ଭୁବନେଶ୍ବର: ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଜାନୁଆରି ୧ରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ। ପ୍ରଥମ ପର୍ଯ୍ୟାୟରେ କଟକର ତ୍ରିଶୁଳିଆରୁ ଭୁବନେଶ୍ବର ବିମାନବନ୍ଦର ପର୍ଯ୍ୟନ୍ତ ମେଟ୍ରୋ ଚାଲିବ। ଏଥିପାଇଁ ୫୯୨୯.୩୮କୋଟି ଖର୍ଚ୍ଚ ହେବ। ଏହି ମେଟ୍ରୋ ରେଳ ପ୍ରକଳ୍ପ ଡିଜାଇନ୍‌ରୁ ଆରମ୍ଭ କରି ଅନ୍ୟାନ୍ୟ ବୈଷୟିକ ପରାମର୍ଶ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମ୍‌ଆର୍‌ସି) ଦେବ। ଏଥିପାଇଁ ଡିଏମ୍‌ଆର୍‌ସି ୩୨୬.୫୬କୋଟି ନେବ। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ (ଭର୍ଚୁଆଲ୍‌ ମୋଡରେ) ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ୍‌ ଏବଂ ଡିଏମ୍‌ଆର୍‌ସି ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଛି।
ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬୨୫୫କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଯାହା ଓଡ଼ିଶାରେ କୌଣସି ଭିତ୍ତିଭୂମି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କର ସବୁଠୁ ଅଧିକ ନିବେଶ ହେବ।

Advertisment

ଏମ୍‌ଓୟୁ ସ୍ବାକ୍ଷର ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଚୁକ୍ତି ଦ୍ବାରା ଓଡ଼ିଶାର ପରିବହନ ଇତିହାସରେ ନୂଆ ଯୁଗ ସୃଷ୍ଟି ହୋଇଛି। ଆମେ ଏବେ ରାଜଧାନୀ ଅଞ୍ଚଳର ପରିବହନ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛୁ। ଏହା ମୋ ସରକାରର ୫-ଟି ନୀତି ଅଧୀନରେ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ, ଯାହା ନୂଆ ଓଡ଼ିଶାର ଆର୍ବିଭାବର ସଂକେତ। ଏହାସହ ମୁଖ୍ୟମନ୍ତ୍ରୀ ଖୁସି ଜାହିର୍ କରି କହିଥିଲେ, ମୋ ସରକାର ୨୦୧୯ ନିର୍ବାଚନ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଆଉ ଏକ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛି। ଶ୍ରୀ ପଟ୍ଟନାୟକ କହିଥିଲେ ଦେଶରେ ମେଟ୍ରୋ ରେଳ ନିର୍ମାଣ କ୍ଷେତ୍ରରେ ଡିଏମ୍‌ଆର୍‌ସି ଅଗ୍ରଣୀ ଅଟେ। ମୋର ବିଶ୍ବାସ ଅଛି ଯେ ମେଟ୍ରୋ ରେଳ ନିର୍ମାଣ ବିଶ୍ବସ୍ତରୀୟ ହେବ ଏବଂ ଧାର୍ଯ୍ୟ ସମୟରେ ଶେଷ ହେବ। ଏହା ଦେଶରେ ଏକ ବେଞ୍ଚମା‌ର୍କ ସୃଷ୍ଟି କରିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଥିଲେ, ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ପ୍ରଶଂସନୀୟ।

ସମସ୍ତ ୬୨୫୫କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ
ରାଜ୍ୟରେ କୌଣସି ଗୋଟିଏ ପ୍ରକଳ୍ପ ପାଇଁ ସବୁଠୁ ଅଧିକ ନିବେଶ

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଏହି ମେଟ୍ରୋ ପ୍ରକଳ୍ପ ବାସ୍ତବରେ କଟକ ଓ ଭୁବନେଶ୍ବରକୁ ଏକ ଦ୍ବୈତ୍ବ ସହରରେ ପରିଣତ କରିବ। ଏଥିରେ ମୁଖ୍ୟ ସଚିବ ପି.କେ ଜେନା କହିଥିଲେ, ଏହି ପ୍ରକଳ୍ପ ଉଭୟ ସହରରେ ଯାତାୟତକୁ ସହଜ କରିବା ସହ ଅର୍ଥନୀତିକୁ ସମୃଦ୍ଧ କରିବ।
ଡିଏମ୍‌ଆର୍‌ସି ପରିଚାଳନା ନିର୍ଦ୍ଦେଶକ ବିକାଶ କୁମାର କହିଥିଲେ, ଓଡ଼ିଶାର ଗମନାଗମନ କ୍ଷେତ୍ରରେ ବିକାଶ ପାଇଁ ଏହା ଏକ ଉପଯୁକ୍ତ ସମୟ। ଏହା ଅର୍ଥନୀତିକୁ ବୃଦ୍ଧି କରିବା ସହ ଉକ୍ତ ଅଞ୍ଚଳର ଅଭିବୃଦ୍ଧି ଓ ବିକାଶକୁ ଆଗକୁ ବଢ଼ାଇବ। ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଏମ୍‌ସି ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ନଗର ଉନ୍ନୟନ ବିଭାଗ ପ୍ରମୁଖସଚିବ ଜି. ମାଥିଭାଥନନ୍ ସ୍ବା‌ଗତ ଭାଷଣ ଦେଇଥିବାବେଳେ ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ୍‌ର ସିଇଓ ଶିବ ପ୍ରସାଦ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରୁ ତ୍ରିଶୁଳିଆ ମଧ୍ୟରେ ମୋଟ୍ ୨୬କିମି ମଧ୍ୟରେ ୨୦ଟି ମେଟ୍ରୋ ରେଳ ଷ୍ଟେସନ କରାଯିବ। ସୁଉଚ୍ଚ ଓଭରବ୍ରିଜ୍ ଉପରେ ଏହି ରେଳ ଧାରଣା ବିଛାଯିବ। ଏଥିରେ ଅତ୍ୟାଧୁନିକ ରେଳ କୋଚ୍ ଚାଲିବ, ଅତ୍ୟାଧୁନିକ ‌ଟିକେଟ୍ ବ୍ୟବସ୍ଥା ଓ ସିଗନାଲ୍ ବ୍ୟବହାର କରାଯିବ। ପରବର୍ତ୍ତୀ ସମୟରେ ଏହା କଟକ, ପୁରୀ ଓ ଖୋର୍ଦ୍ଧାକୁ ସମ୍ପ୍ରସାରଣ ହେବ।