ବିଦ୍ୟାଳୟ ଉନ୍ନୟନ ପ୍ରକଳ୍ପ: ଛାତ୍ରଛାତ୍ରୀଙ୍କୁ ମିଳିବ ବିଶ୍ବସ୍ତରୀୟ ଶିକ୍ଷା ଅନୁଭୂତି

ଓମ୍ବାଡ୍‌ସି ପାଣ୍ଠିରେ ୬୪୦.୬୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିକାଶ, ସହରାଞ୍ଚଳରେ ଗୃହଭିତର(ଇନଡୋର୍) ଷ୍ଟାଡିୟମ ପ୍ରତିଷ୍ଠା ଓ ପରିବେଶ ସୁରକ୍ଷା ପରିଚାଳନା ପାଇଁ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ(ଓମ୍ବାଡସି) ପାଣ୍ଠିରେ ୬୪୦.୬୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇଛି। ନୂତନ ପ୍ରକଳ୍ପରେ ସ୍ମାର୍ଟ ଶ୍ରେଣୀ ଗୃହ, ଇ-ଲାଇବ୍ରେରି, ଆଇସିଟି ପରୀକ୍ଷାଗାର ଆଦି ବ୍ୟବସ୍ଥା ବିକଶିତ କରାଯିବ। ତେଣୁ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ବିଶ୍ବସ୍ତରୀୟ ଶିକ୍ଷାର ଅନୁଭୂତି ମିଳିପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ନିଗମର ନି‌ର୍ଦେଶକ ପରିଷଦ‌ ବୈଠକ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ନିଗମର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ନନ୍ଦୁରୀ ପ୍ରକଳ୍ପଗୁଡ଼ିକର ଆବଶ୍ୟକତା, ପାଣ୍ଠି ଓ କାର୍ଯ୍ୟାନ୍ବୟନ ସମ୍ବଧିତ ବିଷୟ ଆଲୋଚନା କରିଥି‌ଲେ। ଛାତ୍ରଛାତ୍ରୀଙ୍କୁ ବିଶ୍ବସ୍ତରୀୟ ଶିକ୍ଷା ଦେବା ଲାଗି ଶିକ୍ଷକମାନେ ଯତ୍ନବାନ ହେବା ଦରକାର। ଯାହାଫଳରେ ସରକରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପାସ୍ କରୁଥିବା ଛାତ୍ରଛାତ୍ରୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତାର ସହ ପ୍ରତିଯୋଗିତା କରିପାରିବେ। ଏହି ପ୍ରକଳ୍ପ ଜରିଆରେ ଭଲ ଖେଳ ପଡ଼ିଆ, ବିଦ୍ୟାଳୟରେ ଏକ ଆନନ୍ଦମୟ ପରିପାର୍ଶ୍ବ, ଶୈକ୍ଷିକ ପରିବେଶ ଆଦି ବିକଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ନନ୍ଦୁରୀ କହିଥିଲେ ଯେ ଏହି ପ୍ରକଳ୍ପରେ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ୮୮୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ରୂପାନ୍ତରିତ କରାଯିବ। ଏଥିପାଇଁ ୫୩୩.୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଖଣିଜ ଅଞ୍ଚଳ ଅଧୀନରେ‌ ୧୧ଟି ସହରାଞ୍ଚଳରେ ବହୁମୁଖୀ-ଇନଡୋର୍‌ ଷ୍ଟାଡିୟମ ନିର୍ମାଣ ପାଇଁ ସମୁଦାୟ ୧୦୪.୧୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇଛି। ସହରାଞ୍ଚଳରେ ୯ଟି ପୌର ନିଗମ ଓ ୨ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି। ବେଲ ପାହାଡ଼, ବ୍ରଜରାଜନଗର, ଆନନ୍ଦପୁର, ବଡ଼ବିଲ, ଯୋଡ଼ା, ବୀରମିତ୍ରପୁର, ରାଜଗାଙ୍ଗପୁର, ରାଉରକେଲା ଓ ବ୍ୟାସନଗର ପୌର ନିଗମ ସାମିଲ ରହିଛି। ଏହି ଭିତ୍ତିଭୂମିର ସର୍ବୋତ୍ତମ ବ୍ୟବହାର କରି ଖଣିଜ ଅଞ୍ଚଳର ଯୁବକ/ଯୁବତୀଙ୍କୁ ଖେଳ ବୌଦ୍ଧିକତା ଓ ଖେଳ-କୌଶଳ ବିକଶିତ କରାଇବା ପାଇଁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗକୁ ନିର୍ଦେଶ ଦିଆଯାଇଛି।

ଖଣି ଅଞ୍ଚଳରେ ପରିବେଶ ପରିଚାଳନା ବ୍ୟବସ୍ଥାରେ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ଓ ତଥ୍ୟ ଅନୁଶୀଳନର ପ୍ରଯୋଗ ପାଇଁ ୩.୧ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଖଣି ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ଓ ଖଣିଜ ପରିଚାଳନାରେ ତଥ୍ୟ ଭିତ୍ତିକ ନିଷ୍ପତ୍ତି ନେବାରେ ଏହି ପ୍ରକଳ୍ପ ସହାୟକ ହୋଇପାରିବ। ବୈଠକରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶିଶିର କୁମାର ରଥ, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, କ୍ରୀଡ଼ା ଓ ଯୁବ ବ୍ୟାପାର ଶାସନ ସଚିବ ଭିନିଲ କ୍ରିଷ୍ଣ‌ା, ରାଜ୍ୟ ପ୍ରଦୂଷଣ ବୋର୍ଡ ସଦସ୍ୟ ସଚିବ କେ.ମୁରୁଗେସାନଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର