ଭୁବନେଶ୍ବର: ଓଡ଼ିଶାରେ କରୋନାର ଏକ ନୂଆ ସବ୍ ଲିନିଏଜ୍ ଭୂତାଣୁ ଚିହ୍ନଟ ହୋଇଛି। ଦେଶରେ ଏବେ ଓମିକ୍ରନ୍ର ଉପ-ପ୍ରଜାତି ଏକ୍ସବିବି.୧.୧୬ ଯୋଗୁଁ ସଂକ୍ରମଣ ବ୍ୟାପୁଥିବା କୁହାଯାଉଛି। ତେବେ ରାଜ୍ୟରେ ଏହି ଉପ-ପ୍ରଜାତିର ଆଉ ଏକ ସବ୍ ଲିଜିଏନ୍ ଏକ୍ସବିବି.୨.୩ ଚିହ୍ନଟ କରାଯାଇଛି। ଏଥିରେ ଅତିରିକ୍ତ ମ୍ୟୁଟେସନ୍ ହୋଇଥିବା ଠାବ କରାଯାଇଛି। ସାର୍ସ-କୋଭ-୨ ଜେନୋମକ୍ସି କନର୍ସୋଟିୟମ(ଆଇଏନ୍ଏଏସିଓଜି) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜିନୋମ ସିକ୍ବେନ୍ସିଂରେ ଗୋଟିଏ ଏକ୍ସବିବି.୨.୩ ଓ ଦୁଇଟି ଏକ୍ସବିବି.୨.୩.୨କୁ ଠାବ କରାଯାଇଛି। ଏପ୍ରିଲ ମାସରେ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲଏସ୍) ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆରଏମ୍ଆରସି)ରେ ମୋଟ ୭୭ଟି ନମୁନାର ଜିନୋମ ସିକ୍ବେନ୍ସିଂ ହୋଇଥିଲା। ଏଥିରେ ୩୪ଟିରେ ଏକ୍ସବିବି.୧.୧୬ ଚିହ୍ନଟ ହୋଇଥିବା ବେଳେ ୮ଟି ଏକ୍ସବିବି.୧.୧୬.୧ ଚିହ୍ନଟ କରାଯାଇଛି। ଆରଏମ୍ଆରସିରେ ହୋଇଥିବା ସିକ୍ବେନ୍ସିଂରେ ଖୋର୍ଧା ଜିଲ୍ଲାର ସର୍ବାଧିକ ନମୁନା ଥିବା ବେଳେ ତହିଁରେ ୬୦ ପ୍ରତିଶତ ଏକ୍ସବିବି.୧.୧୬ ବାହାରିଛନ୍ତି। ଆଇଏଲଏସ୍ରେ ପଶ୍ଚିମ ଓଡ଼ିଶାରୁ ସିକ୍ବେନ୍ସିଂ ହୋଇଥିବା ନମୁନାରେ ଏହା ୫୦ ପ୍ରତିଶତ ରହିଥିବା ନଜରକୁ ଆସିଛି।
ଏକ୍ସବିବି.୧.୧୬ ଉପ-ପ୍ରଜାତିର ଓଡ଼ିଶାରେ ଦବ୍ଦବା ରହିଛି। ଗତ ଜାନୁଆରି ମାସରେ ଏକ୍ସବିବି.୧.୬ ଉପ-ପ୍ରଜାତିକୁ ଚିହ୍ନଟ କରାଯାଇଥିଲା। ଯାହାଫଳରେ ରାଜ୍ୟରେ ମାର୍ଚ୍ଚ-ଏପ୍ରିଲ ମାସରୁ ସଂକ୍ରମଣ ବଢ଼ିବାରେ ଲାଗିଛି। ବିଶେଷକରି ପଶ୍ଚିମ, ଦକ୍ଷିଓ ଓ ଉପକୂଳ ଓଡ଼ିଶାରେ ଏହା ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହେଉଛି। ମାତ୍ର ଏକ୍ସବିବିର ସବ-ଲିନିଏଜ୍ ଏକ୍ସବିବି.୨.୩ ଓ ଏକ୍ସବିବି.୨.୩.୨ ଏବେ ବୃଦ୍ଧି ପାଉଛି। ଯାହାକି ରାଜ୍ୟରେ ପୂର୍ବରୁ ଥିବା ଅନ୍ୟ ପ୍ରଜାତିମାନଙ୍କୁ ଅପସାରଣ କରିବାରେ ସକ୍ଷମ ହୋଇପାରିଛି। ଏହା ଟିକାକରଣ ଓ ପୂର୍ବରୁ ସଂକ୍ରମଣ ଦ୍ବାରା ମଣିଷ ଶରୀରରେ ସୃଷ୍ଟି ହୋଇଥିବା ହାଇବ୍ରିଡ ଇମ୍ୟୁନିଟିକୁ ମଧ୍ୟ ପ୍ରତିହତ କରିପାରେ ବୋଲି ଜଣେ ବୈଜ୍ଞାନିକ ମତ ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ମତରେ ଏହି ଉପ-ପ୍ରଜାତି ବର୍ତ୍ତମାନ ଲୋକଙ୍କୁ ଅଧିକ ଗୁରୁତର କରୁଥିବା ନଜରକୁ ଆସିଛି। ଯେଉଁମାନଙ୍କ ନିକଟରେ ଜଟିଳ ରୋଗ ରହିଛି ସେମାନେ କରୋନାରେ ଗୁରୁତର ହୋଇ ପଡ଼ୁଛନ୍ତି। ତେବେ ଜିନୋମ ସିକ୍ବେନ୍ସିଂ ଉପରେ ନଜର ରଖାଯାଇଥିବା ଅଧିକାରୀ ଜଣକ ମତ ଦେଇଛନ୍ତି।