ପାଳଲହଡ଼ା: ପାଳଲହଡ଼ା ଟାଉନ୍‌ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପାଳଲହଡ଼ା ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର ହେଉଥିବା ଜଣେ ଯୁବକ ହଠାତ୍‌ ଏକ ପୋଲ ହ୍ୟୁମ୍‌ ପାଇପ୍‌ ଭିତରେ ପଶି ଅଟକି ରହିଥିଲେ। ପ୍ରଶାସନର ଉଦ୍ୟମରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ରାଇତବାହାଳ ଗାଁ ନିକଟ ପୁରୁଣାପାଣି ଗାଁର ପର୍ଶୁରାମ ସେଠୀଙ୍କ ପୁଅ ଟୁଲୁ ସେଠୀ(୨୨)ଙ୍କୁ ଗତକାଲି ଚିକିତ୍ସା ପାଇଁ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ମାନସିକ ସ୍ଥିତି ଠିକ୍‌ ନଥିଲା। ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ଆଜି ସକାଳେ ପାଳଲହଡ଼ା ଡାକ୍ତରଖାନାରୁ କେନ୍ଦୁଝର ଡାକ୍ତରଖାନାକୁ ଡିସ୍‌ଚାର୍ଜ କରାଯାଇଥିଲା। ଏକ ଘରୋଇ ଗାଡ଼ିରେ ଟୁଲୁଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ନେବା ପାଇଁ ତାଙ୍କ ବାପା ଓ ମାଆ ପାଳଲହଡ଼ା ଟାଉନ ଓଭର୍‌ ବ୍ରିଜ୍‌ ନିକଟ‌ରେ ସକାଳ ୯ଟାବେଳେ ଗାଡ଼ିକୁ ଅପେକ୍ଷା କରିଥିଲେ। ହଠାତ୍‌ ବାପା ଓ ମାଆଙ୍କ ପାଖରୁ ଟୁଲୁ ଖସି ଦୌଡ଼ିଥିଲେ। ତାଙ୍କୁ ଧରିବା ପାଇଁ ବାପା, ମାଆ ପିଛା କରିବାରୁ ଟୁଲୁ ଟାଉନ୍‌ ଉପକଣ୍ଠ ଏକ ଦୋକାନ ସମ୍ମୁଖ‌ରେ ଥିବା ଛୋଟ ପୋଲର ହ୍ୟୁମ୍‌ ପାଇପ୍‌ ଭିତରେ ପଶିଯାଇଥିଲେ।

Advertisment

ପାଇପ୍‌ରେ ପାଣି ବହୁଥିଲା। ଟୁଲୁ ତା’ ଭିତରେ ପଶି ଅଟକି ରହିଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଉପସ୍ଥିତ ଜନସାଧାରଣ, ପାଳଲହଡ଼ା ଦମକଳ ବାହିନୀ, ପୁଲିସ ବାହିନୀ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଏହାପ‌ରେ ବାରକୋଟ ବ୍ଲକ୍‌ ବମ୍ପ୍ରଡ଼ାରେ ଥିବା ସେନାବାହିନୀ ଓଡ୍ରାଫ୍‌ ଟିମ୍‌କୁ ଡକାଯାଇଥିଲା। ଓଡ୍ରାଫ୍‌ ଟିମ୍‌ ପହଞ୍ଚିବା ପ‌ରେ ପାଳଲହଡ଼ା ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି, ପୁଲିସ ଓ ଦମକଳ ବାହିନୀ ଉପସ୍ଥିତିରେ ଜେସିବି ମେସିନ ଲଗାଇ ପୋଲକୁ ଭଙ୍ଗାଯାଇଥିଲା। ଦୀର୍ଘ ଅଢ଼େଇ ଘଣ୍ଟାର ପରିଶ୍ରମ ପ‌ରେ ଟୁଲୁଙ୍କୁ ହ୍ୟୁମ୍‌ ପାଇପ୍‌ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳ‌ରେ ଦିନ ୧୦ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ହଜାର ହଜାର ଲୋକ ଜମା ହୋଇଥିଲେ। ଏହାପ‌ରେ ଟୁଲୁଙ୍କୁ ଚିକିତ୍ସା ପାଇଁ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁଇଦିନ ତଳେ ସେ କାଉଡ଼ି ଯାତ୍ରାରେ ଯାଇ ଶିବ ମନ୍ଦିରରେ ଠାକୁରଙ୍କୁ ଜଳାଭିଷେକ କରିଥିଲେ। ହଠାତ୍‌ କାହିଁକି ତାଙ୍କ ମାନସିକ ଅବସ୍ଥା ବିଗିଡ଼ିଯାଇଛି, ତାହା ଜଣାପଡ଼ିନାହିଁ। ପୂର୍ବରୁ ମଧ୍ୟ ସେ ବାରକୋଟରେ ଏକ ଜଳାଶୟକୁ ଡେଇଁ ପଡ଼ିବାକୁ ଉଦ୍ୟମ କରିଥିଲେ ବୋଲି ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି।