ମଙ୍ଗଳା ନଦୀରେ ଫିଟିଲା ନୂଆ ମୁହାଣ, ବେଳାମାର୍ଗ ଆଡ଼କୁ ମାଡ଼ୁଛି ନଦୀ ଜଳ

ପୁରୀ : ପୁରୀ ଷ୍ଟର୍ଲିନ ନିକଟ ମଙ୍ଗଳା ମୁହାଣ ଏବେ ଅସ୍ବାଭାବିକ ରୂପ ଦେଖାଇବା ଆରମ୍ଭ କରିଛି। ସମୁଦ୍ର ସଂଲଗ୍ନ ମଙ୍ଗଳା ନଦୀର ମୁହାଣ ପୋତି ହୋଇଯିବାରୁ ନଦୀ ଦେଇ ଆସୁଥିବା ବନ୍ୟାଜଳ ଏବେ ଆଡ଼ିବନ୍ଧ ଭାଙ୍ଗି ନୂଆ ମୁହାଣ ଫିଟାଇଛି। ମଙ୍ଗଳା ନଦୀର ଜଳକୁ ଅଟକାଇବା ପାଇଁ ଦିଆଯାଇଥିବା ବାଲିବସ୍ତାର ପ୍ୟାକିଂ ଓ ବଲ୍ଲା ବାଡ଼କୁ ଭାଙ୍ଗି ନଦୀର ଜଳ ଷ୍ଟର୍ଲିନ୍‌ ହୋଟେଲ କଡ଼ ଦେଇ ବେଳାମାର୍ଗ ରାସ୍ତା ମୁହାଁ ହେଉଥିବା ଦେଖିବାକୁ ମିଳିଛି। ଯଦି ଏଭଳି ଅସ୍ବାଭାବିକ ରୂପ ଲାଗି ରହେ, ତେବେ ବର୍ଷାଜନିତ ବନ୍ୟାଜଳ ପୁରୀ ସହରମୁହାଁ ହେବା ଆଶଙ୍କା ଦେଖାଦେଇଛି।

ମଙ୍ଗଳା ନଦୀର ଗୋଟିଏ ପାର୍ଶ୍ବ ସମୁଦ୍ରରେ ମିଶିଥିବାବେଳେ ଅନ୍ୟପାର୍ଶ୍ବ ମୂଷା ନଈ ସହ ଭାର୍ଗବୀରେ ମିଶିଛି। ଯେତେବେଳେ ପୁରୀ ସହର ଓ ସହରତଳି ଅଞ୍ଚଳରେ ବର୍ଷା ଦାଉ ସାଧେ, ବନ୍ୟା ଜଳରେ ସହର ଓ ସହରତଳି ଅଞ୍ଚଳ ଉବୁଟୁବୁ ହୁଏ, ସେତେବେଳେ ମଙ୍ଗଳା ନଦୀ ସାହାଭରସା ପା‌ଲଟେ। ମଙ୍ଗଳା ନଦୀ ଦେଇ ବନ୍ୟା ଜଳ ସମୁଦ୍ରକୁ ଚାଲିଯାଏ। କେବଳ ସହରତଳି ଅଞ୍ଚଳ ନୁହେଁ, ପୁରୀ ସଦର ବ୍ଲକ୍‌ର ବହୁ ଅଞ୍ଚଳରୁ ବି ମଙ୍ଗଳା ନଦୀ ଦେଇ ବନ୍ୟା ଜଳ ନିଷ୍କାସନ ହୋଇଥାଏ। ଏଣୁ ପ୍ରତିବର୍ଷ ଜଳସେଚନ ବିଭାଗ ପକ୍ଷରୁ ମଙ୍ଗଳା ମୁହାଣକୁ ଜେସିବି ଜରିଆରେ ସଫା କରାଯାଇଥାଏ। କିନ୍ତୁ ଜିଓ ସିନ୍ଥେଟିକ ପ୍ରାଚୀର ଯୋଜନା ପରଠାରୁ ମଙ୍ଗଳା ମୁହାଣ ଖନନ ବନ୍ଦ ରହିଛି। ବହୁବର୍ଷ ଧରି ଏହି ମୁହାଣ ଖନନ ନ ହେବାରୁ ସମୁଦ୍ର ବାଲିରେ ଏହି ପ୍ରଶସ୍ତ ମୁହାଣ ପୋତି ହୋଇଯାଇଛି। ବନ୍ୟା ତଥା ଅତିରିକ୍ତ ଜଳ ନିଷ୍କାସନ ବାଟ ବି ବନ୍ଦ ହୋଇଯାଇଛି। ଫଳରେ ମଙ୍ଗଳା ନଦୀର ଜଳ ଆଉ ସମୁଦ୍ରକୁ ଯାଇପାରୁନି।

ଏବେ ହୀରାକୁଦ ଡ୍ୟାମର ଗେଟ୍‌ ଖୋଲାଯିବା ପରେ ଓ ଲଗାଣ ବର୍ଷା ପରେ ମଙ୍ଗଳା ନଦୀ ଫୁଲିବା ଆରମ୍ଭ କରିଛି। ବନ୍ୟା ଜଳ ମଙ୍ଗଳା ନଦୀ ଦେଇ ନିଷ୍କାସନ ବାଟ ଖୋଜୁଥିବାବେଳେ ମଙ୍ଗଳା ମୁହାଣ ପୋତି ହୋଇଯାଇଥିବାରୁ ନଦୀ ଫୁଲି ନୂଆ ମୁହାଣ ତିଆରିବା ଆରମ୍ଭ କରିଛି। ପୂର୍ବରୁ ଯେଉଁ ବାଟ ଦେଇ ମଙ୍ଗଳ ନଦୀର ଜଳ ସହର ମୁହାଁ ହେଉଥିଲା ସେହି ବାଟ ଦେଇ ତୀବ୍ର ବେଗରେ ପାଣି ପଶିବା ଆରମ୍ଭ କରିଛି। ଏହି ବାଟ ଦେଇ ଜଳ ନିଷ୍କାସନ ବନ୍ଦ ପାଇଁ କିଛି ବର୍ଷ ପୂର୍ବରୁ ବଲ୍ଲା ସହ ବାଲିବସ୍ତା ପ୍ୟାକିଂ ଦିଆଯାଇଥିଲା। କିନ୍ତୁ ଏହାକୁ ଠେଲି ପାଣି ବେଳାମାର୍ଗ ରାସ୍ତା ଆଡ଼କୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର