ଥିଲା। ନିର୍ଦ୍ଧାରିତ ସମୟରେ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ନିଲାମଧାରୀମା‌ନେ ପହଞ୍ଚିଥିଲେ। ହେଲେ ଦେବୋତ୍ତର କମିସନରଙ୍କ ନିର୍ଦେଶକ୍ରମେ ନିଲାମ ପ୍ରକ୍ରିୟାକୁ ବାତିଲ କରାଯାଇ ଖୋଲା ବଜାରରେ ନଡ଼ିଆ ଗୋଟା ୪ ଟଙ୍କା ୬୦ ପଇସାରେ ବିକ୍ରି କରାଯିବ ବୋଲି ମନ୍ଦିର କର୍ତ୍ତୃପକ୍ଷ କହିଥିଲେ। ୧୦ ତାରିଖରେ ଖୋଲା ବଜାରରେ ମାତ୍ର ୨୯୧୦ଟି ନଡ଼ିଆ ବିକ୍ରି ହୋଇଥିବା ବେଳେ ଆଜି ୨୨୩୦ଟି ନଡ଼ିଆ ବିକ୍ରି ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଆଜି ରାଜ୍ୟର କୋଣ ଅନୁକୋଣରୁ ୧୭ ହଜାର ୬୮୦ଟି ନଡ଼ିଆ ମନ୍ଦିରକୁ ଆସିଛି।

ଗୋଟିଏ ପଟେ ମନ୍ଦିରର ଗୋଦାମ ଘରେ ମାନସିକ ନଡ଼ିଆ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମନ୍ଦିର କର୍ତ୍ତୃପକ୍ଷ ନିଲାମ କରୁନଥିବାରୁ ପଚି ନଷ୍ଟ ହେଉଛି। ସେହିପରି ନିଲାମ ନେଉଥିବା ଲୋକଙ୍କୁ ମନ୍ଦିର କର୍ତ୍ତୃପକ୍ଷ ଜାଣିଶୁଣି ହଇରାଣ କରୁଥିବାରୁ ଏହି ପ୍ରକ୍ରିୟାରେ ସାମିଲ ହେବାକୁ ଅନେକ ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହେଉଛି। ପୂର୍ବରୁ ମାନସିକ ନଡ଼ିଆ ଉଠାଇବା ପାଇଁ ନିଲାମ ନେଇଥିବା ଜିତେନ୍ଦ୍ର ଜେନା ଅଭିଯୋଗ କରିଛନ୍ତି ଯେ ପୂର୍ବତନ ନିଲାମଧାରୀଙ୍କୁ ଅନୁକମ୍ପା ପ୍ରଦାନ ପାଇଁ ମନ୍ଦିର ପ୍ରଶାସନ ତାଙ୍କୁ ଜାଣିଶୁଣି ହଇରାଣ ହରକତ କରିଥିଲା। ଗୋଟିଏ ଟ୍ରଲିରେ ୬୦୦ ନଡ଼ିଆ ଆସୁଥିବା ବେଳେ ସେଥିରୁ ୪୦୦ରୁ ଅଧିକ ପଚା ନଡ଼ିଆ ବାହାରୁଥିଲା। ଏପରିକି କମ ପରିମାଣର ନଡ଼ିଆ ଦିଆଯାଉଥିଲା। ମନ୍ଦିର ପ୍ରଶାସନ ଓ ପୂର୍ବତନ ନିଲାମଧାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସେ କ୍ଷତି ସହିଲେ। ତେଣୁ ନଡ଼ିଆ କିଣାରୁ ଓହରିବାକୁ ବାଧ୍ୟ ହେଲେ ବୋଲି ଶ୍ରୀ ଜେନା କହିଛନ୍ତି।

ଅନ୍ୟପକ୍ଷରେ ମନ୍ଦିରକୁ ଆସୁଥିବା ମାନସିକ ନଡ଼ିଆର ସୁବିନିଯୋଗ ପାଇଁ ଘଟଗାଁରୁ ମାତ୍ର ୩ କିମି ଦୂର ମୁକୁନ୍ଦପୁର ପାଟଣାରେ ୨୦୧୦ ମସିହାରେ ସରକାର ଏକ ନଡ଼ିଆ ତେଲ କାରଖାନା ପ୍ରତିଷ୍ଠା କରିଥିଲେ। ଏହାର ନାମ ଥିଲା ମା କୋକୋନଟ୍‌ ଅଏଲ ମିଲ୍‌। ଏଥିପାଇଁ ପ୍ରାୟ ୧କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ମା ତାରିଣୀଙ୍କ ପାଖକୁ ଆସୁଥିବା ମାନସିକ ନଡ଼ିଆକୁ ବ୍ୟବହାର କରି ଏସ୍‌ଏଚ୍‌ଜି ମହିଳାମାନେ ଏଠାରେ ନଡ଼ିଆ ତେଲ ପ୍ରସ୍ତୁତ କରିବେ। ତାହାକୁ ବିକ୍ରି କରି ଭଲ ଦୁଇପଇସା ରୋଜଗାର କରିବେ। ମହିଳାମାନେ ମଧ୍ୟ ୨/୩ ବର୍ଷ ଧରି ଭଲ ଭାବରେ ଏହି କାରଖାନାରେ ନଡ଼ିଆ ତେଲ ପ୍ରସ୍ତୁତ କଲେ। କିନ୍ତୁ ଜିଲ୍ଲା ପ୍ରଶାସନ ହଠାତ୍‌ ଏହି କାରଖାନାକୁ ସରକାରୀ କର୍ମଚାରୀଙ୍କ ଦ୍ୱାରା ଚଳାଇବାକୁ ନିଷ୍ପତ୍ତି ନେଇଥିଲେ। ସେହିଦିନ ଠାରୁ ଏହି ପ୍ରକଳ୍ପ ରୁଗ୍‌ଣ ହେବାକୁ ଲାଗିଲା। ୨୦୧୫ରୁ ଏହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଯାଇଥିବା ବେଳେ କୋଟିଏ ଟଙ୍କାର ଯନ୍ତ୍ରପାତି ଖତ ଖାଉଛି। ଏହି ତେଲ ମିଲ୍‌ ବନ୍ଦ ହେବା ପରେ ନଡ଼ିଆ କିଣା ପ୍ରକ୍ରିୟାରେ ବ୍ୟବସାୟୀଙ୍କ ପ୍ରବେଶ ବଢ଼ିଲା ବୋଲି କୁହାଯାଉଛି।