ସମ୍ବଲପୁରୀ ହସ୍ତତନ୍ତକୁ ମିଳିବ ନୂଆ ଜୀବନ

ବଢ଼ୁଛି କ୍ରେଜ୍‌, ପ୍ରଚାରକ ସାଜିଛନ୍ତି ପ୍ରଶାସକ, ସ୍କୁଲ୍ ୟୁନିଫର୍ମରେ କେବେ?

ସମ୍ବଲପୁର : ଗତ ଫେବ୍ରୁଆରି ୧ ତାରିଖ ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ବଲପୁରୀ ଶାଢ଼ି ପିନ୍ଧି ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିବା ସମୟରେ ପଶ୍ଚିମ ଓଡ଼ିଶାର ଏହି ପାରମ୍ପରିକ ହସ୍ତତନ୍ତକୁ ନେଇ ଚର୍ଚ୍ଚା ଏକ ଭିନ୍ନ ସ୍ତରରେ ପହଞ୍ଚିଥିଲା। ଭାରତୀୟ ବଜେଟ୍‌ ଉପରେ କେବଳ ଦେଶ ନୁହେଁ, ସାରାବିଶ୍ବର ନଜର ଥିବାରୁ ସୀତାରମଣଙ୍କ ଶାଢ଼ି ମଧ୍ୟ ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା। ସମ୍ବଲପୁର ପୋଷାକ ପ୍ରତି ଯେଉଁଭଳି ଆକର୍ଷଣ ବଢ଼ୁଛି, ଆଗାମୀଦିନରେ ସମ୍ବଲପୁର ହସ୍ତତନ୍ତକୁ ଏକ ନୂଆ ଜୀବନ ମିଳିବ ବୋଲି ଆଶା କରାଯାଉଛି। ଏଥିରେ ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନର ନିରବଚ୍ଛିନ୍ନ ଭୂମିକା ଥିବା ଦେଖିବାକୁ ମିଳୁଛି।

ସମ୍ବଲପୁରୀ ପୋଷାକ ନୂଆ ଜୀବନ ପାଇବା ନେଇ ଯେଉଁ ଆକଳନ କରାଯାଉଛି, ତାହାର ଏକ ବଡ଼ କାରଣ ହେଉଛନ୍ତି ପଶ୍ଚିମଓଡ଼ିଶାର ଜନସାଧାରଣ। ଏହି ଅଞ୍ଚଳର ପ୍ରତିଟି ସାଧାରଣ ଲୋକ ଏବେ ସମ୍ବଲପୁରୀ ପୋଷାକର ବ୍ରାଣ୍ଡ ଆମ୍ବାସାଡର୍ ପାଲଟିଛନ୍ତି। ସାଧାରଣ ଲୋକଙ୍କ ସହ ପ୍ରଶାସକ, ବୁଦ୍ଧିଜୀବୀ, ନେତା ଓ ସେଲିବ୍ରିଟି ଯୋଡ଼ି ହେବାଫଳରେ ସମ୍ବଲପୁରୀ ହସ୍ତତନ୍ତ ବାହାର ଲୋକଙ୍କୁ ଆକର୍ଷିତ କରିବାରେ ସମର୍ଥ ହେଉଛି। ଏଥିରେ ଯୋଡ଼ି ହୋଇଛି ଆଇଆଇଏମ୍‌ ସମ୍ବଲପୁର ଭଳି ଜାତୀୟସ୍ତରର ଶିକ୍ଷାନୁଷ୍ଠାନ। ଆଗାମୀ ୫ ବର୍ଷ ମଧ୍ୟରେ ସମ୍ବଲପୁରୀ ପୋଷାକକୁ ବିଶ୍ବ ବଜାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଆଇଆଇଏମ୍‌। ସମ୍ବଲପୁରୀ ବସ୍ତ୍ର ଓ ପୋଷାକକୁ ନିଜ ଉତ୍ପାଦନରେ ଏହି ଶିକ୍ଷାନୁଷ୍ଠାନ ଫ୍ଲିପ୍‌କାର୍ଟ ଓ ଆମାଜନ ଭଳି ଦେଶର ବୃହତ୍ ଇ‌-କମର୍ସ କମ୍ପାନି ସହିତ ଚୁକ୍ତିବଦ୍ଧ ହୋଇଛି। ଆଇଆଇଏମ୍‌ ସମ୍ବଲପୁର ନିର୍ଦ୍ଦେଶକ ପ୍ର. ମହାଦେବ ପ୍ରସାଦ ଜୟସ୍ବାଲ କହିଛନ୍ତି, ପୂର୍ବରୁ ସମ୍ବଲପୁରୀ କପଡ଼ାକୁ ସେତିକି ପ୍ରୋତ୍ସାହନ ମିଳି ନଥିଲା। ଏବେ ଏହି ଧାରା ଆରମ୍ଭ ହେଉଛି। ବର୍ତ୍ତମାନ ସବୁଲୋକ ଏହା ଉପରେ ଆଗ୍ରହ ଦେଖାଉଛନ୍ତି। ଆଜିର ଡିଜିଟାଲ୍ ସମୟରେ ଏହାର ମାର୍କେଟିଂ ସହଜ। କେବଳ ପୋଷାକରେ ନୁହେଁ ଧୀରେଧୀରେ ଅନ୍ୟ ସୌଖୀନ ସାମଗ୍ରୀରେ ବି ସମ୍ବଲପୁରୀ ଡିଜାଇନ୍‌ର ପ୍ରୟୋଗ ଆରମ୍ଭ ହୋଇଛି। କାନ୍ଥରେ ଚିତ୍ରକଳା ହେଉ କି ମୋବାଇଲ୍‌ର କଭର ହେଉ, ଏହି ଡିଜାଇନ୍‌ର ଅନେକ ଉପହାର ସାମଗ୍ରୀ ବି ଆସିଲାଣି। ଏହା ସମ୍ବଲପୁରୀ ଡିଜାଇନ୍‌ର ଲୋକପ୍ରିୟତା ବଢ଼ାଇବା ପାଇଁ ଉତ୍‌ପ୍ରେରକ ଭଳି କାମ କରିବ ବୋଲି ସେ କହିଛନ୍ତି।

କେବଳ ସ୍ବତନ୍ତ୍ର ଦିବସ କି ପର୍ବପର୍ବାଣୀରେ ନୁହେଁ, ପ୍ରଶାସନ ସ୍ତରରେ ମଧ୍ୟ ଏଥିପାଇଁ ଉଦ୍ୟମ ହେଉଥିବା ଦେଖିବାକୁ ମିଳୁଛି। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ କେବଳ ନିଜେ ସମ୍ବଲପୁରୀ ପିନ୍ଧୁ ନାହାନ୍ତି, ନିର୍ଦ୍ଦିଷ୍ଟ ଦିନ ମାନଙ୍କରେ ଏହାପିନ୍ଧିବା ପାଇଁ ସରକାରୀ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି। ଏଥିରେ ଆଗରେ ଅଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ। ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ଓ ହସ୍ତତନ୍ତ କାରିଗରଙ୍କ ଉନ୍ନତି ସକାଶେ ଜିଲ୍ଲାର ସରକାରୀ କର୍ମଚାରୀ ମାନେ ପ୍ରତ୍ୟେକ ସୋମବାର ହେଉଥିବା ଅଭିଯୋଗ ପ୍ରକୋଷ୍ଠରେ ସମ୍ବଲପୁରୀ ପୋଷାକ ପିନ୍ଧିବେ ବୋଲି ଅନୁରୋଧ କରି ସେ ନିର୍ଦ୍ଦେଶ ଜାରି କରିଥିଲେ। ପରବର୍ତ୍ତୀ ସମୟରେ ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଏବଂ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସମ୍ବଲପୁରୀ ଦିନ୍‌ରେ ସମସ୍ତ ସରକାରୀ କର୍ମଚାରୀ ସମ୍ବଲପୁରୀ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ‘ସମ୍ବଲପୁରୀ ଦିନ୍‌’ ପାଳନର ଗୋଟିଏଦିନ ପରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ଦିନ ସରକାରୀ କର୍ମଚାରୀମାନେ ସମ୍ବଲପୁରୀ ପୋଷାକ ପିନ୍ଧି କାର୍ଯ୍ୟାଳୟକୁ ଆସିବାକୁ ଅନୁରୋଧ କରି ଆଦେଶ ଜାରି କରିଛନ୍ତି। ଜିଲ୍ଲାପାଳମାନଙ୍କ ଏଭଳି ନିର୍ଦ୍ଦେଶକୁ ଅଧିକାଂଶ କର୍ମଚାରୀ ଅତ୍ୟନ୍ତ ସକାରାତ୍ମକ ଭାବେ ଗ୍ରହଣ କରି ଉତ୍ସାହର ସହ ପିନ୍ଧୁଥିବା ମଧ୍ୟ ଦେଖିବାକୁ ମିଳିଛି।

ତେବେ, ଏହି ନିର୍ଦ୍ଦେଶର ପରିସରରେ ଆସୁ ନଥିବା ବିଭିନ୍ନ ବିଶ୍ବବିଦ୍ୟାଳୟ, ଉଚ୍ଚ ଶିକ୍ଷାନୁଷ୍ଠାନ, ଘରୋଇ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନମାନେ ବି ସ୍ବେଚ୍ଛାକୃତ ଭାବେ ନିଜକୁ ସମ୍ବଲପୁରୀ ପିନ୍ଧିବାର ଏହି ପ୍ରତିଯୋଗିତାରେ ସାମିଲ କରିଛନ୍ତି। କେତେକ ଘରୋଇ ସ୍କୁଲ୍ ସମ୍ବଲପୁରୀ ଦିନ୍‌ରେ ସମ୍ବଲପୁରୀ ପୋଷାକ ପିନ୍ଧିବା ପାଇଁ ଛାତ୍ରଛାତ୍ରୀଙ୍କୁ ମଧ୍ୟ ନୋଟିସ୍ କରିଥିଲେ।

ଏ ସମ୍ପର୍କରେ ଫେସନ୍ ଡିଜାଇନର୍‌ ସୁଜିତ ମେହେର କହିଛନ୍ତି, ସ୍କୁଲ୍ ୟୁନିଫର୍ମ ପାଇଁ ସମ୍ବଲପୁରୀ କପଡ଼ାର ବ୍ୟବହାର ନିମନ୍ତେ ମୁଁ କିଛି ମାସ ପୂର୍ବରୁ ରାଜ୍ୟ ହସ୍ତତନ୍ତ ବିଭାଗକୁ ପ୍ରସ୍ତାବ ଦେଇଥିଲି। ଯେହେତୁ ସରକାରୀ ସ୍କୁଲ୍ ପିଲାଙ୍କୁ ନିଜେ ସରକାର ୟୁନିଫର୍ମ ଯୋଗାଇ ଦେଉଛନ୍ତି, ତେଣୁ ସିଧାସଳଖ ବୁଣାକାରଙ୍କଠାରୁ ସମ୍ବଲପୁରୀ କପଡ଼ା କିଣି ତିଆରି କରି ପାରିବେ। ଏହାଦ୍ବାରା ବୁଣାକାର ଓ ଦର୍ଜୀ ସମୂହ ଉପକୃତ ହେବା ସହ ଅଭିଭାବକଙ୍କ ଉପରେ ବି ଆର୍ଥିକ ବୋଝ ରହିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର