ପଞ୍ଚାୟତିରାଜ ବିଭାଗ, ପିଡି, ବିଡ଼ିଓ, ଯନ୍ତ୍ରୀଙ୍କୁ ମୁଖ୍ୟସଚିବଙ୍କ ନିର୍ଦେଶ : ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡ ଦିଅ

ହିତାଧିକାରୀଙ୍କୁ ସଠିକ୍‌ ସମୟରେ କିସ୍ତି, ପ୍ରୋତ୍ସାହନ ନ ଦେଲେ ବି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଆଜି ହୋଟେଲ୍‌ ମେ’ ଫେୟାରରେ ଅନୁଷ୍ଠିତ ଗ୍ରାମ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ(ପିଡି), ବିଡିଓ ଓ ପାନୀୟଜଳ ଯନ୍ତ୍ରୀମାନଙ୍କର ଦୁଇଦିନିଆ ମିଳିତ କର୍ମଶାଳାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଗୃହ ନିର୍ମାଣ, ପାନୀୟଜଳ, ପାଇଖାନା ନିର୍ମାଣ ଓ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟାନ୍ଵୟନରେ କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବାକୁ ଉଭୟ ପଞ୍ଚାୟତିରାଜ ବିଭାଗ ଓ ପ୍ରକଳ୍ପ ନିର୍ଦେଶକମାନଙ୍କୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଛନ୍ତିି।

ଗ୍ରାମୀଣ ଗୃହ ଯୋଗାଣ ଯୋଜନା ଏବଂ ଦୀନ ଦୟାଲ୍‌ ଉପାଧ୍ୟାୟ କୌଶଳ ବିକାଶ ଯୋଜନା କାର୍ଯ୍ୟାନ୍ଵୟନରେ ଓଡ଼ିଶାକୁ ଜାତୀୟ ସ୍ତରରେ ଏକ ନମ୍ବର ସ୍ଥାନରେ ପହଞ୍ଚାଇଥିବାରୁ ମୁଖ୍ୟ ସଚିବ ପିଡି ଓ ବିଡିଓମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଲେ, ବର୍ତମାନ ସୁଦ୍ଧା ରାଜ୍ୟରେ ୧୭.୭୧ ଲକ୍ଷ ଗ୍ରାମୀଣ ଗୃହ ନିର୍ମାଣ ସରିଛି। ୨୦୧୮ ଅକ୍ଟୋବର ୨ ତାରିଖ ସୁଦ୍ଧା ୨୦ ଲକ୍ଷ ଗୃହ ନିର୍ମାଣ ଲକ୍ଷ୍ୟ ପୂରଣ କରିବାକୁ ହେଲେ ନିର୍ମାଣ ହାର ବୃଦ୍ଧି କରିବାକୁ ହେବ। ଏହି ପରିପ୍ରେକ୍ଷୀରେ ଆସନ୍ତା ଜୁଲାଇ ୫ ତାରିଖ ସୁଦ୍ଧା ଜିଲ୍ଲାସ୍ତରୀୟ କମିଟି ଜରିଆରେ ବିଜୁ ପକ୍କାଘର ହିତାଧିକାରୀ ତାଲିକା ଚୂଡ଼ାନ୍ତ କରିବାକୁ ସେ ନିର୍ଦେଶ ଦେଇଥିଲେ। ତେବେ ସଠିକ୍‌ ସମୟରେ ହିତାଧିକାରୀମାନଙ୍କୁ ଗୃହ ନିର୍ମାଣ କିସ୍ତି ଓ ନିର୍ଧାରିତ ସମୟରେ ଗୃହ ନିର୍ମାଣ ସାରିଥିବା ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କ୍ଷେତ୍ରରେ ଅବହେଳା ନ କରିବାକୁ ସେ ନିର୍ଦେଶ ଦେଇଥିଲେ।

ପାଇଖାନା ନିର୍ମାଣ ସଂପର୍କରେ ମୁଖ୍ୟ ସଚିବ କହିଲେ, ବର୍ତମାନ ସୁଦ୍ଧା ରାଜ୍ୟରେ ୫୦ ପ୍ରତିଶତ ପରିବାରଙ୍କର ଘରୋଇ ପାଇଖାନା ନିର୍ମାଣ ସରିଛି। କୌଶଳ ବିକାଶ ଯୋଜନାରେ ତାଲିମପ୍ରାପ୍ତ ୯୫୨୧୮ଜଣ ଯୁବକ ଯୁବତୀଙ୍କ ମଧ୍ୟରୁ ୫୩୨୬୯ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିଛି। ଏ କ୍ଷେତ୍ରରେ ରାଜ୍ୟ ଲଗାତାର ଦୁଇବର୍ଷ ଧରି ଏକ ନମ୍ବର ସ୍ଥାନ ଅଧିକାର କରିଆସୁଛି। ‘ଆମ ଗାଁ ଆମ ବିକାଶ’ ଯୋଜନାରେ ଚଳିତ ବର୍ଷ ୧୨୫୦ କୋଟିର ବ୍ୟୟବରାଦ କରାଯାଇଛି। ପିଡି ଓ ବିଡିଓମାନଙ୍କ ଉପରେ ରାଜ୍ୟର ୮୦ ପ୍ରତିଶତ ଲୋକଙ୍କର ଜୀବନ, ଜୀବିକା ଜଡ଼ିତ ଥିବାରୁ ଜନସାଧାରଣଙ୍କ ଅସୁବିଧା ଦୂର କରି ସମାଜରେ ସନ୍ତୋଷ-ସ୍ତର ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଥିଲେ।

କର୍ମଶାଳା ସଂପର୍କରେ ସୂଚନା ଦେଇ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ କହିଲେ, ଏହା ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ସେହିପରି ବିଭାଗୀୟ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଏସ୍‌.ଏନ୍‌.ଗିରୀଶ, ମିସନ ନିର୍ଦେଶିକା ରୂପା ମିଶ୍ର, ନିର୍ଦେଶକ ସ୍ମୃତିରଂଜନ ପ୍ରଧାନ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଉତ୍ତମ କାର୍ଯ୍ୟ ପାଇଁ କେନ୍ଦୁଝର ଗ୍ରାମୀଣ ଜଳ ଯୋଗାଣ ଡିଭିଜନ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦୟାନିଧି ସାହୁ ଓ ବାଲେଶ୍ୱର ସର୍କଲର ଅଧୀକ୍ଷଣ ଯନ୍ତ୍ରୀ ସର୍ବେଶ୍ୱର ବାରିକଙ୍କୁ ପ୍ରକଳ୍ପ ପ୍ରସ୍ତୁତି, କାର୍ଯ୍ୟାନ୍ଵୟନ ଏବଂ ସଂପାଦନା ନିମନ୍ତେ ମୁଖ୍ୟ ସଚିବ ସମ୍ବର୍ଧିତ କରିଥିଲେ। ଏହି କର୍ମଶାଳାରେ ୪୫୦ରୁ ଅଧିକ ଅଧିକାରୀ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର