ହିନ୍ଦୁ ଧର୍ମ ଗ୍ରହଣ କଲେ ମୁସଲିମ୍‌ ଯୁବତୀ : ସାଇନା ବାନୁ ହେଲେ ସୋନମ ଆର୍ଯ୍ୟ

ବଲାଙ୍ଗୀର: ପୂରା ପରିବାର ମୁସଲିମ। କିନ୍ତୁ ହିନ୍ଦୁ ହେବା ପାଇଁ ଝିଅର ମନ। ଏପରିକି ଝିଅର ଏକ ଜିଦ୍‌, ସେ ହିନ୍ଦୁ ହେବ ଓ ହିନ୍ଦୁ ଯୁବକଙ୍କୁ ବାହା ହେବ। ଝିଅର ଜିଦ୍‌ ଆଗରେ ହାର ମାନିଲେ ପରିବାର ଲୋକେ। ଶେଷରେ ମୁସଲିମରୁ ହିନ୍ଦୁ ହେଲେ ଝିଅ।

ବରଗଡ଼ ଜିଲ୍ଲା ପାଇକମାଲ ଗାଁର ଝିଅ ସାଇନା ବାନୁ। ଛୋଟବେଳୁ ହିନ୍ଦୁ ଧର୍ମ ପ୍ରତି ଆକୃଷ୍ଟ ଥିଲେ। ବଡ଼ ହେବା ପରେ ହିନ୍ଦୁ ଯୁବକଙ୍କୁ ବାହା ହେବା ପାଇଁ ଇଚ୍ଛା କଲେ। କିନ୍ତୁ ଏଥିରେ ବାଧକ ସାଜିଲା ଧର୍ମ। ତେଣୁ ପରିବାର ଲୋକଙ୍କୁ ମନାଇ ଶେଷରେ ହିନ୍ଦୁ ହେବା ପାଇଁ ଉଦ୍ୟମ କଲେ।

ଏଥିପାଇଁ ପରିବାର ବଲାଙ୍ଗୀର ଆର୍ଯ୍ୟ ସମାଜଠାରେ ଆବେଦନ କଲେ। ଆର୍ଯ୍ୟ ସମାଜ ପ୍ରଶାସନଠାରୁ ଅନୁମତି ଆଣିବା ପରେ ଆଜି ଆରମ୍ଭ ହୋଇଥିଲା ଧର୍ମ ପରିବର୍ତ୍ତନ ପ୍ରକ୍ରିୟା। ଆର୍ଯ୍ୟ ଭବନଠାରେ ରୀତିନୀତିରେ ହୋମଯଜ୍ଞ କରାଯାଇଥିଲା।

ସାଇନା ବାନୁ ପାଲଟି ଯାଇଥିଲେ ସୋନମ ଆର୍ଯ୍ୟ। ଆର୍ଯ୍ୟ ସମାଜ ସହିତ ହିନ୍ଦୁ ଜାଗରଣ ମଞ୍ଚର କର୍ମକର୍ତ୍ତା ଉପସ୍ଥିତିରେ ସବୁ କିଛି ଅନୁଷ୍ଠିତ ହୋଇଥିଲା। ବିନା କୌଣସି ଚାପରେ ନିଜର ସ୍ୱଇଚ୍ଛାରେ ହିନ୍ଦୁ ଧର୍ମ ଗ୍ରହଣ କରିଥିବା କହିଛନ୍ତି ସୋନମ।

ସମ୍ବନ୍ଧିତ ଖବର