ଛାତରୁ ଖସି ନୌସେନା କର୍ମଚାରୀ ମୃତ 

ବେଲଗୁଣ୍ଠା : ଗାଙ୍ଗପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଅସହ୍ୟ ଗୁଳଗୁଳି ଯୋଗୁଁ ରାତିରେ ଛାତରେ ଶୋଇଥିବା ବେଳେ ଖସିପଡ଼ି ଜଣେ ନୈସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଗୋବରା ପଂଚାୟତ ବାସୁଦେବପୁର ଗ୍ରାମର କୃଷ୍ଣ ଚନ୍ଦ୍ର ଗୌଡ଼ (୨୬)। ବାସୁଦେବପୁର ଗ୍ରାମର କୃଷ୍ଣ ସାଢେ ଛଅ ବର୍ଷ ହେବ ମୁମ୍ବାଇ ନୌସେନାର ଅଶ୍ୱିନୀ ୟୁନିଟ୍‌ରେ କାର୍ଯ୍ୟରତ। ସେ କିଛି ଦିନ ହେବ ଛୁଟିରେ ନିଜ ଗ୍ରାମକୁ ଆସିଥିଲେ। ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ତାର ଛିଣ୍ଡିଯିବା ଯୋଗୁଁ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା।

ଗୁଳଗୁଳି ଯୋଗୁଁ କୃଷ୍ଣଚନ୍ଦ୍ର ରାତିରେ ଘର ଛାତ ଉପରେ ଶୋଇଥିଲେ। ତେବେ ବିଳମ୍ବିତ ରାତ୍ରିରେ କୃଷ୍ଣ ଅସାବଧାନତା କାରଣରୁ ଛାତରୁ ଖସି ସିମେଣ୍ଟ୍ ଚଟାଣରେ ପଡ଼ି ଅଚେତ ହୋଇ ଯାଇଥିଲେ। ଭୋର୍‌ରୁ ଭାଇ ଓ ପରିବାରବର୍ଗ କୃଷ୍ଣଙ୍କୁ ଶେଯରେ ନପାଇ ଖୋଜିଲା ବେଳେ ସେ ମୁମୂର୍ଷୁ ଅବସ୍ଥାରେ ଚଟାଣରେ ପଡ଼ିଥିବା ଦେଖିଥିଲେ। ତାଙ୍କୁ ଉଦ୍ଧାର କରି ପ୍ରଥମ ଗୋବରା ଏବଂ ପରେ ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ। ଭଞ୍ଜନଗରରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କୃଷ୍ଣଙ୍କ ମୃତ୍ୟୁ ଖବର ପାଇ ମାଆ ବୁଦ୍ଧି ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃ୍ଷ୍ଟି ହୋଇଛି। କୃଷ୍ଣଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। କୃଷ୍ଣଙ୍କ ମୃତ୍ୟୁ ଖବର ପାଇ ଚିଲିକାରୁ ନୌସେନାର ଏକ ଦଶ ଜଣିଆ ଟିମ୍ ବାସୁଦେବପୁର ଅଭିମୁଖେ ଆସୁଛନ୍ତି। ସେମାନେ ପହଞ୍ଚିବା ପରେ କୃଷ୍ଣଙ୍କୁ ଗାର୍ଡ୍ ଅଫ୍ ଅନର୍ ପ୍ରଦାନ କରିବେ ଓ ଏହାପରେ ଶବ ସତ୍କାର କରାଯିବ ବୋଲି ସୂଚନା ମିଳିଛି। ଗୋବରା ସରପଞ୍ଚ ସୁପ୍ରଭା ନାୟକ, ସମିତିସଭ୍ୟ ବିଭୂପାଦ ଜେନା, ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ରଙ୍କ ସମେତ ବହୁ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଘଟଣା ସମ୍ପର୍କରେ କୃଷ୍ଣଙ୍କ ଦାଦା ଜଟେଶ୍ଵର ଗୌଡ଼ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର