ଭଞ୍ଜନଗର : ରାଜ୍ୟର ଅନ୍ୟତମ ବୃହତ୍ ବନଖଣ୍ଡ ଗଞ୍ଜାମ ଜିଲ୍ଲା ଉତ୍ତର ଓ ଦକ୍ଷିଣ ଘୁମୁସରରେ ହାତୀପଲଙ୍କ ଚଳପ୍ରଚଳ ୧୨ ମାସ ଧରି ଲାଗି ରହିଥାଏ। ତେବେ ଗତ ୨୦ ଦିନ ଭିତରେ ଦୁଇ ଦୁଇଟି ଦନ୍ତାକୁ ହତ୍ୟା ବନ ବିଭାଗକୁ ଦୋହଲାଇଦେଇଛି। କିନ୍ତୁ କେବଳ ଶିକାରୀ ନୁହେଁ, ବିଦ୍ୟୁତ୍ ତାରରେ ଲାଗି ହାତୀଙ୍କ ମୃତ୍ୟୁ ଘଟଣା ବି ସାଂପ୍ରତିକ ପରିସ୍ଥିତିରେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଛି। ଆଜି ବି ହାତୀ ଚଳପ୍ରଚଳ କରୁଥିବା ଅନେକ ଇଲାକାରେ ବିଦ୍ୟୁତ୍ ତାର ଝୁଲି ରହିଥିବା ବେଳେ ଅନେକ ଟ୍ରାନ୍ସ୍ଫର୍ମର୍ ବି ବିପଦସଙ୍କୁଳ ଅବସ୍ଥାରେ ରହିଛି। ତାର ଗୁଡ଼ିକୁ ଆବରଣଯୁକ୍ତ (ଇନସ୍ୟୁଲେଟେଡ୍) କରାଯାଇପାରୁନି। କୌଣସି ତାରରେ ବି ଆବରଣଯୁକ୍ତ ତାର ଲାଗିନି। ଫଳରେ ବିଭିନ୍ନ ସମୟରେ ହାତୀଙ୍କ ଗତିବିଧି ଲାଗି ରହିଥିବା ବେଳେ ସୂଚନା ପାଇବା କ୍ଷଣି ବିଦ୍ୟୁତ୍ ବିଭାଗ ପକ୍ଷରୁ ସେମାନଙ୍କ ସୁରକ୍ଷାକୁ ନଜରରେ ରଖି କେବଳ ବିଦ୍ୟୁତ୍ କାଟ୍ କରାଯାଉଛି। ସବୁଠୁ ବଡ଼ କଥା ହେଉଛି, ବିଦ୍ୟୁତ୍ ଆଘାତରୁ ହାତୀଙ୍କୁ ସୁରକ୍ଷା ଦେବା ଲାଗି ବନ ବିଭାଗ ଓ ବିଦ୍ୟୁତ୍ ବିଭାଗ ମଧ୍ୟରେ ବହୁବାର ସମନ୍ବୟ ବୈଠକ ବସିବା ସହ ତାରର ଉଚ୍ଚତା ବଢ଼ାଇବା, ଝୁଲନ୍ତା ତାରକୁ ଟେକିବା ଓ ଦୁର୍ବଳ ପୋଲ ଗୁଡ଼ିକୁ ସୁଦୃଢ଼ କରିବାକୁ ଆକ୍ସନ୍ପ୍ଲାନ୍ ପ୍ରସ୍ତୁତ ହେଉଛି। ତଥାପି ଉଭୟ ବନଖଣ୍ଡରେ ବହୁବାର ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁକୁ ରୋକାଯାଇପାରୁନି। ପୂର୍ବରୁ ଏଭଳି ଅନେକ ଘଟଣାର ନଜିର୍ ରହିଛି।
୨୦୧୭ ମସିହା ମେ’ମାସରେ ଗଣନା ଅନୁଯାୟୀ ଉତ୍ତର ଘୁମୁସର ବନଖଣ୍ଡରେ ୧୪ଟି ହାତୀ ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ୪୪ଟି ହାତୀ ଥିଲେ। କିନ୍ତୁ ବର୍ତ୍ତମାନ ପଡ଼ୋଶୀ କନ୍ଧମାଳ, ନୟାଗଡ଼ ଓ ଖୋର୍ଦ୍ଧା ଡିଭିଜନରୁ ହାତୀପଲ ଏଠାକୁ ଆସୁଥିବାରୁ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ସେମାନଙ୍କ ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି। ଅଧିକାଂଶ ସମୟରେ ଖାଦ୍ୟ ଓ ପାଣି ପାଇଁ ଜନବସତିମୁହାଁ ହେଉଛନ୍ତି। କିନ୍ତୁ ବିଦ୍ୟୁତ୍ ବିଭାଗର ତାର ଜଙ୍ଗଲ ସାରା ବିଛାଇ ହୋଇ ରହିଛି। ଆକଳନ ଅନୁସାରେ ଦୁଇ ବନଖଣ୍ଡରେ ୨୫୮ କିମି ବ୍ୟାପୀ ତାର ଜଙ୍ଗଲ ଦେଇ ଯାଇଛି। ହେଲେ କୌଣସି ତାର ଆବରଣଯୁକ୍ତ ହୋଇ ନଥିବାରୁ ବେଆଇନ୍ ହୁକିଂ ମଧ୍ୟ ବଢ଼ୁଛି। ଏହାସହ ଅନେକ ସ୍ଥାନରେ ପୋଲ ନଇଁ ପଡ଼ିଥିବା ସହ କିଛି ସ୍ଥାନରେ ଟ୍ରାନ୍ସଫର୍ମର୍କୁ ଲାଗି ପାଚେରି ନିର୍ମାଣ ହୋଇଛି। ବିଭିନ୍ନ ଜମିରେ ମଧ୍ୟ ତାର ତଳକୁ ଝୁଲି ରହିଥିବା ଦେଖିବାକୁ ମିଳିଛି। ଏଥିପାଇଁ ଉଚ୍ଚା ବିଦ୍ୟୁତ ଖୁଣ୍ଟ ଲଗାଇବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି। ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼, ତାରସିଂ, ଜଗନ୍ନାଥପ୍ରସାଦ ଗାଲେରୀ ଓ କେନ୍ଦ୍ରୀୟ ବନାଞ୍ଚଳ ସହ ଦକ୍ଷିଣ ଘୁମୁସର ବନଖଣ୍ଡର ପୋଲସରା, ବଡ଼ଗଡ, ସୋରଡ଼ା ଓ ବୁଗୁଡା ବନାଞ୍ଚଳରେ ପ୍ରାୟତଃ ହାତୀଙ୍କ ଗତିବିଧି ଲକ୍ଷ୍ୟ କରାଯାଇଛି।
ଭଞ୍ଜନଗର ଡିଭିଜନ୍ ଟିପିଏସ୍ଓଡ଼ିଏଲ୍ ନିର୍ବାହୀ ଯନ୍ତ୍ରୀ ଇଂ.ଜଗତଜିତ୍ ଦାଶମହାପାତ୍ର କହିଛନ୍ତି, ହାତୀଙ୍କ ସୁରକ୍ଷା ପାଇଁ ପ୍ରତି ମାସରେ ବନ ବିଭାଗ ସହ ସମନ୍ବୟ ବୈଠକ ବସୁଛି। ବନ ବିଭାଗର ତଥ୍ୟ ଅନୁସାରେ, ସମସ୍ତ କାର୍ଯ୍ୟ ସଂପାଦନ ହେଉଥିବା ସହ ଭିତ୍ତିଭୂମି ଦୁର୍ବଳ ଥିବା ସ୍ଥାନ ଚିହ୍ନଟ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ହେଉଛି।
ଭଞ୍ଜନଗର ବିଦ୍ୟୁତ୍ ଡିଭିଜନ୍ ଅଧୀନରେ ଉତ୍ତର ଘୁମୁସର ଓ ଦକ୍ଷିଣ ଘୁମୁସର ବନଖଣ୍ଡର କିଛି ଅଂଶ ଥିବା ସହ ହାତୀ ସୁରକ୍ଷା ପାଇଁ ୩ଟି ପର୍ଯ୍ୟାୟରେ କାର୍ଯ୍ୟ ଶେଷ ହୋଇଛି। ୪ର୍ଥ ପର୍ଯ୍ୟାୟ ପାଇଁ ଅନୁଦାନ ଆସିଛି। ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷ ୩୯ ହଜାର ଟଙ୍କାର କାର୍ଯ୍ୟ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ କିଛି କାର୍ଯ୍ୟ ସରିଛି। ତୃତୀୟ ପର୍ଯ୍ୟାୟରେ ୧କୋଟି ୨୬ ଲକ୍ଷ ୫୧ ହଜାର ଟଙ୍କାର କାର୍ଯ୍ୟ ଜାରି ରହିଛି। ବିଭିନ୍ନ ସ୍ଥାନରେ ୨୬୦ଟି ପୋଲ ବସାଯାଇଛି। ୪ର୍ଥ ପର୍ଯ୍ୟୟରେ ଆସିଥିବା ଅନୁଦାନରେ ଉଭୟ ବନଖଣ୍ଡର ପ୍ରାୟ ୨୧ଟି ସ୍ଥାନରେ ୯୯୬ଟି ନୂତନ ପୋଲ ପୋତାଯିବ। ଟେଣ୍ଡର୍ ପ୍ରକ୍ରିୟା ଶେଷ ହେବା ପରେ କାମ ଆରମ୍ଭ ହେବ। ଏଥିସହ ଝୁଲି ରହିଥିବା ତାରକୁ ଟେକିବା, ଟ୍ରାନ୍ସଫର୍ମର୍ ଚାରିପଟେ ପାଚେରି ନିର୍ମାଣ ଓ ବିଦ୍ୟୁତ୍ ଖୁଣ୍ଟ ତଳଭାଗକୁ କଂକ୍ରିଟ୍ କରିବାକୁ ଯୋଜନା ରହିଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/୩୨-1.jpg)