ସଂଗ୍ରାମ କେଶରୀ ସିଂହ

ଯାଜପୁର: କୋରେଇ ବିଧାନସଭା ଆସନରେ ପ୍ରତି ନିର୍ବାଚନରେ ନେତା ବଦଳିବା ପ୍ରସଙ୍ଗଟି ଜଟିଳ ରୂପ ନେବାକୁ ଯାଉଛି। କର୍ମୀଙ୍କ ଭିତରେ ଦ୍ବନ୍ଦ୍ବ ଯେତିକି, ଅସନ୍ତୋଷ ଏବେ ତା’ଠାରୁ ଅଧିକ। ପ୍ରାରମ୍ଭିକ ସ୍ଥିତି ଅନୁଧ୍ୟାନ କରିବା ପରେ ଏବେ ପ୍ରମୁଖ ରାଜନୈତିକ ଦଳର ନେତୃତ୍ବ ଚିନ୍ତାରେ। ଗତ ୪ଟି ନିର୍ବାଚନରେ ୪ଜଣ ନେତା ଏଠାରୁ ବିଧାୟକ ଭାବେ ଜିତିଛନ୍ତି। ଦଳ ଯେମିତି ନେତା ବଦଳାଇ ଟିକେଟ୍‌ ଦେଉଛନ୍ତି, ଭୋଟର ବି ସେମିତି କାହାକୁ ଭୋଟର ଦ୍ବିତୀୟଥର ସୁଯୋଗ ଦେଇନାହାନ୍ତି। ଏଥର ସମାନ ଘଟଣା ଘଟିବ ନା ଅନ୍ୟ ନେତା ଏବଂ ଭୋଟର ନିଷ୍ପତ୍ତି ବଦଳାଇବେ, ତାହାକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ଆକଳନ ଆରମ୍ଭ କରିଛନ୍ତି।

Advertisment

ଗତ ୪ଟି ନିର୍ବାଚନରେ କୋରେଇରୁ ଯଥାକ୍ରମେ ସଞ୍ଚିତା ମହାନ୍ତି, ଇଂ. ପ୍ରୀତିରଞ୍ଜନ ଘଡ଼େଇ, ଆକାଶ ଦାସ ନାୟକ ଓ ଅଶୋକ ବଳ ନିର୍ବାଚିତ ହୋଇଥିଲେ। ସଞ୍ଚିତା ବିଜେପି ଟିକଟରେ ବିଜୟୀ ହୋଇଥିଲେ। ଅନ୍ୟ ତିନିଜଣ ବିଜେଡିର। ଅନ୍ୟପଟରେ ଦୀର୍ଘ ୨୦ବର୍ଷ ଧରି ବିଜେଡି ଏହି ଆସନରେ ପ୍ରାର୍ଥୀ ଅଦଳବଦଳ କରିଚାଲିଛି। ଅର୍ଥାତ୍‌, ଥରେ ନିର୍ବାଚିତ ପ୍ରାର୍ଥୀଙ୍କୁ ଦ୍ବିତୀୟଥର ପାଇଁ ପ୍ରତିଦ୍ବନ୍ଦ୍ବିତା କରିବାର ସୁଯୋଗ ଦେଇନାହିଁ। ଏଥର ମଧ୍ୟ ଏହାର ପୁନରାବୃତ୍ତି ହେବ ବୋଲି ଦଳୀୟ ମହଲରେ ଚର୍ଚ୍ଚା। ଶାସକ ଦଳର ପ୍ରଭାବଶାଳୀ ଗୋଷ୍ଠୀ ମତ ରଖୁଛନ୍ତି ଯେ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି), ବର୍ତ୍ତମାନର ବିଧାୟକ ଅଶୋକ ବଳ ଓ ପୂର୍ବତନ ବିଧାୟକ ତଥା ମୋ କଲେଜ୍ ଅଧ୍ୟକ୍ଷ ଆକାଶ ଦାସ ନାୟକ ମଧ୍ୟରୁ କେହି ପ୍ରାର୍ଥୀ ହୋଇପାରନ୍ତି। ଆଉ ଗୋଟିଏ ବର୍ଗର ମତ ହେଉଛି, ପ୍ରଣବ ପ୍ରକାଶଙ୍କ ଭାଇ ତଥା ଯାଜପୁର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ଭବପ୍ରକାଶ ଦାସ(ଲଲ) ଓ ତାଙ୍କ ଭିଣୋଇ ଅଭିନେତା ଅରିନ୍ଦମ ରାୟ, ବ୍ୟାସନଗର ପୌରଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ,୨୦୧୪ରେ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିବା ଯୁବ ବି‌ଜେଡିର ଜିଲ୍ଲା ସଭାପତି ପ୍ରତାପ ମହାନ୍ତିଙ୍କ ମଧ୍ୟରୁ ଦଳ କାହା ନାମ ଉପରେ ବି ଶେଷ ମୁହୂର୍ତରେ ମୋହର ଲଗାଇପାରେ।

ବିଜେଡି ଭଳି ବିଜେପିରେ ମଧ୍ୟ ଏଥର ଏକାଧିକ ଆଶାୟୀ ମୁଣ୍ଡ ଟେକିଛନ୍ତି। ସମସ୍ତେ ଦଳୀୟ ବ୍ୟାନରରେ ନିଜ ନିଜ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ୨୦୧୯ରେ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ବିଶ୍ବଜିତ ନାୟକ, ଯୁବନେତା ଆଲେକଜାଣ୍ଡର ଦାସ ଓ ପୁରୁଖା କର୍ମକର୍ତ୍ତା ସତ୍ୟନାରାୟଣ ମହାନ୍ତି( ମିଞ୍ଜୁନ୍) ଏଥର ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ନୂଆବର୍ଷରେ ବ୍ୟାନର, ହୋର୍ଡିଂ ଲଗାଇ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଯୁବନେତା ଆଲେକ୍‌ଜାଣ୍ଡାର ଦାସ ପାଦେ ଆଗକୁ ଯାଇ ଜନସଂପର୍କ ପଦଯାତ୍ରା କରିଛନ୍ତି।
ଅନ୍ୟପକ୍ଷରେ ସମଗ୍ର ଜିଲ୍ଲାରେ କଂଗ୍ରେସ ସ୍ଥିତି ଅତ୍ୟନ୍ତ ଦୁର୍ବଳ ପରିଲକ୍ଷିତ ହେଉଥିଲେ ହେଁ କୋରେଇରେ ଭିନ୍ନ ଏକ ଦୃଶ୍ୟପଟ ଦେଖିବାକୁ ମିଳୁଛି। ବିଜେପି ଓ ବିଜେଡି ଭଳି ଯଦିଓ କଂଗ୍ରେସରେ ଅଧିକ ଆଶାୟୀ ନାହାନ୍ତି ତଥାପି ବନ୍ଦିତା ପରିଡ଼ା ଏଠାରୁ ପ୍ରାର୍ଥୀ ହେବେ ବୋଲି ତାଙ୍କ ସମର୍ଥକମାନେ କହିବା ଆରମ୍ଭ କଲେଣି। ଗତଥର ସେ କଂଗ୍ରେସରୁ ଲଢ଼ିଥିଲେ। ନିଜ ନିର୍ବାଚନମଣ୍ଡଳୀରେ ଅଧିକ ସମୟ ଦେବାପାଇଁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ସେ ଓହରି ଯାଇଥିବା କୁହାଯାଉଛି।