ବାରିପଦା : ଜନଜାତିଙ୍କ ବିକାଶ ପାଇଁ ମୟୂରଭଞ୍ଜ ଜିଲ୍ଲାରେ ୪ଟି ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଛି। ପ୍ରତି ସଂସ୍ଥାକୁ ବର୍ଷରେ ପାଖାପାଖି ୧୫ କୋଟି ଟଙ୍କାର ଅନୁଦାନ ମଧ୍ୟ ଆସୁଛି। ସେହିପରି ଲୋଧା ଉନ୍ନୟନ ସଂସ୍ଥା ଓ ଏଚ୍‌କେଏମ୍‌ଡି ସଂସ୍ଥାକୁ ପ୍ରତିବର୍ଷ ପାଖାପାଖି ୪୦ କୋଟି ଟଙ୍କା ଅନୁଦାନ ମିଳୁଛି। ଏହି ସବୁ ଅନୁଦାନକୁ ମିଶାଇଲେ ଜିଲ୍ଲାର ଜନଜାତିଙ୍କ ବିକାଶ ପାଇଁ ବର୍ଷକୁ ୧୦୦ କୋଟି ଟଙ୍କା ମିଳୁଛି। ଏହା କିଛି କମ୍ ନୁହେଁ। କିନ୍ତୁ ଏଥିରେ କାହାର ବିକାଶ ହେଉଛି, ତାହା କେବଳ ପ୍ରାଶାସନିକ କଳ ହିଁ କହିପାରିବ। ଏସବୁ ଅର୍ଥ କେଉଁ କେଉଁ ଦିଗରେ ଖର୍ଚ୍ଚ ହେଉଛି, ତାକୁ ନେଇ ସନ୍ଦେହ ଉଠିଛି। ଏହାବାଦ୍‌ ବହୁ ସମସ୍ୟା ରହିଛି, ଆଦିବାସୀଙ୍କ ସାମଗ୍ରିକ ବିକାଶ ପାଇଁ ଏହାର ସମାଧାନ କରାଯିବାର ଆବଶ୍ୟକତା ରହିଛି। ତେବେ, ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଭାବେ ଜିଲ୍ଲାର ଆଦିବାସୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି।

Advertisment

ଆଜି ବିଶ୍ବ ଆଦିବାସୀ ଦିବସ

publive-image

ଓଡ଼ିଶାର ସବୁଠୁ ବଡ଼ ଜିଲ୍ଲା ହେଉଛି ମୟୂରଭଞ୍ଜ। ଏଠାରେ ୬୦ ପ୍ରତିଶତ ଲୋକ କେବଳ ଜନଜାତି ସଂପ୍ରଦାୟର। ୨୦୧୧ ଜନଗଣନା ଅନୁଯାୟୀ, ଜିଲ୍ଲାରେ ମୋଟ ଜନସଂଖ୍ୟା ୨୫ ଲକ୍ଷ ୧୯ ହଜାର ୭୩୮ ହୋଇଥିବା ବେଳେ ସେଥିମଧ୍ୟରୁ ୧୪ ଲକ୍ଷ ୭୯ ହଜାର ୫୭୬ ଜନଜାତି ସଂପ୍ରଦାୟର। ଯେଉଁମାନେ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ। ଦୁର୍ଗମ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟସେବା, ପାନୀୟଜଳ ଏବେ ବି ମରୀଚିକା। ଲୋକେ ଜଙ୍ଗଲରୁ ମହୁଲ, କାଇ, ମହୁ, ଜାଳେଣି କାଠ ତଥା ଅନ୍ୟ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଛନ୍ତି। ଆଜିଦିନରେ ଜିଲ୍ଲାର ୨୧୧ ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିବାବେଳେ ୧ ହଜାର ୩୫୦ ଗାଁକୁ ବିଜୁଳି ସଂଯୋଗ ହୋଇନାହିଁ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଜନଜାତି ସଂପ୍ରଦାୟରୁ ଅନେକ ରାଜନେତା ବିଧାୟକ ଓ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ହେଲେ, ସେମାନଙ୍କ ସଂପ୍ରଦାୟର ବିକାଶ ଯେମିତି ହେବା କଥା, ତାହା ହୋଇନାହିଁ। ଅଣଜନଜାତିର ବିଧାୟକ ଓ ସାଂସଦମାନେ ମଧ୍ୟ ଏ ଦିଗରେ ଆନ୍ତରିକତା ଦେଖାଇନାହାନ୍ତି। ‘ ନିର୍ବାଚନ ଆସିଲେ ସମସ୍ତେ ଜନଜାତିର ବିକାଶ ପାଇଁ ମିଛରେ କାନ୍ଦନ୍ତି। ଭୋଟ୍‌ ପାଇଗଲା ପରେ ସବୁ ଭୁଲିଯାଆନ୍ତି,’ ବୋଲି ସୁଦୀପ୍ତ ମାରାଣ୍ଡି ଓ ବଳରାମ ହାଁସଦାଙ୍କ ପରି ଅନେକ ଜନଜାତି ସଂପ୍ରଦାୟର ନେତା ଅଭିଯୋଗ କରିଛନ୍ତି।

publive-image Gaon Connection

ତେବେ ବର୍ତ୍ତମାନ ଆଦିବାସୀଙ୍କ ବିକାଶ ଲାଗି ନୂଆ ବାଟ ଫିଟିଥିବା କୁହାଯାଉଛି। ସେ ବାଟ ହେଉଛନ୍ତି ‌ମହାମହିମ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ନିଜର ରାଜନୈତିକ ଜୀବନକାଳରେ ଜନଜାତିଙ୍କ ବିକାଶ ପାଇଁ ଅନେକ କାମ କରିଛନ୍ତି। ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ସମୟରେ ଜନଜାତିଙ୍କ ବିକାଶ ପାଇଁ ବିଭିନ୍ନ ଗଠନମୂଳକ ପଦକ୍ଷେପ ନେଇଛନ୍ତି। ଏବେ ସେ ଯେତେବେଳେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିଛନ୍ତି, ସେତେବେଳେ ଜନଜାତିର ଲୋକମାନେ ତାଙ୍କଠାରୁ ବିକାଶ ଆଶା ରଖିବା ସ୍ବାଭାବିକ। ଲୋକଙ୍କ ଆଶା ଓ ଭରସାକୁ ମହାମହିମ କେମିତି ରକ୍ଷା କରୁଛନ୍ତି, ତାହା ଆଗାମୀ ସମୟ ହିଁ କହିବ।