ଅଞ୍ଜନ ପ୍ରଧାନ
ବରଗଡ଼: ବରଗଡ଼ ଜିଲ୍ଲାର ରାଜନୈତିକ ପାଣିପାଗ କିଛି ଦିନ ହେଲା ଗଡ଼ବଡ଼ ଚାଲିଛି। ନିର୍ବାଚନ ପୂର୍ବରୁ ଏହା ଆହୁରି ଗୋଳମାଳିଆ ହେବା ମନେ ହେଉଛି। ବର୍ତ୍ତମାନ ପରିପ୍ରେକ୍ଷୀରେ, ଜିଲ୍ଲାର ପାଞ୍ଚଟି ଯାକ ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସମାନ ରହିବା ଗୋଟିଏ ହିସାବରେ ନିଶ୍ଚିତ ଲାଗୁଛି। କାରଣ ଦଳ କିଛି ଅଦଳବଦଳ କରି ବିପଦ ମୁଣ୍ଡାଇବାକୁ ଚାହିଁବ ନାହିଁ। ବିଜେପି ପାଇଁ ପଦ୍ମପୁରରେ ପ୍ରଦୀପ ପୁରୋହିତ, ବରଗଡ଼ରେ ଅଶ୍ବିନୀ ଷଡ଼ଂଗୀ ଏବଂ ଭଟଲିରେ ଇରାଶିଷ ଆଚାର୍ଯ୍ୟଙ୍କୁ ପୁନର୍ବାର ସୁଯୋଗ ମିଳିବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ରହିଛି। ସେହିପରି କଂଗ୍ରେସ ବରଗଡ଼ରେ ନିପନ ଦାଶ ଏବଂ ଅତାବିରାରେ ନିହାର ମହାନନ୍ଦଙ୍କୁ ଟିକେଟ୍ ଦେବା ବ୍ୟତୀତ କିଛି ଅନ୍ୟ ବିକଳ୍ପ ରହୁନାହିଁ। ଅନ୍ୟ ବିଧାନସଭା କ୍ଷେତ୍ରରେ ଉଭୟ ବିଜେପି ଓ କଂଗ୍ରେସ ନୂଆ ଚେହେରାଙ୍କୁ ସୁଯୋଗ ଦେଇପାରେ। ତେବେ ଲୋକସଭା ଆସନ ପାଇଁ ସବୁ ଦଳ ପାଇଁ ମାତ୍ରାଧିକ ବିକଳ୍ପ ରହିଛି। ପୁରୁଣା ସମୀକରଣ ବିଗିଡ଼ି ଯାଇଥିବାରୁ ନୂଆମୁହଁରେ ଲଢ଼େଇ ହେବ ବୋଲି ଜୋର୍ଦାର୍ ଚର୍ଚ୍ଚା।
ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବେ ନିଜ ପସନ୍ଦର ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ପୁନର୍ବାର ସକ୍ରିୟ ହେଲେଣି। ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ସେଠାରେ ନିଜ ଉପସ୍ଥିତି ଜାହିର କରୁଛନ୍ତି। ତେଣୁ ବରଗଡ଼ ଲୋକସଭା ଆସନ ପାଇଁ ଦଳ ଏଥର ନୂଆ ଚେହେରାକୁ ସୁଯୋଗ ଦେବ ବୋଲି ସମୀକ୍ଷକଙ୍କ ମତ। ଏଭଳି ସ୍ଥିତିରେ, ୨୦୧୪ରେ ନିର୍ବାଚନ ଜିଣି ୨୦୧୯ରେ ଟିକେଟ୍ରୁ ବଞ୍ଚିତ ଥିବା ଡ. ପ୍ରଭାସ ସିଂହ ଟିକେଟ୍ ପାଇଁ ନିଶ୍ଚିତ ଭାବେ ଲବି ଚଳାଇବେ। ସେହିପରି ପୂର୍ବତନ ବିଧାୟକ ସାଧୁ ନେପାକ ମଧ୍ୟ ଟିକେଟ୍ ଆଶାରେ ରହିବେ। ଏହି ତାଲିକା ଆଗକୁ ଆହୁରି ଲମ୍ବିବା ସମ୍ଭାବନା ରହିଛି।
ବିଜେପି ମଧ୍ୟ ନିଜ ପ୍ରାର୍ଥୀ କଥା ଏବେଠୁ ଚିନ୍ତା କରିବା ଆରମ୍ଭ କଲାଣି ବୋଲି ଦଳୀୟ ମହଲରେ ଜୋର୍ ଚର୍ଚ୍ଚା ଚାଲିଛି। ବର୍ତମାନର ସାଂସଦ ସୁରେଶ ପୂଜାରୀଙ୍କୁ ଦଳ ସମ୍ବଲପୁରରୁ ସୁଯୋଗ ଦେବା ପାଇଁ ପ୍ରସ୍ତୁତି ଚଳାଇଥିବା କୁହାଯାଉଛି। କାରଣ ଶ୍ରୀ ପୂଜାରୀଙ୍କ ସମର୍ଥକ ସେହି ଅଞ୍ଚଳରେ ବେଶି ଅଛନ୍ତି। ପୂର୍ବରୁ ତାଙ୍କ ସଂଗଠନ ବି ସମ୍ବଲପୁରରେ ସକ୍ରିୟ। ଏହି ଆଧାରରେ ତାଙ୍କୁ ବରଗଡ଼ ବଦଳରେ ସମ୍ବଲପୁରରୁ ଲଢ଼ିବାକୁ ପଡ଼ିବ ବୋଲି ପଦ୍ମଦଳର ଗୋଟିଏ ଶିବିର କହୁଛି। ଦଳୀୟ ଶିବିରରେ ଡି. ମୂରଲୀ କ୍ରିଷ୍ଣାଙ୍କ ନାମ ଗତଥର ତୁଳନାରେ ଏଥର ବେଶି ଚର୍ଚ୍ଚାରେ ରହିଛି।
ଯଦିଓ ଶ୍ରୀ କ୍ରିଷ୍ଣା କେବେ ଖୋଲାଖୋଲି ଭାବେ ତାଙ୍କ ଟିକେଟ୍ ଦାବିଦାରି ନେଇ ମୁହଁ ଖୋଲି ନାହାନ୍ତି, ଏଥର କିନ୍ତୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସେ ବି ଆଗ୍ରହୀ ଥିବା ପରୋକ୍ଷ ଇଙ୍ଗିତ କରୁଥିବା ଜଣାଯାଇଛି। ଗତ ଜୁନ୍ ୨୩ ତାରିଖ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଡ଼କ ପଥରେ କଳାହାଣ୍ଡିରୁ ଝାରସୁଗୁଡ଼ା ବିମାନ ବନ୍ଦର ଫେରିବା ବାଟରେ ବରଗଡ଼ରେ କିଛି ସମୟ ଅଟକିଥିଲେ। ମୂରଲୀ କ୍ରିଷ୍ଣାଙ୍କ ବାସଭବନରେ ସେ ଆତିଥ୍ୟ ଗ୍ରହଣ କରି ଅଧଘଣ୍ଟା କବାଟ କିଳା ଆଲୋଚନା ବି କରିଥିଲେ। ଏହି ଆଲୋଚନା ପରେ ମୂରଲୀ କ୍ରିଷ୍ଣା ବେଶି ସକ୍ରିୟ ଜଣାପଡ଼ୁଥିବାରୁ ତାଙ୍କୁ ଦଳ ଟିକେଟ୍ ଦେବ ବୋଲି ଯୁକ୍ତି ଉଠିଛି। ଅନ୍ୟପକ୍ଷରେ କଂଗ୍ରେସ ହାତରେ ସବୁ ପ୍ରୟୋଗ ପାଇଁ ସୁଯୋଗ ଥିବାରୁ ନୂଆମୁହଁରେ ଦଳ ଲଢ଼ିବ ବୋଲି ସମୀକ୍ଷକମାନେ ଆକଳନ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/election-eeee.jpg)