କୋରାପୁଟ: କୋରାପୁଟରୁ ରାୟଗଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ଗୋଟିଏ ପୋଲ ଆଜି ଅପରାହ୍ନରେ ଭୁଶୁଡ଼ି ଯାଇଛି। ୩୨୬ନମ୍ବର ଜାତୀୟ ରାଜପଥର କୋରାପୁଟ ଜିଲ୍ଲା ଲେନ୍ଦିରିମାଳିଗୁଡା ଓ ବଙ୍ଗଳାଗୁଡା ନିକଟରେ ରହିଥିବା ଏହି ପୋଲ ପ୍ରାୟ ୫୦ବର୍ଷ ତଳେ ନିର୍ମାଣ ହୋଇଥିଲା। ଲଗାଣ ବର୍ଷାର ମାଡ଼ରେ ଦୁର୍ବଳ ହୋଇ ରହିଥିଲା। ଭାରୀଯାନ ଚଳାଚଳ କରିବାରୁ ଆପେଆପେ ଗୋଟିଏ ପାର୍ଶ୍ବ ଦବି ଯାଇଥିଲା। ଶେଷରେ ଓଜନ ସମ୍ଭାଳି ନ ପାରି ଆଜି ଅପରାହ୍ନରେ ଗୋଟିଏ ପାର୍ଶ୍ବ ସଂପୂର୍ଣ୍ଣ ଭୁଶୁଡ଼ି ଯାଇଛି। ଅନ୍ୟ ପାର୍ଶ୍ବ ଏବେ ଝୁଲିବା ଅବସ୍ଥାରେ ରହିଛି। ସୌଭାଗ୍ୟ ବଶତଃ ସେହି ସମୟରେ କୌଣସି ଗାଡ଼ି ପୋଲ ଉପରେ ନଥିଲା। ନଚେତ ବଡ଼ ଅଘଟଣ ଘଟିଥାନ୍ତା ବୋଲି କୁହାଯାଉଛି।
କୋରାପୁଟ ଜିଲ୍ଲା ସହ ରାୟଗଡ଼ା ଜିଲ୍ଲାକୁ ଯୋଡ଼ୁଥିଲା ଏହି ୪୦ଫୁଟ୍ ଓସାରିଆ ପୁରୁଣା ପୋଲ। ଛମାରୀ ନଦୀ ଉପରେ ୧୯୭୫ ମସିହାରେ ନିର୍ମାଣ କରାଯାଇଥିଲା। ଆଜି ସକାଳୁ ବି ପୋଲରେ ଯାତାୟାତ ସ୍ବାଭାବିକ ରହିଥିଲା। କିନ୍ତୁ ଅପରାହ୍ନରେ ହଠାତ୍ ପ୍ରଚଣ୍ଡ ଶବ୍ଦ କରି ଗୋଟିଏ ପାର୍ଶ୍ବ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକ ଶବ୍ଦ ଶୁଣିବା ପରେ ପୋଲ ନିକଟକୁ ଦୌଡ଼ିଥିଲେ। କିଛି ସେକେଣ୍ଡର ବିଳମ୍ବ ଯୋଗୁ ଗୋଟିଏ ଗ୍ୟାସ୍ ଟ୍ୟାଙ୍କର ଏବଂ ମହାପ୍ରୟାଣ ଗାଡ଼ି ଅଳ୍ପକେ ବର୍ତ୍ତି ଯାଇଥିଲା। କାରଣ ଉଭୟ ଗାଡ଼ି ପୋଲକୁ ଅତିକ୍ରମ କରିବା ପୂର୍ବରୁ ଏହି ଅଘଟଣ ଘଟିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ପୁଲିସ ଏବଂ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜିଲ୍ଲାପାଳ ଅବଦଲ ଏମ୍. ଅଖତର, ଏସ୍ପି ବରୁଣ ଗୁଣ୍ଟୁପାଲୀ, ଆର ଆଣ୍ଡ ବି ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଖୁରା ଓ କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ପହଞ୍ଚିଥିଲେ। ପୋଲର ଦୁଇ ପାର୍ଶ୍ବରେ ରହିଥିବା ଗାଡ଼ିକୁ ଅନ୍ୟ ରାସ୍ତାରେ ପଠାଇବା ବ୍ୟବସ୍ଥା କରିଥିଲେ। କୋରାପୁଟରୁ ବାହାରିଥିବା ଗାଡ଼ି ଗୁଡ଼ିକୁ ମସ୍ତିପୁଟ-ମହାଦେଇପୁଟ-ଆଲମଣ୍ଡା ଦେଇ ପୋଡାଗଡ ପଠାଯାଇଥିଲା। ସେହିପରି ରାୟଗଡ଼ା ପଟୁ ଆସୁଥିବା ଗାଡ଼ିକୁ ପୋଡାଗଡରୁ ସେମିଳିଗୁଡା ଯିବା ବ୍ୟବସଥା କରାଯାଇଥିଲା। ଏଣ୍ଡ ସ୍ପାନ୍ ଦୁର୍ବଳ ହୋଇଯାଇଥିବାରୁ ଭୁଶୁଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଜିଲ୍ଲାପାଳ ଅବଦଲ ଏମ୍. ଅଖତର କହିଛନ୍ତି, ଗାଡ଼ି ଚଳାଚଳକୁ ସ୍ବାଭାବିକ ରଖିବା ପାଇଁ ଦୁଇଟି ରୁଟ୍ରେ ଗାଡ଼ି ଗୁଡ଼ିକୁ ଛାଡ଼ିବା ବ୍ୟବସ୍ଥା କରାଯାଇଛି। ପୁଲିସକୁ ଆଲର୍ଟ ରହିବା ପାଇଁ କୁହାଯାଇଥିବାବେଳେ ବିଭାଗୀୟ ଯନ୍ତ୍ରୀ ତଦନ୍ତ କରି ରିପୋର୍ଟ ଦେବେ। ଲୋକଙ୍କ ସୁବିଧା ପାଇଁ ବିହିତ ପଦକ୍ଷେପ ନିଆଯାଉଥିବା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/654gdg654gd654gd65gd6gdgdgdga.jpg)