ରାଜ୍ୟରେ ‘ପିସି ସରକାର’ ଚାଲିଛି, ବିରୋଧୀଙ୍କ ଗର୍ଜନ

ସରକାର ହାତ ବାନ୍ଧି ବସିନାହାନ୍ତି: ଶାସକ ଦଳ, ସ୍ବଚ୍ଛତା ସରକାରଙ୍କ ମୂଳମନ୍ତ୍ର: ମନ୍ତ୍ରୀ

ଭୁବନେଶ୍ବର : ସବୁ ସ୍ତରରେ ପିସି ମାନସିକତା ସରକାରୀ ବ୍ୟବସ୍ଥାକୁ ଖିନ୍‌ଭିନ୍ କରିଦେଲାଣି। ବିନା ପିସିରେ ଫାଇଲ୍ ଘୁଞ୍ଚୁନି। ଏ ସରକାରକୁ ‘ପିସି ସରକାର’ କହିଲେ ଭୁଲ୍ ହେବନାହିଁ। ବ୍ଲକ୍ ଅଫିସ୍ ଦୁର୍ନୀତିର ପେଣ୍ଠ ପାଲଟିଛି। ସରକାର ଯଦି ପିସି ବନ୍ଦ ନ କରିପାରୁଛନ୍ତି, ତେବେ ସବୁ ବ୍ଲକ୍ ଅଫିସ୍‌ରେ କେଉଁ କାମ ପାଇଁ କାହାର କେତେ ପିସି, ତାହାର ତାଲିକା ଲଗାଇ ଦିଆଯାଉ। ଆଜି ବିଧାନସଭାରେ ପିସି କାରବାରକୁ ନେଇ ଏମିତି ଉଦ୍‌ବେଗ ପ୍ରକାଶ କରିଥିଲେ ବିରୋଧୀ ଦଳର ବିଧାୟକମାନେ। ଦୁର୍ନୀତି ରୋକିବାକୁ ସରକାରୀ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ଜଣାଇଥିଲେ। ଶାସକ ଦଳ ସଭ୍ୟମାନେ ଦୁର୍ନୀତି ହେଉଥିବା ସ୍ବୀକାର କରିଥିଲେ ବି ସରକାର ହାତବାନ୍ଧି ବସିନାହାନ୍ତି ବୋଲି ଯୁକ୍ତି ବାଢ଼ିଥିଲେ।

ବୁଧବାର ଦିନ ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ‘ରାଜ୍ୟରେ ପିସି କାରବାର ଚରମ ସୀମାରେ, କୋଟିପତି ନିମାପଡ଼ା ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା। ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ପିସି ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା କେବଳ ଘୋଷଣାରେ ରହିଯାଇଛି। ପିସି କାରକାର ଯେତିକି ମାରାତ୍ମକ, ସେତିକି ବିକାଶ ବିରୋଧୀ। ୨୦୧୭ ଜୁନ୍‌ରେ ପିସି ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତାହା ପରେ ପିସି ବନ୍ଦ ହେବା ତ ଦୂରର କଥା, ବରଂ ବହୁ ଗୁଣରେ ବଢ଼ିଗଲା। ପିସି ସତରେ ବନ୍ଦ ହୋଇଥିଲେ ବିଜେଡି ବାରମ୍ବାର କ୍ଷମତାସୀନ ହୋଇ ନଥା’ନ୍ତା। ନିକଟ ଅତୀତରେ ଭିଜିଲାନ୍ସ ଦ୍ବାରା ଧରା ପଡ଼ିଥିବା କିଛି ଯନ୍ତ୍ରୀ ଓ ଅଧିକାରୀଙ୍କ ସମ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏମାନେ ଗୋଟିଏ ଦିନରେ ଏମିତି ଦୁର୍ନୀତି କରି ନାହାନ୍ତି। ବର୍ଷ ବର୍ଷ ଧରି ଦୁର୍ନୀତି ଚଳାଇଥିଲେ। ବର୍ତ୍ତମାନ ଇ-ଟେଣ୍ଡର୍ ପ୍ରକ୍ରିୟାରେ ମଧ୍ୟ ଫିକ୍ସିଂ ହେଉଥିବା ନେଇ ସେ ଅଭିଯୋଗ କରିଛନ୍ତି।

ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଲେ, ବର୍ତ୍ତମାନ ପିସି କାରବାର ଚରମ ସୀମାରେ ପହଞ୍ଚିଛି। ଲୋକ ଚରିତ୍ର ମଧ୍ୟ ଦୁର୍ନୀତିକୁ ସୁହାଉଛି। ଆବାସ ଯୋଜନାରେ ଦୁଇଟି ଘର ପାଇଁ ପୁଣି ଆଉ ଗୋଟିଏ ଘର ପାଇଁ ଚାପ ପକାଉଛନ୍ତି। ଫଳରେ ଏହା ଦୁର୍ନୀତି କରିବାକୁ ତଳ ସ୍ତରର କର୍ମଚାରୀଙ୍କୁ ବାଧ୍ୟ କରୁଛି। ଠିକାଦାରମାନେ ଧାର୍ଯ୍ୟ ଦର ଠାରୁ କମ୍‌ରେ କାମ ନେଉଛନ୍ତି। ତେଣୁ ସେମାନେ ନିମ୍ନ ମାନର କାମ କରିବାକୁ ବାଧ୍ୟ। ଏଥି ପାଇଁ ସେମାନେ ଯନ୍ତ୍ରୀମାନଙ୍କୁ ପିସି ଦେଉଛନ୍ତି। ପିସି ପାଇଲା ପରେ ଯନ୍ତ୍ରୀମାନେ ଆଖି ବୁଜି ଦେଉଛନ୍ତି। ସବୁବେଳେ ଭିଜିଲାନ୍ସ ଜାଲରେ ଛୋଟ ମାଛ ଧରାପଡ଼ୁଛନ୍ତି। ବଡ଼ ମାଛ କେବେ ଧରାପଡ଼ିବେ? ସତରେ କ’ଣ ଉପର ମହଲରେ ଦୁର୍ନୀତି ହେଉନି? ସନାତନ ବିଜୁଳି କହିଲେ, ଚଳିତ ଶତାବ୍ଦୀରେ ସବୁଠାରୁ ବଡ଼ ଦୁର୍ନୀତି ହେଲା ପିସି। ଏବେ ବ୍ଲକ୍ କାର୍ଯ୍ୟାଳୟ ହେଉଛି ପିସି କାରବାରର ସର୍ବାଧିକ ହେଉଛି। ଯେଉଁ ପାଣ୍ଠିରୁ ବି ଉନ୍ନୟନ କାର୍ଯ୍ୟ ହେଉଛି, ସେହି ବିଲ୍‌ରେ ବ୍ଲକ୍ ଅଧ୍ୟକ୍ଷ କାଉଣ୍ଟର୍ ସାଇନ୍ କରୁଛନ୍ତି। ବିନା ପିସିରେ ସେ ଦସ୍ତଖତ କରୁନାହାନ୍ତି। ଅଧ୍ୟକ୍ଷଙ୍କୁ କାହିଁକି ଏହି କ୍ଷମତା ଦିଆଯାଇଛି? ଯଦି ପିସି ବନ୍ଦ କରିହେବନି, ତେବେ ବ୍ଲକ୍ କାର୍ଯ୍ୟାଳୟରେ କେଉଁ କାମ ପାଇଁ କାହାର କେତେ ପିସି, ତାହାର ତାଲିକା ସରକାର ଲଗାଇଦିଅନ୍ତୁ।

କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଲେ, ଭିଜିଲାନ୍ସ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଧରୁଛି ସତ। ଧରିବା ବଡ଼ କଥା ନୁହେଁ। କେତେ ଜଣ ଦୋଷୀ ସାବ୍ୟସ୍ତ ହେଉଛନ୍ତି, ତାହା ଗୁରୁତ୍ବପୂର୍ଣ୍ଣ। ବହୁ ଦୁର୍ନିୀତିଗ୍ରସ୍ତ ଲୋକ ଖସିଯାଉଥିବା ଜଣାପଡ଼ିଛି। ବର୍ତ୍ତମାନ ରାଜ୍ୟରେ ଅଧିକାରୀମାନେ ଅଧିକ ଦୁର୍ନୀତି କରୁଛନ୍ତି। ତାରାପ୍ରସାଦ ବାହିନୀପତି କହିଥିଲେ, ଗ୍ରାମାଞ୍ଚଳରେ ଜିଆର୍‌ଏସ୍‌ମାନେ ଏବେ ସର୍ବାଧିକ ଦୁର୍ନୀତି କରୁଛନ୍ତି। ଜଣେ ଜିଆର୍‌ଏସ୍‌ଙ୍କୁ ଭିଜିଲାନ୍ସ ଧରିଲା। ତାଙ୍କର ଭୁବନେଶ୍ବରରେ ୧୩ଟି ପ୍ଲଟ୍ ଥିବା ଜଣାପଡ଼ିଥିଲା। କୋରାପୁଟ, ବଲାଙ୍ଗୀରରେ ଯେଉଁ ସରକାରୀ କର୍ମଚାରୀ ଅଛନ୍ତି, ସମସ୍ତଙ୍କୁ ଭୁବନେଶ୍ବରରେ ଘର ଅଛି। ଦୋଷୀ ସାବ୍ୟସ୍ତ ହାର ବଢ଼ିଲେ ହିଁ ଦୁର୍ନୀତି କରିବାକୁ କର୍ମଚାରୀମାନେ ଭୟ କରିବେ। ଜିଆର୍‌ଏସ୍‌ଙ୍କୁ ବଦଳି ବ୍ୟବସ୍ଥା କରିବା ପାଇଁ ଶ୍ରୀ ବାହିନୀପତି ଦାବି କରିଥିଲେ।

ଶାସକ ଦଳ ସଭ୍ୟ ଅମର ଶତପଥୀ କହିଲେ, ଦୁର୍ନୀତି ହେଉଛି ସତ। କିନ୍ତୁ ରାଜ୍ୟ ସରକାର ହାତ ବାନ୍ଧି ବସିନାହାନ୍ତି। ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଆଧାରରେ ପଦକ୍ଷେପ ନିଆଯାଉଛି। କାହାକୁ ଚାକିରିରୁ ବହିଷ୍କାର କରାଯାଉଛି ତ କାହାର ପେନ୍ସନ୍ ବନ୍ଦ କରାଯାଉଛି। ଦୁର୍ନୀତି ନିବାରଣ ପାଇଁ ବିଭିନ୍ନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଆମ ପ୍ରଶାସନିକ ବ୍ୟବସ୍ଥାର ଆଧାର ହେଉଛି ସ୍ବଚ୍ଛତା। ବ୍ୟୋମକେଶ ରାୟ ଓ ଦେବେଶ ଆଚାର୍ଯ୍ୟ ଆଲୋଚନାରେ ଭାଗ ନେଇଥିଲେ।

ଆଲୋଚନାର ଉତ୍ତର ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ, ବିରୋଧୀ ଦଳ ଦୁର୍ନୀତି କିମ୍ବା ପିସି ନେଇ କୌଣସି ନିର୍ଦ୍ଦିଷ୍ଟ ବିଷୟ ଆଣିପାରି ନାହାନ୍ତି। ଭଲ କାର୍ଯ୍ୟକୁ କଦର୍ଥ କରି କହୁଛନ୍ତି। ସ୍ବଚ୍ଛତା ହେଉଛି ସରକାରଙ୍କ ମୂଳ ମନ୍ତ୍ର। ସରକାର ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ବିଗତ ଦେଢ଼ ବର୍ଷରେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ୭୫୮ ଜଣଙ୍କ ବିରୋଧରେ ୪୦୪ଟି ଅପରାଧିକ ମାମଲା ପଞ୍ଜୀକୃତ କରାଯାଇଛି, ଯେଉଁଥିରେ ୭୬ ଜଣ ‘କ’ ବର୍ଗର ଅଧିକାରୀ ଓ ୬୮ ଜଣ ‘ଖ’ ବର୍ଗର ଅଧିକାରୀ। ସେହିପରି ୪୩ ଜଣ ‘କ’ ବର୍ଗ ଓ ୪୯ ଜଣ ‘ଖ’ ବର୍ଗ ଅଧିକାରୀଙ୍କ ସମେତ ୨୭୨ ଜଣଙ୍କୁ ଗିରଫକରାଯାଇଛି ଏବଂ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଟ୍ରାପ୍‌ କେସ୍‌ରେ ୨୫୪.୫୭ କୋଟି ଟଙ୍କା ଜବତ କରାଯାଇଛି। ୧୫ ଅଧିକାରୀଙ୍କ ସମେତ ୮୮ ଜଣ ବ୍ୟକ୍ତି ୭୫ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୬ ଜଣ ଦୋଷୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛିଏବଂ ୧୫ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନ୍ସନ୍ ବନ୍ଦ କରାଯାଇଛି। ନିମାପଡ଼ାର ଆର୍‌ଡବ୍ଲ୍ୟୁ ସବ୍-ଡିଭିଜନ୍ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ କୁମରା ଦେହୁରୀଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସରେ ମାମଲା ପଞ୍ଜୀକୃତ ହୋଇଛି। ତାଙ୍କ ଠାରୁ ୩ କୋଟି ୩୮ ଲକ୍ଷ ୧୫ ହଜାର ୭୫୩ ଟଙ୍କା ଜବତ ହୋଇଛି, ଯାହା କି ତାଙ୍କ ଆୟ ଉତ୍ସର ୩୩୩% ଅଧିକ। ଶ୍ରୀ ଦେହୁରୀଙ୍କୁ ଗିରଡ଼ କରାଯାଇଛି ଓ ସେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ରାଜ୍ୟରେ ଟେଣ୍ଡର୍ ପ୍ରକ୍ରିୟା ଓ ଠିକାଦାରଙ୍କ ପ୍ରାପ୍ୟ ପ୍ରଦାନ ଅନ୍‌ଲାଇନ୍‌ରେ ଚାଲିଛି। ତେଣୁ ସ୍ବଚ୍ଛତାର ସହ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର