କଟକ: ବ୍ରିଟିସ୍ ଅମଳରୁ ରାଜ୍ୟ ସରକାରଙ୍କ ଆଖି କାନ କୁହାଯାଉଥିବା ସ୍ପେସାଲ ବ୍ରାଞ୍ଚର ସ୍ଥିତି ଦୟନୀୟ ହୋଇପଡ଼ିଛି। ରାଜ୍ୟରେ ପ୍ରାୟ ୮୦୦ ସ୍ପେସାଲ୍‌ ବ୍ରାଞ୍ଚ ଅଧିକାରୀ ଓ କର୍ମଚାରୀ ଥିବାବେଳେ କ୍ବାର୍ଟର୍ସ ସଂଖ୍ୟା ମାତ୍ର ୨୦। କଟକ ସହର ବାଦ୍ ରାଜ୍ୟର କୌଣସି ଜିଲ୍ଲାରେ କ୍ବାର୍ଟର୍ସ ଖଣ୍ଡେ ନାହିଁ। ଭୁବନେଶ୍ବରରେ ଭିଭିଆଇପି ଡ୍ୟୁଟି ପଡ଼ିଲେ ଜିଲ୍ଲାରୁ ସ୍ପେସାଲ୍‌ ବ୍ରାଞ୍ଚ ଅଧିକାରୀମାନେ ଯିବାକୁ ଅରାଜି ହେଉଛନ୍ତି। ଭୁବନେଶ୍ବର ଗଲେ ରହିବାକୁ ସରକାରୀ ବ୍ୟବସ୍ଥା ନାହିଁ। ସମ୍ପର୍କୀୟଙ୍କ ଘରେ ରାତି କାଟିବାକୁ ପଡ଼ୁଛି। ନିକଟରେ ଭୁବନେଶ୍ବରରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଭିଭିଆଇପିଙ୍କ ଗସ୍ତ ପୂର୍ବରୁ ଫିଲ୍ଡରୁ ଗୁଇନ୍ଦା ତଥ୍ୟ ସଂଗ୍ରହ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ନଦେଲେ କାର୍ଯ୍ୟକ୍ରମ ଆଗେଇ ପାରେ ନାହିଁ। ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ସ୍ପେସାଲ୍‌ ବ୍ରାଞ୍ଚ ଉପରେ ନିର୍ଭର କରୁଥିବା ବେଳେ ଅଧିକାରୀଙ୍କ ସ୍ଥାୟୀ ଓ ଅସ୍ଥାୟୀ ରହଣି ନେଇ ସାମାନ୍ୟ ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବ୍ରିଟିସ୍ ଅମଳରୁ ଆରମ୍ଭ ହୋଇଥିବା ଗୁଇନ୍ଦା ନିର୍ଦ୍ଦେଶାଳୟଙ୍କ କାର୍ଯ୍ୟାଳୟ କଟକ ବକ୍ସିବଜାରରେ ମହିଳା ଥାନା ନିକଟରେ ଥିଲା। ସେ ସମୟରେ ପୁଲିସ ମୁଖ୍ୟାଳୟ ପକ୍ଷରୁ ବକ୍ସିବଜାର, ଓଏମ୍‌ପି, ତୁଳସୀପୁରରେ ପ୍ରାୟ ୫୦ଟି କ୍ବାର୍ଟର୍ସ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧୀନରେ ଥିବା ସ୍ପେସାଲ୍‌ ବ୍ରାଞ୍ଚ ଅଧିକାରୀ ଓ କର୍ମଚାରୀଙ୍କୁ ଆବଣ୍ଟନ କରାଯାଇଥିଲା। ୨୦୧୦ ରେ ଗୁଇନ୍ଦା ନିର୍ଦ୍ଦେଶାଳୟ ଭୁବନେଶ୍ବର କେଶରୀନଗରକୁ ସ୍ଥାନାନ୍ତର କରାଯାଇଥିଲା। ସେତେବେଳେ ପୁଲିସ ଡିଜି ଥିଲେ ମନମୋହନ ପ୍ରହରାଜ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର୍‌.ପି. ସିଂହ ଏବଂ ସ୍ପେସାଲ ବ୍ରାଞ୍ଚ ଏସ୍‌ପି ଥିଲେ ନରସୁନ୍ଦର ମିଶ୍ର। ଭୁବନେଶ୍ବରରେ ସଚିବାଳୟ ଥିବାରୁ ଗୁରୁତ୍ବ ଦୃଷ୍ଟିରୁ ନିର୍ଦ୍ଦେଶାଳୟକୁ ସ୍ଥାନାନ୍ତର କରାଗଲା। କଟକରେ ଥିବା କ୍ବାର୍ଟର୍ସଗୁଡ଼ିକୁ ମରାମତି କରାଗଲା ନାହିଁ। ଏବେ ମାତ୍ର ୨୦ଟି କ୍ବାର୍ଟର୍ସ ରହିଛି ଓ ସେସବୁ ରହିବା ଉପଯୋଗୀ ହୋଇ ରହି ନାହିଁ। ଛାତରୁ ସିମେଣ୍ଟ ଖଣ୍ଡ ଖସୁଛି। କାନ୍ଥ ଫାଟିଗଲାଣି। ଡ୍ରେନେଜ୍ ସୁବିଧା ନାହିଁ। ଗଲା ବର୍ଷ ମରାମତି ପାଇଁ ଆଧୁନିକୀକରଣ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ତତ୍କାଳୀନ ସ୍ପେସାଲ୍‌ ବ୍ରାଞ୍ଚ ଏସ୍‌ପି-୧ ଚିଠି ଲେଖିଥିଲେ। କିନ୍ତୁ ବିଭାଗ ଶୁଣୁନାହିଁ। ଏହି କ୍ବାର୍ଟର୍ସ ସମସ୍ୟା ନେଇ ପୂର୍ବରୁ ସବୁ ଆଧୁନିକୀକରଣ ଏଡିଜିଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି କିନ୍ତୁ କେହି ଗୁରୁତ୍ବ ଦେଇନାହାନ୍ତି।

Advertisment

ଭିଭିଆଇପି ଡ୍ୟୁଟିରେ ଗଲେ ସମ୍ପର୍କୀୟଙ୍କ ଘରେ କଟୁଛି ରାତି
କର୍ମଚାରୀ ୮୦୦କୁ କ୍ବାର୍ଟର୍ସ ୨୦
ସ୍ପେସାଲ୍‌ ବ୍ରାଞ୍ଚ ଏସ୍‌ପିଙ୍କ ଚିଠିକୁ ଅଣଦେଖା

ଏବେ ରାଜ୍ୟରେ ସ୍ପେସାଲ୍‌ ବ୍ରାଞ୍ଚର ୧୨ ଜୋନ୍ କାର୍ଯ୍ୟାଳୟ ପାରାଦୀପ, କଟକ, ପୁରୀ, ବ୍ରହ୍ମପୁର, କୋରାପୁଟ, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ରାଉରକେଲା, ଅନୁଗୁଳ, ବାଲେଶ୍ବର, ଭୁବନେଶ୍ବରରେ ଥିବାବେଳେ ପ୍ରତି ଜିଲ୍ଲାରେ ଗୋଟିଏ କରି ୩୦ ଶାଖା କାର୍ଯ୍ୟାଳୟ ରହିଛି। ଏହା ସହିତ ଭୁବନେଶ୍ବରରେ ଥିବା ସ୍ପେସାଲ୍‌ ବ୍ରାଞ୍ଚ ନିର୍ଦ୍ଦେଶାଳୟକୁ ମିଶାଇ ମୋଟ ୮୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। କିନ୍ତୁ କଟକର ତିନୋଟି ସ୍ଥାନକୁ ବାଦ୍ ଦେଲେ ଆଶ୍ଚର୍ଯ୍ୟଜନକ ଭାବେ କୌଣସି ସ୍ଥାନରେ କ୍ବାର୍ଟର୍ସ ନାହିଁ। ଭଡ଼ାଘରେ ରହୁଛନ୍ତି ସ୍ପେସାଲ ବ୍ରାଞ୍ଚ କର୍ମଚାରୀ। ଭୁବନେଶ୍ବରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ କୌଣସି ଭିଭିଆଇପିଙ୍କ ଡ୍ୟୁଟି ପାଇଁ ସ୍ପେସାଲ ବ୍ରାଞ୍ଚ କର୍ମଚାରୀଙ୍କୁ ଜିଲ୍ଲାରୁ ଅଣାଗଲେ ଭୁବନେଶ୍ବରରେ ଏହି କର୍ମଚାରୀମାନେ ନାକେଦମ୍ ହେଉଛନ୍ତି। ଭୁବନେଶ୍ବରରେ ସେମାନଙ୍କ ରହଣି ପାଇଁ ଘର ଖଣ୍ଡେ ନାହିଁ। ଯେଉଁମାନେ ଆସୁଛନ୍ତି ସେମାନେ ହୋଟେଲ୍ କିମ୍ବା ସମ୍ପର୍କୀୟଙ୍କ ଘରେ ରାତି କାଟୁଛନ୍ତି। ସ୍ପେସାଲ୍‌ ବ୍ରାଞ୍ଚ ପକ୍ଷରୁ ପ୍ରତି ୨୪ ଘଣ୍ଟା ରହଣି ପାଇଁ ଗସ୍ତ ଖର୍ଚ୍ଚ ମାତ୍ର ୩୫୦ ଟଙ୍କା ମିଳୁଛି। ଭୁବନେଶ୍ବରରେ ହୋଟେଲ୍ ୧୨ଶହ ଟଙ୍କା ତଳକୁ ମିଳିବା କଷ୍ଟକର। ଏଭଳି ଦୟନୀୟ ସ୍ଥିତି ପାଇଁ ଜିଲ୍ଲାରୁ କର୍ମଚାରୀମାନେ ଆସିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ସରକାର କିମ୍ବା ସ୍ପେସାଲ୍‌ ବ୍ରାଞ୍ଚ ପକ୍ଷରୁ ରହିବା ନେଇ କୌଣସି ପ୍ରକାର ବ୍ୟବସ୍ଥା କରାଯାଉନାହିଁ। ନିକଟରେ ଭୁବନେଶ୍ବରରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଜିଲ୍ଲାସ୍ତରରୁ ୧୫୦ ସ୍ପେସାଲ୍‌ ବ୍ରାଞ୍ଚ କର୍ମଚାରୀ ଭୁବନେଶ୍ବର ଆସିଥିଲେ। ସେମାନଙ୍କ ରହିବା ପାଇଁ ବି ଏଥର କୌଣସି ବ୍ୟବସ୍ଥା ନଥିଲା। ଆଗକୁ ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ବର ଗସ୍ତ କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଏବେଠୁ ସ୍ପେସାଲ୍‌ ବ୍ରାଞ୍ଚର ଅଧିକାରୀମାନେ ଚିନ୍ତାରେ ପଡ଼ିଗଲେଣି।