ବାସୁଦେବପୁର: ବାସୁଦେବପୁର ତହସିଲ ଅଧୀନସ୍ଥ ମନ୍ତେଇ ନଈର ଦଧିବାମନପୁର ଘାଟରେ ଦୈବୀ ଦୂର୍ବିପାକ ପାଇଁ ଥିବା ସରକାରୀ ବୋଟ୍ଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ବିଶେଷ କରି ବାସୁଦେବପୁର ଅଞ୍ଚଳର ଚାରିପଟୁ ସମୁଦ୍ର ଓ ନଦୀ ଘେରି ରହିଛି। ବର୍ଷା ଦିନରେ ଉଛୁଳା ନଈର କରାଳ ରୂପ ଅଞ୍ଚଳବାସୀଙ୍କୁ କେତେବେଳେ ଯେ ବିପଦ ମୁହଁକୁ ଟାଣିନେବ ତାହା କହିହେବ ନାହିଁ। ୧୯୯୯ ମହାବାତ୍ୟା ସ୍ଥାନୀୟ ଅଞ୍ଚଳରେ ନାହିଁ ନ ଥିବା କ୍ଷୟକ୍ଷତି ପହଞ୍ଚାଇଥିଲା। ବହୁ ତଳିଆ ଅଞ୍ଚଳ ଡୁବି ଯାଇଥିବା ବେଳେ ଅନେକ ଧନଜୀବନ ପ୍ରବାବିତ ହୋଇଥିଲା।
ଆଗକୁ ସାମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବାକୁ ସବୁସ୍ତରରେ ତତ୍ପରତା ଦେଖାଦେଇଛି । ହେଲେ ଏହି ବିପର୍ଯ୍ୟୟକୁ ମୁକାବିଲା କରିବା ସହିିତ ଉଦ୍ଧାର ପାଇଁ ରହିଥିବା ସରକାରୀ ବୋଟ୍ ଭଙ୍ଗା ହୋଇ ପଡିଛି। ବୋଟ୍ର ଅବସ୍ଥାକୁ ଦେଖିଲେ ସରକାରୀ ବ୍ୟବସ୍ଥା କିପରି ରହିଛି ତାହା ସହଜରେ ଅନୁମେୟ। ହେଲେ ବନ୍ୟା ବାତ୍ୟା ଆସିଲେ ପ୍ରଶାସନ କିପ୍ରକାର ପଦକ୍ଷେପ ନେଇପାରିବ ତାହା ଏବେ ନଈକୂଳିଆବାସୀଙ୍କୁ ସଂକଟରେ ପକାଇଛି। ଲୋକମାନଙ୍କୁ ଉଦ୍ଧାର ପାଇଁ ରଖାଯାଇଥିବା ବୋଟ୍ଟି ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିବାକୁ ବସିଛି। ଆଉ ଏମିତି ଅପରିପକ୍ୱ ଭାବେ ପଡି ରହିଛି ଯେ ବୋଟ ମଧ୍ୟରେ ଗଛ ଉଠିଗଲାଣି। ବିପର୍ଯ୍ୟୟ ମୁକାବିଲା ପାଇଁ ତହସିଲ ଅଧୀନରେ ୬ ଜଣ ବୋଟ କର୍ମଚାରୀ ନିଯୁକ୍ତି ପାଇଛନ୍ତି । ଏମାନେ ସରକାରଙ୍କ ଠାରୁ ଦରମା ନେଉଥିଲେ ବି ସେମାନଙ୍କର ଡ୍ୟୁଟି କଣ ରହିଛି ବୋଲି ଏବେ ବିଭିନ୍ନ ମହଲରେ ନାନା ପ୍ରଶ୍ନ ଉଠିଛି ।
ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସୂଚନାରୁ ଜଣାଯାଇଛି, ୯୯ମହାବାତ୍ୟା ପରେ ପ୍ରଶାସନ ପକ୍ଷରୁ ଏହି ବୋଟଟିକୁ ମନ୍ତେଇ ନଈ କୂଳରେ ରଖାଯାଇଛି । ଏହାର ରକ୍ଷଣାବେକ୍ଷଣ ସହିତ ବୋଟକୁ ଚଳାଇବା ପାଇଁ ଚାଳକ ମଧ୍ୟ ନିଯୁକ୍ତି କରାଯାଇଥିଲା । ମଝିରେ ମଝିରେ ଏହି ବୋଟକୁ ଚଲାଇ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ମଧ୍ୟ ରହିଛି । ନଈକୂଳରେ ବୋଟ୍ ପଡିଛି ହେଲେ କୌଣସି ସମୟରେ ଚାଳକର ଦେଖାନଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ବୋଟ୍ର ଅବସ୍ଥା ସଙ୍ଗୀନ ହୋଇ ପଡିଥିବା ବେଳେ ସ୍ଥାନୀୟ ରାଜସ୍ୱ ବିଭାଗ କାର୍ଯ୍ୟାଳୟରେ ରହିଥିବା ଦୁଇଟି ଫାଇବର ବୋଟ ମଧ୍ୟ ଅସହାୟ ଅବସ୍ଥାରେ ପଡି ରହିଛି। ଆଗକୁ ବର୍ଷାଦିନ ଅସୁଛି। ସେଥିପାଇଁ ପ୍ରଶାସନକୁ ସଜାଗ ରହିବାକୁ ପଡିବ। ହେଲେ ବୋଟ ଉପରେ ନଜର ପକାଇଲେ ପ୍ରଶାସନ କି ସଜାଗ ରହିବ ତାହାକୁ ନେଇ ବ ଚିନ୍ତାର କାରଣ ସାଜିଛି। ସରକାରୀ ବୋଟ୍ର ଏପ୍ରକାର ଅବସ୍ଥା ସମ୍ପର୍କରେ ସ୍ଥାନୀୟ ତହସିଲଦାର ସୌଭାଗ୍ୟ ପଣ୍ଡା କହନ୍ତି ବୋଟ୍ଟି ଡ୍ୟାମେଜ ଘୋଷଣା ହୋଇଥିବା ବେଳେ ତହସିଲ କାର୍ଯ୍ୟାଳୟରେ ଥିବା ଦୁଇଟି ବୋଟ ଠିକ୍ ଥିବା ସୂଚନା ଦେଇଛନ୍ତି।