ରଜାଘର ବିବାଦରେ ନୂଆ ମୋଡ଼: ଏଥର ଅଦ୍ରିଜାଙ୍କ ନାଁରେ ମାମଲା, ଘରୋଇ ସହାୟିକା ଥାନାରେ ଦେଲେ ଏତଲା

ବଲାଙ୍ଗୀର : ବଲାଙ୍ଗୀର ରାଜ ପରିବାର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଏବଂ ତାଙ୍କ ପତ୍ନୀ ଅଦ୍ରିଜା ମଂଜରୀ ସିଂହଦେଓଙ୍କ ଭିତରେ ବିବାଦ ତେଜିବାରେ ଲାଗିଛି। ଉଭୟଙ୍କ ବିବାଦ ଥାନାରୁ କୋର୍ଟକୁ ପହଞ୍ଚିଲାଣି। ଏହାରି ଭିତରେ ଏହି ବିବାଦ ନୂଆ ମୋଡ ନେଇଛି। ପୂର୍ବରୁ ଅଦ୍ରିଜାଙ୍କ ଅଭିଯୋଗକ୍ରମେ ଡେରାଡୁନ ପୁଲିସ ଅର୍କେଶ, ତାଙ୍କ ବାପା ଅନଙ୍ଗ ଉଦୟ ସିଂହଦେଓ, ବଡ଼ଭାଇ କଳିକେଶ ନାରାୟଣ ସିଂହଦେଓଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଓ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରିଥିଲା। ହେଲେ ଏବେ ରାଜ ପରିବାରରେ କାମ କରୁଥିବା କର୍ମଚାରୀ ରବିତା ଝାଙ୍କ ଅଭିଯୋଗକ୍ରମେ ଅଦ୍ରିଜା, ତାଙ୍କ ପିତା ଅଜୟ ସିଂହ ଓ ତାଙ୍କ ଭଉଣୀଙ୍କ ବିରୋଧରେ ଏସ୍‌ସି-ଏସ୍‌ଟି ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି। ଏହାସହ ଅର୍କେଶ ମଧ୍ୟ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ପୈତୃକ ସମ୍ପତ୍ତି ତାଙ୍କର ହଡ଼ପ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ, ଅର୍କେଶଙ୍କ ଘରେ ଘରୋଇ ସହାୟିକା ଭାବରେ ରବିତା ଝା କାମ କରନ୍ତି। ୫ ବର୍ଷ ହେଲା ସେ କାମ କରୁଥିବା ବେଳେ ଦମ୍ପତିଙ୍କ ଭିତରେ ବିବାଦ ଯୋଗୁଁ ଅଦ୍ରିଜା ଓ ତାଙ୍କ ସଂପର୍କୀୟ ଜାତିଗତ କଥା କହି ବାରମ୍ବାର ଗାଳିଗୁଲଜ କରୁଥିବା ସେ ଅଭିଯୋଗ କରିଛନ୍ତି। ଏଣୁ ଗତ ମେ ୯ ତାରିଖ ଦିନ ସେ ରାଜପୁତ ଥାନାରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ପୁଲିସ ଅଦ୍ରିଜା, ତାଙ୍କ ବାପା ଅଜୟ ସିଂହ, ଭଉଣୀ ରିଚା ମଂଜରୀ, ଡ୍ରାଇଭର ସୋନୁଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି। ସେପଟେ ଅର୍କେଶଙ୍କ କହିବା ହେଲା, ସେ ଅଦ୍ରିଜାଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଏହା ବିଚାରାଧୀନ ରହିଛି। ଛାଡ଼ପତ୍ର ନହେବା ପର୍ଯ୍ୟନ୍ତ ଅଦ୍ରିଜାଙ୍କୁ ରହିବା ପାଇଁ ରାଜପୁର ରୋଡସ୍ଥିତ ପୈତୃକ ବାସଭବନରେ ସ୍ଥାନ ସେ ଦେଇଛନ୍ତି। ହେଲେ ଅଦ୍ରିଜା ଜମି ମାଫିଆଙ୍କୁ ଆଣି ତାଙ୍କ ପୈତୃକ ସମ୍ପତ୍ତି କବଜା କରିବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି। ତେବେ ଅଦ୍ରିଜା ସବୁ ଅଭିଯୋଗକୁ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ଖଣ୍ଡନ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ ହେଉଛନ୍ତି ଅଦ୍ରିଜା। ଅଦ୍ରିଜା ସ୍ୱାମୀ ଅର୍କେଶଙ୍କ ବିରୋଧରେ ପାରିବାରିକ ହିଂସା ଓ ନିର୍ଯାତନା ଅଭିଯୋଗ ଆଣିବା ପରେ ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ମାମଲାରେ ଉଭୟ ପଟୁ ଅଭିଯୋଗ ହୋଇଥିବା ବେଳେ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ କରୁଛି। ଅଦ୍ରିଜା ବିଭିନ୍ନ ଫୋରମ୍‌ରେ ଅଭିଯୋଗ କରିସାରିଲେଣି। ଏବେ ଅଦ୍ରିଜାଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତାଧୀନ ରହିଛି।

ସମ୍ବନ୍ଧିତ ଖବର