ଭୁବନେଶ୍ବର : ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଜାନୁଆରି ୧ ତାରିଖ ବ୍ୟତୀତ ଏଣିକି ଆଉ ୩ଟି ଯୋଗ୍ୟତାସୂଚକ ତାରିଖ ରହିବ। ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖ ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ।

Advertisment

ଶୁକ୍ରବାର ଦିନ ମଧୁସୂଦନ ଏକାଡେମିରେ ଶ୍ରୀ ଲୋହାନୀଙ୍କ ଅଧ୍ୟକ୍ଷତାରେ ସମସ୍ତ ଇଆରଓ ଓ ଉପ-ଜିଲ୍ଲାପାଳଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୁହାଯାଇଛି ଯେ ଲୋକପ୍ରତିନିଧି ଆଇନ ୧୯୫୦ ଓ ନିର୍ବାଚନ ପଞ୍ଜୀକରଣ ଆଇନ-୧୯୬୦ରେ କେତେକ ସଂଶୋଧନ କରାଯାଇଛି। ଯାହାଫଳରେ ଭୋଟର ତାଲିକାରେ ପଞ୍ଜୀକରଣ ପାଇଁ ଫର୍ମରେ ସଂଶୋଧନ, ଦାବି-ଆପତ୍ତି ଓ ଭୋଟର ତାଲିକାରେ ପଞ୍ଜୀକରଣ ପାଇଁ ଯୋଗ୍ୟତାସୂଚକ ତାରିଖ, ଆଧାର ସଂଯୋଗୀକରଣ ପାଇଁ ଫର୍ମ-୬(ଖ)ର ପ୍ରଚଳନ କ୍ଷେତ୍ରରେ କେତେକ ସଂଶୋଧନ କରାଯାଇଛି। କେନ୍ଦ୍ର ନିର୍ବାଚନ ଆୟୋଗ ଭୋଟର ତାଲିକାରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ଭୋଟର ଫଟୋ ପରିଚୟ ପତ୍ର ସହ ସ୍ବେଚ୍ଛାକୃତ ଭାବେ ଆଧାର ସଂଯୋଗୀକରଣ ଉପରେ ଗୁରୁତ୍ବାରୋପ କରାଯାଇଛି।

ଭୋଟର ତାଲିକା ସହ ଆଧାର ସଂଯୋଗୀକରଣ ପାଇଁ ଜଣେ ଘରେ ରହି ଗୁଗୁଲ ପ୍ଲେ ଷ୍ଟୋରରୁ ନିଜ ମୋବାଇଲରେ ଏନ୍‌ଭିଏସ୍‌ପି.ଇନ୍‌ କିମ୍ବା ଭୋଟର ହେଲ୍‌ପଲାଇନ ଡାଉନ୍‌ଲୋଡ୍ କରି ଆଧାର ସଂଯୋଗ କରିପାରିବ। ବାର୍ଷିକ ଚିଠା ଭୋଟର ତାଲିକା ପ୍ରକାଶନ ନଭେମ୍ବର ୯ତାରିଖରୁ ଡିସେମ୍ବର ୮ତାରିଖ ମଧ୍ୟରେ କରାଯିବ। ଏହା ପରଠାରୁ ଯେଉଁ ନାଗରିକମାନଙ୍କ ବୟସ ୧୭ବର୍ଷ ପୂରଣ ହୋଇଯିବ ସେ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ ପାଇଁ ଆଗୁଆ ଆବେଦନ କରିପାରିବେ। ପରବର୍ତୀ ଯୋଗ୍ୟତାସୂଚକ ତାରିଖରେ ତାଙ୍କୁ ୧୮ବର୍ଷ ପୂରଣ ହେଲେ ତାଙ୍କ ନାମ ଭୋଟର ତାଲିକାରେ ସାମିଲ ହୋଇଯିବ। ପ୍ରଦତ୍ତ ଠିକଣାରେ ଡାକ ଯୋଗେ ତାଙ୍କ ଭୋଟର ପରିଚୟ ପରିଚୟ ପତ୍ର ପ୍ରେରଣ କରାଯିବ। ତାଙ୍କୁ ପୁନର୍ବାର ଆବେଦନପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ।

ଲୋକ ପ୍ରତିନିଧି ଆଇନ ୧୯୫୦ ଓ ନିର୍ବାଚନ ପଞ୍ଜୀକରଣ ଆଇନ ୧୯୬୦ ସଂଶୋଧନ ଫଳରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଫର୍ମରେ ଥିବା କେତେକ ସଂଶୋଧନ କରାଯାଇଛି। ସେଗୁଡ଼ିକ ହେଉଛି ଫର୍ମ ନଂ ୬ରେ କେବଳ ନାମ ପଞ୍ଜୀକରଣ ପାଇଁ ଆବେଦନ, ଫର୍ମ ନଂ-୬(ଖ)ରେ ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ, ଫର୍ମ-୭ରେ ଭୋଟର ତାଲିକାରୁ ତଥ୍ୟ ବାଦ୍ ଦେବା ଓ ଫର୍ମ ନଂ ୮ରେ ବାସସ୍ଥାନ ସ୍ଥାନାନ୍ତରଣ, ପ୍ରଚଳିତ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ, ଭୋଟର ଫଟୋ ପରିଚୟ ପତ୍ର ବଦଳ ଓ ବିଦ୍ୟାଙ୍ଗ ଭୋଟରମାନଙ୍କୁ ଚିହ୍ନଟ କରିବା ଆଦି ସଂପର୍କରେ ବ୍ୟବହାର କରାଯିବ। ପ୍ରତ୍ୟେକ ନାଗରିକ ଯେଉଁମାନଙ୍କ ବୟସ ୨୦୨୩ ମସିହାରେ ଥିବା ଯୋଗ୍ୟତାସୂଚକ ତାରିଖ ସୁଦ୍ଧା ୧୮ବର୍ଷ ପୂରଣ ହେବାକୁ ଥିବ ସେମାନଙ୍କୁ ଆଗୁଆ ନାମ ପଞ୍ଜୀକରଣ ପାଇଁ ଆବେଦନ କରିବା ଲାଗି ଉତ୍ସାହିତ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି କ୍ଷେତ୍ରରେ ସହଯୋଗ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଭୋଟରମାନଙ୍କୁ ନିବେଦନ କରିଛନ୍ତି।