ଚର୍ଚ୍ଚାରେ ପୁଲିସ କନେଷ୍ଟବଳ ଦମ୍ପତି, ଚାକିରି କାଳରେ କମେଇଛନ୍ତି ବିପୁଳ ସମ୍ପତ୍ତି     

କେମିତି ଜାଣିପାରୁନାହାନ୍ତି ଅଧିକାରୀ?

ବାଲେଶ୍ବର: ଆଲିସାନ୍‌ ଘର, ନାମୀଦାମୀ ଗାଡ଼ି ଓ ବେନାମୀ ସମ୍ପତ୍ତି ପାଇଁ ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ୍‌ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ୍‌ଙ୍କ ନାଁ ଏବେ ପଡ଼ୁଛିଉଠୁଛି। ସେମିତି କଳାଧନ ଠୁଳ କରିବାରେ ସରକାରୀ କର୍ମଚାରୀ ବି ପଛରେ ନାହାନ୍ତି। ବାଲେଶ୍ବର ଅଙ୍ଗାରଗାଡ଼ିଆ ଅଞ୍ଚଳରେ ରହୁଥିବା ଏକ ପୁଲିସ ଦମ୍ପତି ସମାନ କାରଣରୁ ଏବେ ଚର୍ଚ୍ଚାରେ। କନେଷ୍ଟବଳ ଚାକିରି କରିଥିବା ଏହି ଦମ୍ପତିଙ୍କର ତ୍ରିତଳପ୍ରାସାଦ ଓ ବିଭିନ୍ନ ସ୍ଥାନରେ ରହିଥିବା ବେନାମୀ ସମ୍ପତ୍ତିକୁ ନେଇ ନିଜ ବିଭାଗର ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ। ‌ହେଲେ ଭାଇ ବିରାଦରୀ ନ୍ୟାୟରେ ଏହି ପୁଲିସ ଦମ୍ପତିଙ୍କୁ ନା ଭିଜିଲାନ୍‌ସ ନା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, କେହି ବି ହାତ ମାରୁନାହାନ୍ତି।

ଚାକିରି ସମୟ ମଧ୍ୟରେ ଏହି ପୁଲିସ ଦମ୍ପତି ବିଭିନ୍ନ ବେଆଇନ୍ ସୂତ୍ରରୁ ଅନେକ ଅର୍ଥ ଉପାର୍ଜନ କରିଛନ୍ତି। ସ୍ବାମୀ ବାଲେଶ୍ବର ସହରରେ ଟ୍ରାଫିକ୍‌ କନେଷ୍ଟବଳ ଓ ସ୍ତ୍ରୀ’ ମଧ୍ୟ କନେଷ୍ଟବଳ। ଉଭୟ ଅଙ୍ଗାରଗାଡ଼ିଆ ମୌଜାରେ ୨୩ ଲକ୍ଷ ଟଙ୍କାରେ ୬ ଡେସିମିଲ ଜାଗା କିଣିବା ସହ ବିନା ଋଣରେ ୭୦ ଲକ୍ଷ ଟଙ୍କାର ତ୍ରିତଳପ୍ରସାଦ ଠିଆ କରିଛନ୍ତି। ଏହି ଦମ୍ପତି ନିଜ ଡ୍ୟୁଟି ଠିକ୍‌ ଭାବେ କରୁନଥିବା ବେଳେ ଅଧିକାଂଶ ସମୟ ନିଜ ବ୍ୟକ୍ତିଗତ କାମରେ ବ୍ୟସ୍ତ ରହିଥାନ୍ତି। ସାହିପଡ଼ିଶା ଓ ଆଖପାଖ ଦୋକାନୀଙ୍କ ସହ ସବୁବେଳେ ପୁଲିସିଆ ଠାଣିରେ ଡରାଇ ଧମକାଇ କଥାବାର୍ତ୍ତା କରିଥାନ୍ତି। ଏମିତିକି ଘର ପାଖ ଦୋକାନଠାରୁ ଆରମ୍ଭ କରି ସହରର ଏକାଧିକ ଦୋକାନରୁ ବାକିରେ ସଉଦା ଓ ଜିନିଷପତ୍ର କିଣି ଏମାନେ ଦୋକାନୀଙ୍କୁ ଟଙ୍କା ଦିଅନ୍ତି ନାହିଁ। ଏହି ପୁଲିସ ଦମ୍ପତିଙ୍କ ଘର ପାଖରେ ପ୍ରତିଦିନ ଅପରାଧୀ ଗୋଷ୍ଠୀ ଆଡ୍ଡା ଜମାଇ ନିର୍ଭୟରେ ନିଶାଦ୍ରବ୍ୟ କାରବାର ଓ ନିଶାସେବନ କରୁଛନ୍ତି। ହେଲେ ପୁଲିସ କର୍ମଚାରୀ ହିସାବରେ କେବେ ଏହି ଦମ୍ପତି ପ୍ରତିବାଦ କରନ୍ତି ନାହିଁ କି ସ୍ଥାନୀୟ ଥାନାକୁ ଏ ବାବଦରେ ସୂଚନା ଦିଅନ୍ତିନି। କିଛି ମା‌ସ ତଳେ ସହରର ଏକ ବଡ଼ ଅପରାଧ ଘଟଣାରେ ସଂପୃକ୍ତ ଜଣେ ଯୁବକ ବିରୋଧରେ ପୁଲିସ ସର୍ଚ୍ଚ ୱାରେଣ୍ଟ୍‌ ଜାରି କରିଥିଲା। ଅଭିଯୁକ୍ତକୁ ଖୋଜିବା ପାଇଁ ପୁଲିସ ଆସିଥିବାବେଳେ ଏହି ଦମ୍ପତି ନିଜ ଘରେ ଆଣି ତାକୁ ଲୁଚାଇ ରଖିବା ସହ ବଦଳରେ ତାଙ୍କ ପରିବାରଠାରୁ ବିପୁଳ ଟଙ୍କା ନେଇଥିଲେ।

ଟ୍ରାଫିକ୍ ଡ୍ୟୁଟିରେ ଥାଇ କୁକୁଡ଼ା ଗାଡ଼ି, ଗୋରୁଚାଲାଣ ଗାଡ଼ି, ବାଲି ଓ ପଥର ବୋଝେଇ ଗାଡ଼ି ସମେତ ରାସ୍ତାକଡ଼ ପରିବା ବ୍ୟବସାୟୀଙ୍କଠାରୁ ବଟି ଆଦାୟ ଘଟଣାରେ ଉକ୍ତ କନେଷ୍ଟବଳ ସଂପୃକ୍ତ। ରେମୁଣା ଅଞ୍ଚଳରେ ସେ ଏମିତି ଉତ୍ପାତ କଲେ ଯେ ସ୍ଥାନୀୟ ଲୋକେ ତାଙ୍କ ବିରୋଧରେ ଉପରିସ୍ଥ ଅଧିକାରୀଙ୍କୁ ଫେରାଦ୍‌ ହୋଇଥିଲେ। ବାଲେଶ୍ବର ସହରର ଏକାଧିକ ସ୍ଥାନରେ ଏହି ଦମ୍ପତିଙ୍କ ନାଁରେ ଜାଗା ରହିଛି। ବିଭିନ୍ନ ବୀମା ସଂସ୍ଥାରେ ମାସିକ ହଜାର ହଜାର ଟଙ୍କା ପ୍ରିମିୟର ମଧ୍ୟ ଭରୁଛନ୍ତି ଏହି ଦମ୍ପତି। ତେବେ ଏତେ ଟଙ୍କା ସେମାନେ ପାଉଛନ୍ତି କେଉଁଠୁ, ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର