ଜଳେଶ୍ବର: ସରକାର ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ଗରିବ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜଳେଶ୍ବର ବ୍ଲକ୍ ଅଧୀନ ଗଡ଼ସାହି ବାଲିଆପାଳ ଗାଁ ଏହାର ବ୍ୟତିକ୍ରମ ପାଲଟିଛି। ଗାଁ’ର ଶତାଧିକ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଚାତକ ପରି ଚାହିଁ ରହିଥିବା ବେଳେ ଭଙ୍ଗାଦଦରା ଚାଳ ଆଉ ଆଜବେଷ୍ଟସ୍ ଛପର ଘରେ ଅତି ଦୟନୀୟ ଅବସ୍ଥାରେ ମୁଣ୍ଡ ଗୁଞ୍ଜିଛନ୍ତି।
ଗଡ଼ସାହି ବାଲିଆପାଳ ଗାଁ’ର ବଟକୃଷ୍ଣ ଗିରିଙ୍କ ସମ୍ପତ୍ତି କହିଲେ ଅଳ୍ପ କିଛି ଚାଷଜମି। ସେହି ଚାଷଜମିରୁ ଯାହା କିଛି ଆୟ ହୁଏ ତାଙ୍କ ଚାରିଜଣିଆ ପରିବାରକୁ ନିଅଣ୍ଟ। ସେଥିରେ ପୁଣି ଦୁଇ ପୁଅ ପାଠ ପଢ଼ୁଛନ୍ତି। ତାଙ୍କ ପୁରୁଣା ଝାଟିମାଟି ଆଜବେଷ୍ଟସ୍ ଛପର ଘରଟି ୪ ବର୍ଷ ତଳେ ବାତ୍ୟାରେ ଭାଙ୍ଗିଯାଇଥିଲା। ସେହି ଘରକୁ ଅର୍ଥ ଅଭାବରୁ ଆଜିଯାଏ ସଜାଡ଼ି ପାରିନାହାନ୍ତି ବଟକୃଷ୍ଣ। ଫଳରେ ପରିବାର ଲୋକ ଗୋରୁଗାଈ ଓ ଛେଳିମାନଙ୍କ ସହ ରହୁଛନ୍ତି। ଅତି ଦୟନୀୟ ଅବସ୍ଥାରେ ଚଳୁଥିବା ବଟକୃଷ୍ଣ ସରକାରୀ ଘର ପାଇବା ପାଇଁ ଗତ ୫ ବର୍ଷ ଧରି ଏ ଅଫିସ୍ରୁ ସେ ଅଫିସ୍କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ତଥାପି ତାଙ୍କୁ ଘର ମିଳିପାରୁ ନାହିଁ। ସେହିପରି ଏହି ଗାଁ’ର ଆଉ ଜଣେ ହେଉଛନ୍ତି ସୁରେଶ କୁମାର ଜେନା। ସୁରେଶଙ୍କ ସମ୍ପତ୍ତି କହିଲେ ୧୧ ଡେସିମିଲ୍ ଚାଷଜମି ଓ ୩ ଡେସିମିଲ୍ର ଘରଡ଼ିହ। ମେହନତ କରି ଚଳୁଥିବା ସୁରେଶ ଦୁଇ ଝିଅକୁ ବହୁ କଷ୍ଟରେ ବିବାହ ଦେଇଛନ୍ତି। ଦୁଇ ଝିଅଙ୍କ ବିବାହ ଯୋଗୁଁ ଲକ୍ଷାଧିକ ଟଙ୍କା ଋଣରେ ବୁଡ଼ିଥିବା ସୁରେଶଙ୍କ ଉପରେ ଏବେ ବି ତାଙ୍କର ଦୁଇ ପୁଅ ଓ ପତ୍ନୀଙ୍କ ଭରଣପୋଷଣ ଦାୟିତ୍ବ। ଏପରି ଅବସ୍ଥାରେ କାହିଁ କେତେ ବର୍ଷ ତଳର ତାଙ୍କ ମାଟିଘର ଭାଙ୍ଗିଯାଇଛି। ଦିନରେ ସୂର୍ଯ୍ୟ, ରାତିରେ ତାରା ଦେଖାଯାଉଛି। ଅସରାଏ ବର୍ଷା ହେଲେ ଘର ଭିତରେ ପାଣି ଲହଡ଼ି ଖେଳୁଛି। ବାରମ୍ବାର ଆବେଦନ ସତ୍ତ୍ୱେ ସୁରେଶଙ୍କୁ ଘର ଖଣ୍ଡିଏ ମିଳିପାରୁନାହିଁ।
ଗତ ଅଗଷ୍ଟ ମାସରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ତାଙ୍କ ଘର ବିଶେଷ ଭାବେ ପ୍ରଭାବିତ ହୋଇଥିଲେ ମଧ୍ୟ ବନ୍ୟାର ଦେଢ଼ମାସ ପରେ ପଲିଥିନ୍ ଖଣ୍ଡେ ମଧ୍ୟ ମିଳିନାହିଁ ବୋଲି ସୁରେଶ ଅଭିଯୋଗ କରିଛନ୍ତି। କେବଳ ବଟକୃଷ୍ଣ କି ସୁରେଶ ନୁହନ୍ତି, ଏହି ଗାଁ’ର ରଞ୍ଜିତା ଧଳ, କମଳଲୋଚନ ମହାଳିକ, ସନ୍ତୋଷ ମହାଳିକ, ନରେନ୍ଦ୍ର ସିଂ, କାହ୍ନୁଚରଣ ବେହେରା, ମମତା ସିଂ, ତ୍ରୈଲୋକ୍ୟ ଜେନା, ରେବତୀ ପାତ୍ର, ମଦନ ଜେନା, ସନ୍ତୋଷ ଧଳ ପ୍ରମୁଖଙ୍କ ମଧ୍ୟ ସମାନ ଅବସ୍ଥା। ଏ ସମ୍ପର୍କରେ ଜଳେଶ୍ବର ବିଡିଓ ପୁନମ ରାଉତଙ୍କ ସହ ଫୋନ୍ରେ ଯୋଗାଯୋଗ କରିବାରୁ ସେ କହିଲେ, ସେ ମିଟିଂରେ ଅଛନ୍ତି। ପରେ ଜଣାଇବି। ସେହିପରି ସୁବର୍ଣ୍ଣରେଖା ତଟଦେଶରେ ଥିବା ଏହି ଗାଁ’ରେ ବ୍ୟାପକ ପନିପରିବା ଚାଷ ମଧ୍ୟ ହୋଇଥାଏ। ତେବେ ସୁବର୍ଣ୍ଣରେଖାରେ ବନ୍ୟା ଆସିଲେ ଚାଷୀମାନେ ସର୍ବସ୍ବ ହରାଉଥିବା ବେଳେ ସେମାନଙ୍କୁ କୃଷି ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ କ୍ଷତିପୂରଣ ମିଳେନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୁବର୍ଣ୍ଣରେଖା ନଦୀରୁ ବେଧଡ଼କ ବାଲି ଉତ୍ତୋଳନ ଯୋଗୁ ଗାଁ’ର ବହୁ ସ୍ଥଳଭାଗ ନଦୀଗର୍ଭକୁ ଚାଲିଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।