ଅଞ୍ଜନ ପ୍ରଧାନ
ବଲାଙ୍ଗୀର: ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୟାସ ଚାଲିଛି। କିନ୍ତୁ କରୋନା ମହାମାରୀ, ପ୍ରୋତ୍ସାହନ ଅଭାବ ଏବଂ ଦାଦନ ସମସ୍ୟା କାରଣରୁ ଜନ୍ମ ନେଉଥିବା ଏକ ପରମ୍ପରା ଉଜୁଡ଼ି ଯାଇଛି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ର ମାତ୍ର ୨ଟି ୱାର୍ଡ ବିଶିଷ୍ଟ ଗାଁ ରାଉତମୁଣ୍ଡା। ମାଓ ଉପଦ୍ରୁତ, ଦାଦନପ୍ରବଣ ତୁରେକେଲା ବ୍ଲକ୍ ଝରଣୀ ପଞ୍ଚାୟତରେ ରହିଛି ଏହି ଛୋଟ ଗାଁ। ଏଠାରେ ୨୦୦୫ ମସିହାରେ ଆରମ୍ଭ ହେଲା ଏକ ନିଆରା ଧନୁଯାତ୍ରା। କେବଳ ଶିଶୁ କଳାକାରଙ୍କୁ ନେଇ ଯୁବ ସାମ୍ବାଦିକ ଘଟେଶ୍ବର ମିଶ୍ରଙ୍କ ଉଦ୍ୟମରେ ଏହି ନିଆରା ଧନୁଯାତ୍ରା ଆରମ୍ଭ ହେଲା। ପ୍ରଥମେ ଆଖପାଖ ଗାଁରେ ବୈଠକ ହେଲା। ପିଲାଙ୍କୁ ଅଭିନୟ ପାଇଁ ଅନୁମତି ମଗାଗଲା। ପାଖ ଗାଁ ଲୋକଙ୍କ ସହାୟତା ଓ ଚାନ୍ଦାରେ ମଞ୍ଚସ୍ଥ ହେଲା ଧନୁଯାତ୍ରା।
ଗାଁର କିଛି ପୁରୁଣା ନାଟ୍ୟପ୍ରେମୀ, ନାଟ୍ୟ ନିର୍ଦ୍ଦେଶକ ବେଣୁଧର ସାହୁ, ଦଣ୍ଡପାଣି ହୋତା ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହି ଧନୁଯାତ୍ରାର ଏକମାତ୍ର ନିୟମ ହେଲା, ସବୁ କଳାକାରଙ୍କ ବୟସ ୧୮ବର୍ଷ ଭିତରେ ରହିବ। ୧୮ ବର୍ଷ ଡେଇଁଲେ ସମ୍ପୃକ୍ତ କଳାକାରଙ୍କ ସ୍ଥାନରେ ନୂଆ ଜଣଙ୍କୁ ଚୟନ କରାଯିବ। କଂସ ଭୂମିକାରେ ଅଭିନୟ ଆରମ୍ଭ କଲେ ୮ ବର୍ଷ ବୟସର ଜୟପ୍ରକାଶ ମିଶ୍ର। ଗାଁର ମୁଖ୍ୟ ବସ୍ତିକୁ ମଥୁରା, ଆମ୍ବପଡ଼ାକୁ ଗୋପପୁର ଏବଂ ପୋଖରୀକୁ ଯମୁନା ନଦୀ କରାଗଲା। ଧୁମଧାମ୍ରେ ପ୍ରଥମ ବର୍ଷ ଅନୁଷ୍ଠିତ ହେଲା ଧନୁଯାତ୍ରା। ୧୪ ବର୍ଷ ଧରି ବିନା କୌଣସି ସରକାରୀ ସହାୟତାରେ ଏହା ଜାରି ରହିଲା। ନିଶା ନିବାରଣ, ଭ୍ରୂଣହତ୍ୟା ସମେତ ବିଭିନ୍ନ ସାମାଜିକ ବାର୍ତ୍ତା ମଧ୍ୟ ଦିଆଯାଉଥିଲା ଏହି ଧନୁଯାତ୍ରା ମାଧ୍ୟମରେ। ହେଲେ କରୋନା ମହାମାରୀ ଯୋଗୁଁ ଏକ ନବଜନ୍ମିତ ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା।
ସରକାରୀ ପ୍ରୋତ୍ସାହନ ବ୍ୟବସ୍ଥା ନହେବା କାରଣରୁ କରୋନା ପରେ ଯାତ୍ରା କରିବା ସମ୍ଭବ ହେଲାନାହିଁ। ସେହିପରି, ଦାଦନପ୍ରବଣ ଏହି ଇଲାକାରେ ଲୋକେ ପେଟ ପାଇଁ ସଂଘର୍ଷ କରୁଥିବାରୁ ଯାତ୍ରା ପ୍ରତି ମୋହ ତୁଟିଯାଇଛି। ସବୁ ଧର୍ମର କଳାକାର ଓ ଲୋକଙ୍କୁ ଯୋଡ଼ି ରଖିଥିବା ଏହି ଯାତ୍ରାକୁ ପୁନଃ ଆରମ୍ଭ କରିବା ପାଇଁ ସରକାରୀ ଅନୁଦାନ ଆବଶ୍ୟକ ବୋଲି ଧନୁଯାତ୍ରା କମିଟି ସଭାପତି ଗୌରଚନ୍ଦ୍ର ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ବିନା ସରକାରୀ ସହାୟତାରେ ବ୍ୟୟବହୁଳ ଏଭଳି ଯାତ୍ରା କରିବା ଅସମ୍ଭବ ହୋଇଛି ବୋଲି ଘଟେଶ୍ବର ମିଶ୍ର କହିଛନ୍ତି। ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଧନୁଯାତ୍ରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ହେଲେ ଏଥିପାଇଁ ଆଗକୁ ସରକାରୀ ସହାୟତା ମଞ୍ଜୁର ହେଉଛି ନା ନାହିଁ, ତାହା ଉପରେ କଳାପ୍ରେମୀ ନଜର ରଖିଛନ୍ତି।