ଦରଡ଼ା: ପଶୁଟିଏ ନିଜ ମାଲିକ ପାଇଁ କେତେ ବିଶ୍ବସ୍ତ ହୋଇପା‌ରେ ଆଜି ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି ବସ୍ତା ବ୍ଲକ୍‌ ଦରଡ଼ା ପଞ୍ଚାୟତ ଦରଡ଼ା ଗ୍ରାମରେ। ଏହି ଗ୍ରାମର ଜୟକୃଷ୍ଣ ବିଶ୍ୱାଳ ନିଜ ଘରେ ଏକ ଆଲ୍‌ସେସିଆନ୍‌ କୁକୁର ପାଳିଥିଲେ। କୁକୁରଟି ଆଜି ଘର ଦୁଆର ପାଖରେ ବନ୍ଧା ହୋଇଥିବା ବେଳେ ଏକ ବିରାଟକାୟ ନାଗସାପ ଘର ଭିତରକୁ ପଶିବାକୁ ଚେଷ୍ଟା କରିଥିଲା। ହେଲେ କୁକୁରଟି ସାପକୁ ଭିତରକୁ ଯିବା ପାଇଁ ଦେଇ ନଥିଲା। ସ‌ାପକୁୁ ଭୟ ନକରି ଏହାକୁ ଦୁଇଖଣ୍ଡ କରି ମାରି ଦେଇଥିଲା।

Advertisment

ହେଲେ ସାପ ଚୋଟରେ କୁକୁରଟି ମଧ୍ୟ ଗୁରୁତର ହୋଇପଡ଼ିଥିଲା। କୁକୁରଟି କାଳେ ବଞ୍ଚିଯିବ ଭାବି ଜୟକୃଷ୍ଣଙ୍କ ପୁଅ ପାଖ ଦୋକାନରୁ ଔଷଧ ଆଣି ତା’ ପାଟି‌ରେ ଦେଉଥିବା ବେଳେ ହିଁ ସେ ଆଖି ବୁଜିଦେଇଥିଲା। ତେବେ ଔଷଧ ଦେବା ସମୟରେ କୁକୁର ପାଟି ଭିତରେ ପୁଅର ହାତ ରହିଯାଇଥିବାରୁ ତାକୁ ବସ୍ତା ଡାକ୍ତରଖାନା ଓ ପରେ ବାଲେଶ୍ୱର ଡାକ୍ତରଖାନା ନେଇଥିଲେ ଜୟକୃଷ୍ଣ। ଡାକ୍ତରୀ ପରୀକ୍ଷା ପ‌ରେ ପୁଅ ଦେହକୁ ବିଷ ଯାଇ ନଥିବା ଜଣାପଡ଼ିଥିଲା। ପୁଅ ଭଲ ଥିଲେ ବି ନିଜ ପୋଷା କୁକୁରଟିକୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଜୟକୃଷ୍ଣ। ନିରୀହ ଜନ୍ତୁଟିର ଉପକାର ସାରା ଜୀବନ ମନେରହିବ ବୋଲି ସେ କହିଛନ୍ତି।