ଗାଁକୁ ନାହିଁ ପକ୍କା ରାସ୍ତା: ଷ୍ଟ୍ରେଚର୍‌ରେ ନଦୀ ପାର୍‌‌ହେଲେ ରୋଗୀ

ନାରାୟଣପାଟଣା : ଗାଁକୁ ପକ୍କା ରାସ୍ତା ନାହିଁ। ଫଳରେ ପୁଣିଥରେ ଷ୍ଟ୍ରେଚରରେ ବୁହାହେଲେ ରୋଗୀ। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ସଦର ମହକୁମାରୁ ମାତ୍ର ୩ କିମି ଦୂର ଖାରିକୋଣା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ନାରାୟଣପାଟଣା ସଦର ଠାରୁ ତିନି କିଲୋମିଟର ଦୂରରେ ରହିଛି ଖାରିକୋଣା ଗାଁ। ଗାଁର ରାମ ସୁକିଆ ଗତ ତିନିଦିନ ହେଲା ଜ୍ବର ସହ ପେଟବ୍ୟଥାରେ ପୀଡ଼ିତ ଥିଲେ। ରାମ ସୁକିଆ ରୋଗରେ ପଡ଼ିଥିବା ଖବର ପାଇବା ପରେ ସରପଞ୍ଚ ରେବତୀ କୁନ୍ଦାରିଆ ତୁରନ୍ତ ଆମ୍ବୁଲାନ୍ସକୁ ଡାକିଥିଲେ। କିନ୍ତୁ, ଗାଁକୁ ପହଞ୍ଚି ପାରି ନଥିଲା ଆମ୍ବୁଲାନ୍ସ। ଚମ୍ପିକୋଟା ସାହି ନିକଟସ୍ଥ ନଦୀ ପାଖରେ ଅଟକି ଯାଇଥିଲା। ଗାଁକୁ ରାସ୍ତା ନାହିଁ କି ନଦୀ ଉପରେ ପୋଲ ନାହିଁ। ଫଳରେ, ସମ୍ପର୍କୀୟ ସହ ସରପଞ୍ଚ ରେବତୀ କୁନ୍ଦାରିଆ, ଆମ୍ବୁଲାନ୍ସ ଡ୍ରାଇଭର ଶିଶିର ସାହୁ, ଲକ୍ଷ୍ମଣ ତମ୍ବଡିଆ, ଜମା ଖଡ଼ଙ୍ଗିଆ, ରୁପାନ୍ତ କୁଲେସିକା, ଧରଣୀଧର ସାହୁ ମିଳିମିଶି ଏକ ଷ୍ଟ୍ରେଚର୍‌ରେ ରୋଗୀକୁ ଧରି ଝଞ୍ଜାବତି ନଦୀ ପାର୍‌ ହୋଇଥିଲେ। ପରେ ଆମ୍ବୁଲାନ୍ସ ସାହାଯ୍ୟରେ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରି ଚିକିତ୍ସା କରାଯାଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ଦୀର୍ଘବର୍ଷ ହେବ ଖାରିକୋଣା ଗାଁକୁ ଭଲ ରାସ୍ତାଟିଏ ଏବଂ ପୋଲ ନିର୍ମାଣ କରିବା ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କରି ଆସୁଛନ୍ତି ଗ୍ରାମବାସୀ। କିନ୍ତୁ, ଆଜି ପର୍ଯ୍ୟନ୍ତ ଏଥିପ୍ରତି କେହି ଗୁରୁତ୍ବ ଦେଉନାହାନ୍ତି। ଫଳରେ ଏହି ଗ୍ରାମର ରୋଗୀ ଚିକିତ୍ସା ପାଇଁ ମେଡିକାଲ ଯିବାକୁ ହେଲେ ଏମିତି ଷ୍ଟ୍ରେଚରରେ ବୁହାହୋଇ ନଦୀ ପାର୍‌ ହୋଇ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯାଇଥା’ନ୍ତି। ତୁରନ୍ତ ଖାରିକୋଣା ଗାଁକୁ ପୋଲ ଏବଂ ଭଲ ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ସରପଞ୍ଚ ରେବତୀ କୁନ୍ଦାରିଆ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର