ଆସିଲା ନୂଆ ଶିଳ୍ପ, ପର୍ଯ୍ୟଟନ ନୀତି
୯ଟି ନୂଆ ନୀତିରେ କ୍ୟାବିନେଟ୍ ମୋହର, ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ସ୍ବତନ୍ତ୍ର ନୀତି
ଭୁବନେଶ୍ବର : ରାଜ୍ୟ ସରକାର ନୂଆ ଶିଳ୍ପ ନୀତି-୨୦୨୨ ପ୍ରସ୍ତୁତ କରିଛନ୍ତି। ଗତକାଲି କ୍ୟାବିନେଟ୍ ବୈଠକରେ ଏହି ନୀତିକୁ ଅନୁମୋଦନ କରାଯାଇଛି। ଏହା ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଓଡ଼ିଶାକୁ ଏକ ପୁଞ୍ଜି ବିନିଯୋଗର ଲକ୍ଷ୍ୟସ୍ଥଳ କରିବା ପାଇଁ ଏହି ନୀତିରେ ଗୁରୁତ୍ବ ଦିଆଯାଇଛି। ଶିଳ୍ପ ନୀତି ସହ ମୋଟ୍ ୧୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଗତକାଲିର କ୍ୟାବିନେଟ୍ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ବିଧାନସଭାରେ ସୂଚନା ଦେଇଥିଲେ। ବୈଠକରେ ମୋଟ୍ ୯ଟି ନୂଆ ନୀତିକୁ ଅନୁମୋଦନ ମିଳିଛି। ଆଜିଠାରୁ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଆରମ୍ଭ ହୋଇଥିଲା ବେଳେ କ୍ୟାବିନେଟ୍ର ଏହି ନିଷ୍ପତ୍ତି ବେଶ୍ ଗୁରୁତ୍ବ ବହନ କରୁଛି।
ନୂଆ ଶିଳ୍ପ ନୀତିରେ ଥିବା ବ୍ୟବସ୍ଥା ଅନୁଯାୟୀ ଷ୍ଟାମ୍ପ ଡ୍ୟୁଟି ଓ ଜମି ରୂପାନ୍ତ ଦେୟରୁ ୧୦୦% ରିହାତି ସହିତ ରିହାତି ମୂଲ୍ୟରେ ଶିଳ୍ପ ଉପଯୋଗୀ ଜମି ମିଳିବ। ଯୋଗ୍ୟ ଶିଳ୍ପଗୁଡ଼ିକ ପାଇଁ ବିଦ୍ୟୁତ କର ରିହାତି ମିଳିବ। ଏହା ବାଦ୍ ପୁଞ୍ଜି ବିନିଯୋଗର ଅନୁଦାନ, ଜିଏସ୍ଟିରେ ଫେରସ୍ତ, ଇପିଏଫ୍ ଓ ଇଏସ୍ଆଇ ସ୍କିମ୍ରେ ସୁବିଧା ଆଦିର ବନ୍ଦୋବସ୍ତ ରହିଛି। ଶୃଙ୍ଖଳିତ ଓ ସ୍ଥାୟୀ ଶିଳ୍ପ ଅଭିବୃଦ୍ଧି ପାଇଁ ଗୁଣାତ୍ମକ ଭିତ୍ତିଭୂମି ଯୋଗାଇବା ଉପରେ ନିର୍ଦ୍ଦିଷ୍ଟ ଧ୍ୟାନ ଦିଆଯିବ।
ସେହିପରି କ୍ୟାବିନେଟ୍ରେ ପାରିତ ହୋଇଥିବା ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨ ପର୍ଯ୍ୟଟନ ତଥା ଆତିଥେୟତା କ୍ଷେତ୍ରରେ ପୁଞ୍ଜି ବିନିଯୋଗ ନିମନ୍ତେ ନିବେଶକମାନଙ୍କୁ ଆକର୍ଷିତ କରିପାରିବ ବୋଲି ସରକାର ଆଶା ରଖିଛନ୍ତି। ପର୍ଯଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପୂର୍ବ ନୀତିରେ ୨୦ରୁ ୨୫% ଥିବା ପୁଞ୍ଜି ପ୍ରୋତ୍ସାହନ ସବ୍ସିଡିକୁ ଏହି ନୀତିରେ ୩୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସ୍ବାସ୍ଥ୍ୟ, ସୁସ୍ଥତା ଓ ମେଡିକାଲ ଟୁରିଜିମ୍କୁ ମାନ୍ୟତାପ୍ରାପ୍ତ ପର୍ଯ୍ୟଟନ ଉଦ୍ୟୋଗ ଭାବେ ଅନୁମୋଦନ ସହ ଆଗ୍ରହୀ ନିବେଶକମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଅଭିନବ ପର୍ଯ୍ୟଟନ ଉତ୍ପାଦ ଦ୍ବାରା ପର୍ଯ୍ୟଟକଙ୍କୁ ବର୍ଷସାରା ଓଡ଼ିଶା ଆସିବା ନିମନ୍ତେ ଆମନ୍ତ୍ରଣ କରାଯିବ। ଡିସେମ୍ବର ୧ ତାରିଖ ଠାରୁ ଏହି ନୂଆ ନୀତି ଲାଗୁ ହେବ।
ବାୟୁ ପ୍ରଦୂଷଣ ରୋକିବା ଉଦ୍ଦେଶ୍ୟରେ ପୁରୁଣା ଗାଡ଼ି ହ୍ରାସ କରିବା ନିମନ୍ତେ କେନ୍ଦ୍ର ସରକାର ଗାଡ଼ି ସ୍କ୍ରାପିଂ କେନ୍ଦ୍ର ସ୍ଥାପନ ପାଇଁ ନିୟମ ପ୍ରଣୟନ କରିଛନ୍ତି। ସେହି ଢାଞ୍ଚାରେ ରାଜ୍ୟ ସରକାର ‘ରେଜିଷ୍ଟ୍ରର୍ଡ ଭେଇକ୍ଲି ସ୍କ୍ରାପିଂ ଫାସିଲିଟି ପଲିସି-୨୦୨୨’ ପ୍ରଣୟନ କରିବେ। ଏହି ପ୍ରସ୍ତାବରେ କ୍ୟାବିନଟେ୍ ମୋହର ଲାଗିଛି। ଏହି ନୀତି ଅନୁଯାୟୀ ସମସ୍ତ ପଞ୍ଜୀକୃତ ଗାଡ଼ି ସ୍କ୍ରାପିଂ କେନ୍ଦ୍ର ଏକ ଶିଳ୍ପାନୁଷ୍ଠାନ ଭାବେ ପରିଗଣିତ ହେବ ଓ ରାଜ୍ୟ ଶିଳ୍ପ ନୀତି ଅନୁସାରେ ସମସ୍ତ ସୁବିଧା ସୁଯୋଗ ପାଇପାରିବେ। ଯେଉଁ ପୁରୁଣା ଗାଡ଼ିଗୁଡ଼ିକ ପୁନଃ ପଞ୍ଜୀକୃତ ହୋଇନାହିଁ ତଥା ସରକାରୀ ସ୍ତରରେ ୧୫ ବର୍ଷ ବର୍ଷ ପାର କରିଥିବା ସମସ୍ତ ମୋଟର୍ ଯାନକୁ ସ୍କ୍ରାପିଂ କେନ୍ଦ୍ରରେ ସ୍କ୍ରାପିଂ କରିବାକୁ ପଡ଼ିବ। ଯଦି କୌଣସି ମାଲିକ ଏହି ପୁରୁଣା ଗାଡ଼ି ବଦଳରେ ନୂଆ ଗାଡ଼ି କିଣନ୍ତି, ସେମାନଙ୍କୁ ମୋଟର ଯାନ ଟିକସରେ ରିହାତି ଦିଆଯିବ ଓ ପୁରୁଣା ଗାଡ଼ି ପାଇଁ ଗାଡ଼ି ମୂଲ୍ୟର ୬ ପ୍ରତିଶତ ଟଙ୍କା ଉକ୍ତ କେନ୍ଦ୍ର ପ୍ରଦାନ କରିବ।
ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ରେ କ୍ୟାବିନେଟ୍ ମୋହର ବାଜିଛି। ଏହି ନୀତି ମାଧ୍ୟମରେ ୨୦୩୦ ସୁଦ୍ଧା ରାଜ୍ୟରେ ବିଭିନ୍ନ ଉତ୍ସରୁ ପ୍ରାୟ ୧୧ ହଜାର ମେଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ହାସଲ କରିବାକୁ ଯୋଜନା କରାଯାଇଛି। ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ପାଇଁ ‘ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ପାଣ୍ଠି ଗଠନ କରାଯିବ ଏବଂ ଆଗାମୀ ୭ ବର୍ଷରେ ରାଜ୍ୟ ସରକାର ଏହି ପାଣ୍ଠିକୁ ୫୦୦ କୋଟି ଟଙ୍କା ପ୍ରଦାନ କରିବେ। ଏହା ବାଦ୍ ଓଡ଼ିଶା ବେସାମରିକ ବିମାନ ଚଳାଚଳ ନୀତି-୨୦୨୨, ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨, ଓଡ଼ିଶା ସଂଯୋଜନା ଓ ଚଳନ ନୀତି-୨୦୨୨, ଓଡ଼ିଶା ପୋଷାକ ଓ ବୈଷୟିକ ବୟନ ଶିଳ୍ପ ନୀତି-୨୦୨୨, ଓଡ଼ିଶା ରପ୍ତାନୀ ନୀତି-୨୦୨୨ କ୍ୟାବିନେଟ୍ରେ ପାରିତ ହୋଇଛି।