ମାଲକାନଗିରି: ଆନ୍ଧ୍ର ଗ୍ରେହାଉଣ୍ଡ୍‌ ଯବାନଙ୍କ ଏନ୍‌କାଉଣ୍ଟରରେ ନିହତ ହୋଇଛି ଦୁର୍ଦ୍ଦାନ୍ତ ନକ୍ସଲ ତଥା ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ହିଡ଼ମା। ହିଡ଼ମାଙ୍କ ପତ୍ନୀ ରାଜେଙ୍କ ସମେତ ମୋଟ ୬ ନକ୍ସଲ ଏହି ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଆଲ୍ଲୁର ସୀତାରାମ ରାଜୁ ଜିଲ୍ଲା ମାରେଡମଲ୍ଲୀ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର୍‌ ହୋଇଛି। ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନ୍‌ ଜୋର୍‌ଦାର ପରେ ଆନ୍ଧ୍ର ଜଙ୍ଗଲରେ ଆତ୍ମଗୋପନ କରିବାକୁ ହିଡ଼ମା ଆସୁଥିବା ସମୟରେ ଗ୍ରେହାଉଣ୍ଡ୍‌ ଯବାନଙ୍କ ଗୁଳିରେ ପ୍ରାଣ ହରାଇଛି। ନିହତ ନକ୍ସଲମାନେ ହେଲେ କେନ୍ଦ୍ରୀୟ କମିଟି ସଦସ୍ୟ ମାଡ଼ବି ହିଡ଼ମା, ହିଡ଼ମାଙ୍କ ପତ୍ନୀ ତଥା ଦଣ୍ଡକାରଣ୍ୟ ସ୍ପେସାଲ ଜୋନାଲ୍‌ କମିଟି ସଦସ୍ୟ ମାଡକମ ରାଜେ, ଡିଭିଜିନାଲ୍‌ କମିଟି ମେମ୍ବର ଲାକମାଲ, ପିପିସିଏମ୍‌ କମଳୁ, ମାଲା ଓ ହିଡ଼ମାର ଅଙ୍ଗରକ୍ଷୀ ଦେବେ। ହିଡ଼ମାର ମୁଣ୍ଡ ଉପରେ ୫ ରାଜ୍ୟରେ ଅଢ଼େଇ କୋଟି ଏବଂ ତାଙ୍କ ପତ୍ନୀ ନାମରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଯବାନ ଘଟଣାସ୍ଥଳରୁ ୨ଟି ଏକେ-୪୭ ରାଇଫଲ୍‌, ଗୋଟିଏ ପିସ୍ତଲ, ଗୋଟିଏ ରିଭଲଭର, ଗୋଟିଏ ସିଙ୍ଗଲ୍‌ ବୋର ବନ୍ଧୁକ ଓ ବିପୁଳ ବିସ୍ଫୋରକ ଜବତ କରିଛନ୍ତି। 

Advertisment

ମୁଣ୍ଡରେ ଥିଲା ଅଢ଼େଇ କୋଟିର ପୁରସ୍କାର
ଆନ୍ଧ୍ର-ଓଡ଼ିଶା-ଛତିଶଗଡ଼-ମହାରାଷ୍ଟ୍ରରେ ଥିଲା ଦବ୍‌ଦବା
ପତ୍ନୀ ରାଜେ ସମେତ ମୋଟ ୬ ନକ୍ସଲ ମଲେ

ଆନ୍ଧ୍ର-ଓଡ଼ିଶା-ଛତିଶଗଡ଼-ମହାରାଷ୍ଟ୍ର-ତେଲେଙ୍ଗାନାରେ ଘଟିଥିବା ବହୁ ମାଓହିଂସାର ମାଷ୍ଟର୍‌ମାଇଣ୍ଡ ଥିଲା ହିଡ଼ମା। ୫ ରାଜ୍ୟରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମାଓ କାର୍ଯ୍ୟକଳାପକୁ ପରିଚାଳନା କରିବାରେ ହିଡ଼ମାର ପ୍ରମୁଖ ଭୂମିକା ରହିଛି। ୪୩ ବର୍ଷୀୟ ହିଡ଼ମା ୧୯୯୧ ମସିହାରେ ମାଓ ସଂଗଠନରେ ଯୋଗ ଦେଇଥିଲା। ସଂଗଠନରେ ହିଡ଼ମା ଓରଫ ସନ୍ତୋଷ ନାମରେ ବେଶ ପରିଚିତ ଥିଲା। ମାଓ ସଂଗଠନର ସବୁଠାରୁ ଶକ୍ତିଶାଳୀ, ରହସ୍ୟମୟ ଗରିଲା ଯୁଦ୍ଧରେ ମାହିର ଥିଲା ହିଡ଼ମା। ଦକ୍ଷିଣ ବସ୍ତର ଡିଭିଜନ୍‌ର ମୁଖ୍ୟ ତଥା ପିଏଲ୍‌ଜିଏ ପ୍ଲାଟୁନ ନଂ-୧ର ମୁଖ୍ୟ କମାଣ୍ଡର ଥିଲା। ଖୁବ୍‌ କମ୍‌ ସମୟ ମଧ୍ୟରେ ମାଓ ସଂଗଠନର ଶୀର୍ଷ କମିଟିରେ ସ୍ଥାନ ପାଇଥିବା ହିଡ଼ମା ଶହେରୁ ଊର୍ଧ୍ବ ଆକ୍ରମଣରେ ସାମିଲ ଥିଲା। ସେହିପରି ୨୭ଟି ବଡ଼ ଆକ୍ରମଣରେ ୨୦୦ରୁ ଊର୍ଧ୍ବ ଯବାନଙ୍କ ଜୀବନ ନେଇଛି। ୨୦୧୦ରେ ସୁକମା ଜିଲ୍ଲାର କାଡମେଟେଲାରେ ଆମ୍ବୁସ ମାଧ୍ୟମରେ ୭୬ଜଣ ସିଆର୍‌ପିଏଫ୍‌ ଯବାନଙ୍କୁ ହତ୍ୟା କରିଥିଲା ହିଡ଼ମା। ସେହିପରି ୨୦୧୩ ଦରଭା ଘାଟି ଆକ୍ରମଣରେ ୨୭ କଂଗ୍ରେସ ନେତା, ୨୦୧୭ ବୁର୍କାପାଲ ଆକ୍ରମଣରେ ୨୬ ସିଆର୍‌ପିଏଫ୍‌ ଯବାନ, ୨୦୨୧ରେ ବିଜାପୁରରେ ୨୨ ସିଆର୍‌ପିଏଫ୍‌ ଯବାନଙ୍କ ହତ୍ୟାର ମାଷ୍ଟର ମାଇଣ୍ଡ ଥିଲା ହିଡ଼ମା।  

ଗତ ଏକ ଦଶନ୍ଧି ଧରି ୫ ରାଜ୍ୟର ପୁଲିସ୍‌ ହିଡ଼ମାକୁ ଖୋଜୁଥିଲା। ପୁଲିସ ହାତରୁ ବହୁ ଥର ଅଳ୍ପକେ ଖସି ଯିବାରେ ସକ୍ଷମ ହୋଇଥିଲା ହିଡ଼ମା। ଛତିଶଗଡ଼ରେ ମାଓ ଅପରେସନ୍‌ ଜୋର୍‌ଦାର ପରେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ମହାସଚିବ ବାସବରାଜୁ ସମେତ ବହୁ କେନ୍ଦ୍ରୀୟ କମିଟି ସଦସ୍ୟ ଏନ୍‌କାଉଣ୍ଟରରେ ନିହତ ହୋଇଥିଲେ। ପୁଲିସ ଗୁଳିରୁ ବର୍ତ୍ତିବା ଆଉ ସମ୍ଭବ ନଥିବାରୁ ବହୁ ଟପ୍‌ କ୍ୟାଡର ଆତ୍ମସର୍ମପଣ କରିଥିଲେ। ହିଡ଼ମାଙ୍କୁ ମଧ୍ୟ ଆତ୍ମସର୍ମପଣ ପାଇଁ ପ୍ରସ୍ତାବ ଦେଇଥିଲା ଛତିଶଗଡ଼ ପୁଲିସ। ଗୃହ ମନ୍ତ୍ରୀ ବିଜୟ କୁମାର ଶର୍ମା ପୂର୍ବତ୍ତୀ ଗାଁକୁ ଯାଇ ହିଡ଼ମାର ମା’ଙ୍କୁ ଭେଟି ଆତ୍ମସର୍ମପଣ ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ପ୍ରସ୍ତାବରେ ରାଜି ନ ହେବାରୁ ୨୦୦୦ରୁ ଊର୍ଦ୍ଧ୍ବ ଯବାନ ହିଡ଼ମାକୁ ଘେରିଥିଲେ। ଛତିଶଗଡ଼ ପୁଲିସ କବଳରୁ ବର୍ତ୍ତିବା ପାଇଁ ହିଡ଼ମା ପତ୍ନୀ ରାଜେ, ଅଙ୍ଗରକ୍ଷୀ ଦେବେ ଓ ଅନ୍ୟ ୩ କ୍ୟାଡର ନକ୍ସଲଙ୍କ ସହ ଆନ୍ଧ୍ରମୁହାଁ ହୋଇଥିଲା। ଗୁଇନ୍ଦା ସୂଚନାକୁ ଭିତ୍ତି କରି ଆନ୍ଧ୍ର ଗ୍ରେହାଉଣ୍ଡ୍‌ ଯବାନ ମାରେଡମଲ୍ଲୀ ଜଙ୍ଗଲରେ ଚଢ଼ଉ କରିଥିଲେ। ମଙ୍ଗଳବାର ସକାଳୁ ନକ୍ସଲ-ଯବାନ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ହୋଇଥିଲା। ଫଳରେ ହିଡ଼ମା ସମେତ ୬ ନକ୍ସଲ ଟଳି ପଡ଼ିଥିଲେ। ସର୍ଚ୍ଚ ଅପରେସନ୍‌ ସମୟରେ ଠାବ ହୋଇଥିବା ମୃତଦେହ ଚିହ୍ନଟ ପରେ ହିଡ଼ମାର ମୃତ୍ୟୁ ଘଟିଥିବା ଆନ୍ଧ୍ର ପୁଲିସ ସ୍ପଷ୍ଟ କରିଛି। ହିଡ଼ମାର ନିହତ ଖବର ପ୍ରଚାର ହେବା ପରେ ଛତିଶଗଡ଼ର ସମସ୍ତ ନକ୍ସଲ ପ୍ରବଣ ଅଞ୍ଚଳର ଲୋକେ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଛନ୍ତି।