ପୁରୀ: ଆଗରେ ପୂଜା ଦୋକାନ, ପଛରେ ଖୋଲିଥିଲା ବାଣ ଗୋଦାମ। ବାଣ ପ୍ରସ୍ତୁତି ସହ ଚାଲିଥିଲା ବାଣ ବିକ୍ରି। ଜିଲ୍ଲା ଓ ଜିଲ୍ଲା ବାହାରୁ ଗ୍ରାହକ ଆସି ବାଣ କିଣି ନେଉଥିଲେ। ଆଜି କୁମ୍ଭାରପଡ଼ା ଥାନା ନବକଳେବର ରୋଡ୍‌ରୁ ଏହି ବେଆଇନ ବାଣ ଗୋଦାମକୁ ଠାବ କରିଛି ପୁଲିସ। ଅଚାନକ ଚଢ଼ଉ ପରେ ସେଠାରୁ ବିପୁଳ ପରିମାଣର ବାରୁଦ ସହ ବାଣ ଜବତ କରାଯାଇଛି। ବିସ୍ଫୋରଣ ଭୟ ଥିବାରୁ ଅଗ୍ନିଶମ ବିଭାଗ କର୍ମଚାରୀ ତତ୍କାଳ ଏହା ଉପରେ ପାଣି ପକାଇ ଅକାମୀ କରିଛନ୍ତି। ଏହି ଘଟଣାରେ କୁମ୍ଭାରପଡ଼ା ପୁଲିସ ବାଣ ବେପାରୀ ଅଜିତ ସେନାପତିଙ୍କୁ ଗିରଫ କରିଛି। ଏତେ ପରିମାଣର ବାଣ ଓ ବାରୁଦ ଜବତ ହୋଇଛି ଯେ ସନ୍ଧ୍ୟା ସୁଦ୍ଧା ପୁଲିସର ହିସାବ ସରି ନଥିଲା। ବଡ଼କଥା ହେଉଛି, ବାଣ ଦୋକାନକୁ ଲାଗି ଛୋଟ ପିଲାଙ୍କର ଏକ ପ୍ଲେ ସ୍କୁଲ୍‌ ଚାଲିଥିଲା। ଯେଉଁଠିକୁ ବହୁ ସଂଖ୍ୟାରେ କୁନିକୁନି ପିଲା ପାଠ ପଢ଼ିବାକୁ ଆସୁଥିଲେ। 

Advertisment

ପୁଲିସ ଆଖି ଟେରା, ଜେଲ୍‌ ଗଲେ ଅଭିଯୁକ୍ତ ବାଣ ବ୍ୟବସାୟୀ

ପୁରୀ ଅଠରନଳା ନିକଟ ନବକଳେବର ରୋଡ୍‌ରେ ଅବସରପ୍ରାପ୍ତ ଡିଏସ୍‌ପି ସ୍ବର୍ଗତ ଚକ୍ରଧର ମହାପାତ୍ରଙ୍କ ଘର ରହିଛି। ଯାହାକୁ ପୁଅ ସନ୍ତୋଷ ମହାପାତ୍ର ଭଡ଼ା ସୂତ୍ରରେ ଦେଇଛନ୍ତି। ବାଣ ବ୍ୟବସାୟୀ ଅଜିତ ପ୍ରାୟ ଦୁଇବର୍ଷ ହେଲା ସନ୍ତୋଷଙ୍କ କିଛି ଘରକୁ ଭଡ଼ା ସୂତ୍ରରେ ନେଇଥିଲେ। ଯେଉଁଥିରେ ସେ ପୂଜା ସାମଗ୍ରୀ ଦୋକାନ କରିଛନ୍ତି। ହେଲେ ସେସବୁ କେବଳ ବାହାନା ପାଇଁ ଉଦ୍ଦିଷ୍ଟ ଥିଲା। ଦୋକାନ ଆଗରେ ପୂଜାସାମଗ୍ରୀ ଦୋକାନ ଖୋଲି ପଛ ପଟେ ବାଣର ଭଣ୍ଡାର ଖୋଲିଥିଲେ ଅଜିତ।

ଏକାଧିକ ଘରେ ବାଣ ଭର୍ତ୍ତି ରଖି ଜିଲ୍ଲା ଓ ଜିଲ୍ଲା ବାହାର ବେପାରୀଙ୍କୁ ବିକ୍ରି କରୁଥିଲେ। ଖାଲି ସେତିକି ନୁହେଁ, ଏଠାରେ ବାଣ ପ୍ରସ୍ତୁତି ବି ଚାଲିଥିଲା। ଆଜି ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ସାହୁଙ୍କ ତତ୍ତ୍ବାବଧାନରେ କୁମ୍ଭାରପଡ଼ା ଥାନା ପୁଲିସ ଓ ଅନ୍ୟମାନେ ଚଢ଼ଉ କରିବା ବେଳେ ଅଜିତଙ୍କ କଳା କାରନାମା ଦେଖି ଚକିତ ହୋଇ ଯାଇଥିଲେ। ସେଠାରୁ ୨ ଡାଲା ଅଟୋ ଓ ଏକ ୪୦୭ ଭର୍ତ୍ତି ବାରୁଦ ଟ୍ରକ, ତିନିଟି ଟାଟା ଏସିଇ ଭର୍ତ୍ତି ବାଣ ଜବତ କରାଯାଇଥିଲା। ବାଣ ପ୍ରସ୍ତୁତିରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀକୁ ବି ପୁଲିସ ଜବତ କରିଛି। ଅଭିଯୁକ୍ତ ବାଣ ବ୍ୟବସାୟୀଙ୍କୁ କୋର୍ଟଚାଲାଣ କରାଯାଇଛି। ସ୍ଥାନୀୟ ଲୋକେ ବି ଏହା ଦେଖି ଆଚମ୍ବିତ ହୋଇଛନ୍ତି। ପୂଜାସାମଗ୍ରୀ ଦୋକାନ କରି ଲୋକଙ୍କୁ ବର୍ଷ ବର୍ଷ ଧରି ଭଣ୍ଡାଇ ଆସୁଥିବା ଏବଂ ଲୋକଙ୍କୁ ବିପଦ ଭିତରେ ରଖିଥିବା ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।