ସମ୍ବଲପୁରରେ ଖୋଲିଲା ଆହାର କେନ୍ଦ୍ର, ଏସ୍ଏଚ୍ଜିଙ୍କୁ ମିଳିଲା ନୂଆ ଦାୟିତ୍ବ
ବିନା ନୋଟିସ୍ରେ ପୁରୁଣା କର୍ମଚାରୀଙ୍କୁ ଛଟେଇ
ସମ୍ବଲପୁର: ଲକ୍ଡାଉନ୍ ପାଇଁ ଏପ୍ରିଲ ମାସରୁ ଆହାର କେନ୍ଦ୍ରଗୁଡ଼ିକ ବନ୍ଦ ହୋଇ ରହିଥିବା ସମୟରେ ସୋମବାର ଠାରୁ ଜେଲ୍ ଛକ ଓ ଲକ୍ଷ୍ମୀଟକିଜସ୍ଥିତ ଆହାର କେନ୍ଦ୍ର ଖୋଲାଯାଇଛି। ପ୍ରାଥମିକ ଅବସ୍ଥାରେ ଦିନକୁ ଶହେଟି ଲେଖାଏ ମିଲ୍ କରାଯାଇଥିବା ସମୟରେ ଲୋକଙ୍କ ଚାହିଦା ବଢ଼ିଲେ ମିଲ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଏସ୍ଏମ୍ସି ପକ୍ଷରୁ କୁହାଯାଇଛି। ଅନ୍ଲକ୍-୨ ପରେ ହୋଟେଲ, ରେସ୍ତୋରାଁ ଖୋଲାଯିବା ସତ୍ତ୍ବେ ଆହାର କେନ୍ଦ୍ର ଖୋଲୁନଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଉଥିଲା। ତେବେ ଉଦ୍ୟାନକୃଷି ବିଭାଗ ନିକଟସ୍ଥ ଆହାର କେନ୍ଦ୍ର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇନଥିବା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଭିଡ୍ ହସ୍ପିଟାଲରେ ପରିବର୍ତ୍ତିତ ହୋଇଥିବାରୁ ସେଠାକାର ଆହାର କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯାଇଛି।
ସମ୍ବଲପୁରରେ ସୋମବାରଠାରୁ ପ୍ରଥମ ଥର ପାଇଁ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ବ ଦିଆଯାଇଛି। ଜେଲ୍ ଛକ, ଲକ୍ଷ୍ମୀ ଟକିଜ ଛକ ଓ ବୁର୍ଲାର ୩ଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଆହାର କେନ୍ଦ୍ରର ସମସ୍ତ ପରିଚାଳନା କରୁଛନ୍ତି। ସୋମବାର ଆହାର କେନ୍ଦ୍ର ଖୋଲିବା ପରେ ଉଭୟ କେନ୍ଦ୍ରରେ ଗ୍ରାହକଙ୍କ ବେଶ୍ ଭିଡ଼ ଜମିଥିଲା।
ବିନା ନୋଟିସ୍ରେ ପୁରୁଣା କର୍ମଚାରୀଙ୍କୁ ଛଟେଇ
ସମ୍ବଲପୁର ଆହାର କେନ୍ଦ୍ର ପରିଚାଳନାରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କୁ ବିନା ନୋଟିସ୍ରେ ଛଟେଇ କରି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ବ ଦିଆଯିବା ଘଟଣାକୁ କର୍ମଚାରୀମାନେ ବିରୋଧ କରିଛନ୍ତି। ୱାର୍ଡ ନଂ ୬, ୨୩, ୨୫, ୩୧ ଓ ୩୨ରେ ରହିଥିବା ଆହାର କେନ୍ଦ୍ରଗୁଡ଼ିକରେ କାମ କରୁଥିବା ୪୦ ଜଣ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଗୃ୍ହ ଓ ନଗର ଉନ୍ନୟନ ବିଭାଗର ନିର୍ଦେଶ ଅନୁସାରେ ଛଟେଇ କରାଯାଇଛି। ତେବେ ବିଭାଗ ପକ୍ଷରୁ ଗତ ମେ’ ୨୧ ତାରିଖରୁ ଚିଠି ସଂଖ୍ୟା ୯୪୯୩/ଏଚ୍ୟୁଡି ଯୋଗେ ଏନେଇ ସୂଚନା ପ୍ରଦାନ କରାଯାଇଥିଲେ ହେଁ ପରିଚାଳନାକାରୀ ସଂସ୍ଥା ମାନ୍ନା ଟ୍ରଷ୍ଟ କର୍ମଚାରୀଙ୍କୁ ଏନେଇ ସୂଚିତ କରିନଥିଲେ। ସୋମବାର ଏହି ୪୦ କର୍ମଚାରୀ କାମକୁ ଯିବା ପରେ ସେମାନଙ୍କୁ ଛଟେଇ କରାଯାଇଥିବା ଜଣାପଡ଼ିଥିଲା। କରୋନା ସମୟରେ କର୍ମଚାରୀ ସଂଖ୍ୟା କମାଯିବା ପରେ ଏହି କର୍ମଚାରୀମାନେ ମାସକୁ ୧ ହଜାର ଟଙ୍କାରେ କାମ କରିଥିଲେ। କିନ୍ତୁ ସ୍ଥିତି ସୁଧୁରିବା ପରେ ସେମାନଙ୍କୁ ଏଭଳି କାଢ଼ିଦିଆଯିବା ଘଟଣାକୁ ସେମାନେ ବିରୋଧ କରିଥିଲେ। ଏନେଇ ଛଟେଇ କର୍ମଚାରୀମାନେ ସୋମବାର ସମ୍ବଲପୁର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ।