ଅସମ୍ଭବକୁ ସମ୍ଭବ କରି ଦେଖାଇଲେ କମଳାକାନ୍ତ: ହ୍ୱିଲ୍ ଚେୟାର୍ରେ ବିରଳ କୀର୍ତ୍ତିମାନ୍
୨୪ ଘଣ୍ଟାରେ ଅତିକ୍ରମ କଲେ ୨୧୫.୪ କିମି, ‘ଗିନିଜ୍’ ରେକର୍ଡରେ ସ୍ଥାନ ପାଇଁ ଆବେଦନ
ଭୁବନେଶ୍ୱର : ଦଣ୍ଡେ ନିଶ୍ୱାସ ମାରିବାକୁ ବି ସମୟ ନଥିଲା। ରାତିର ନିର୍ଜନତାରେ ପୂରା ରାଜଧାନୀରେ ନିରବତା ଛାଇ ଯାଇଥିବା ବେଳେ ତାଙ୍କ ହ୍ବିଲ୍ଚେୟାର୍ କିନ୍ତୁ କଥା କହୁଥିଲା। କି’ ଦିନ, କି’ ରାତି; ଶୀତ, କାକର କିମ୍ବା ସୂର୍ଯ୍ୟଙ୍କ କୋପ ବି ତାଙ୍କୁ ନିମିଷକ ପାଇଁ ଅଟକାଇ ପାରି ନଥିଲା। ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସଂକଳ୍ପ ପୂରା ନହେବା ପର୍ଯ୍ୟନ୍ତ ସେ ଗତ ୨୪ ଘଣ୍ଟା ଧରି ଅହରହ ସଂଗ୍ରାମ କରି ଚାଲିଥିଲେ। ଶେଷରେ ତାଙ୍କ ଅକ୍ଲାନ୍ତ ପରିଶ୍ରମ, ଅଦମ୍ୟ ସାହସ ଅସମ୍ଭବକୁ ସମ୍ଭବ କରି ଦେଖାଇଲା। ବିଶ୍ବ ରେକର୍ଡରେ ନୂଆ କୀର୍ତ୍ତିମାନ ସ୍ଥାପନ କରି ଗତକାଲି ପର୍ଯ୍ୟନ୍ତ ଅଜଣା, ଅଚିହ୍ନା ଥିବା ଚେହେରା ଆଜି ସମସ୍ତଙ୍କର ପ୍ରିୟର ପାତ୍ର ପାଲଟିଗଲେ। ଏ ହେଉଛି, ପୁରୀ ଜିଲ୍ଲା ନିବାସୀ ବ୍ୟାଙ୍ଗ କମଳାକାନ୍ତ ନାୟକ (୨୮)ଙ୍କ ସଫଳତାର କାହାଣୀ। ଗତ ୨୪ଘଣ୍ଟା ମଧ୍ୟରେ ହ୍ବିଲଚେୟାର୍ରେ ୨୧୫.୪ କିମି ଯାତ୍ରା କରି ସେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ଏହି କୃତି ଖୁବ୍ଶୀଘ୍ର ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍ରେ ସ୍ଥାନ ପାଇବାକୁ ଯାଉଛି। ଏଥିପାଇଁ ଆୟୋଜକ ବେଟର୍ଲାଇଫ୍ ଫାଉଣ୍ଡେସନ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ସବୁ ଠିକ୍ଠାକ୍ ରହିଲେ, କମଳାକାନ୍ତ ପ୍ରଥମ ଓଡ଼ିଆ ଦିବ୍ୟାଙ୍ଗ ଭାବେ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନ ପାଇବେ। ପୂର୍ବରୁ ୨୪ ଘଣ୍ଟାରେ ୧୮୨.୪ କିମି ଅତିକ୍ରମ କରି ପର୍ତୃଗାଲର ମାରିଓ ତ୍ରିନିଦାଦ(୧୬) ଏହି ରେକର୍ଡର ଅଧିକାରୀ ହୋଇଥିଲେ।
ବାସ୍କେଟ୍ ବଲ୍ ଖେଳରେ ରୁଚି ରଖୁଥିବା କମଳାକାନ୍ତ ଜନ୍ମରୁ ଦିବ୍ୟାଙ୍ଗ ନଥିଲେ। ଖେଳୁଥିବା ବେଳେ ୨୦୧୪ ଡିସେମ୍ବର ୨୧ରେ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିଲା। ପରିବାରଲୋକ ତାଙ୍କର ଅସ୍ତ୍ରୋପଚାର କରାଇଥିଲେ ହେଁ ତାଙ୍କ ଦୁଇଗୋଡ଼ ସବୁଦିନ ପାଇଁ ଅକାମି ହୋଇଯାଇଥିଲା। ସେ ଆଉ ଜୀବନସାରା ଚାଲି ପାରିବେ ନାହିଁ ବୋଲି ଡାକ୍ତର କହିଥିଲେ। ଏହା ତାଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲେ। ଏମିତି ପଡ଼ିପଡ଼ି ଜୀବନ ଜଇଁବା ଅପେକ୍ଷା ଜୀବନ ହାରିଦେବା ଭଲ ବୋଲି ବିଚାର କରି ବାରମ୍ବାର ଆତ୍ମହତ୍ୟା କରିବା ପାଇଁ ସୁଯୋଗ ଖୋଜୁଥିଲେ। କିନ୍ତୁ ପରିବାରଲୋକଙ୍କ ସହଯୋଗ ଓ ବଡ଼ ଭଉଣୀଙ୍କ ଅଦ୍ୟମ ଚେଷ୍ଟା ତାଙ୍କୁ ଏ ଚରମ ପଦକ୍ଷେପରୁ ବଞ୍ଚାଇଥିଲା। ବଡ଼ ଭଉଣୀ ତାଙ୍କୁ ମାନସିକସ୍ତରରେ ବଳ ଯୋଗାଇବା ସହ ସମାଜରେ କିଛି ଭିନ୍ନ କରି ଦେଖାଇବା ପାଇଁ ପ୍ରେରଣା ଦେଇଥିଲେ। ତାଙ୍କ ଚିକିତ୍ସା କରୁଥିବା ଡାକ୍ତର ପିପି ମହାନ୍ତି ମଧ୍ୟ ତାଙ୍କୁ ସାହସ ଦେଇଥିଲେ। କିଛି ଦିନ ପରେ ସେ ହୁଇଲ୍ ଚେୟାର୍ରେ ରାସ୍ତାରେ ବୁଲାବୁଲି କରିବା ଆରମ୍ଭ କରିଥିଲେ। ପରେ ବେଟର୍ ଲାଇଫ୍ ଫାଉଣ୍ଡେସନ୍ର ଚେୟାରମ୍ୟାନ୍ ଦୁର୍ଗାପ୍ରସାଦ ପଟ୍ଟନାୟକଙ୍କ ଦ୍ବାରା ପ୍ରେରିତ ହୋଇ ଓଡ଼ିଶାରେ ପ୍ରଥମ କରି ହୁଇଲ୍ ଚେୟାର ବାସ୍କେଟ୍ ବଲ୍ ଆରମ୍ଭ କରିଥିଲେ।
ହୁଇଲ୍ ଚେୟାର୍ରେ ଅଭ୍ୟସ୍ତ ହୋଇଯିବା ପରେ ଗିନିଜ୍ ବୁକ୍ ରେକର୍ଡର ନିଶା ତାଙ୍କୁ ଘାରିଥିଲା। ପ୍ରଥମେ ସେ ଚିକିତ୍ସା ହେଉଥିବା ସ୍ଥାନ ଓଲଟପୁର୍ରୁ ପୁରୀକୁ ଶହେ କିଲୋମିଟର ୧୨ ଘଣ୍ଟା ଭିତରେ ଯାତ୍ରା କରି ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସେ ୨୪ଘଣ୍ଟା ଭିତରେ ୨ଶହ କିମି ଯାତ୍ରା କରିପାରିବେ ବୋଲି ଦୃଢ଼ମନସ୍କ ହୋଇଥିଲେ। ସେହି ସମୟରୁ ଦିନ ରାତି ଏକକରି ଅଭ୍ୟାସ କରିଥିଲେ। ଆଜି ତାକୁ ସଫଳତାର ସହ ସଂପାଦନ କରି ସେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି। କମଳାକାନ୍ତଙ୍କ ଏହି କୀର୍ତ୍ତିମାନ ଦେଖିବା ପାଇଁ ଆଜି ତାଙ୍କ ପରିବାରଲୋକଙ୍କ ସମେତ ପୁରୀ ଜିଲ୍ଲାରୁ ଶତାଧିକ ଲୋକ ଭୁବନେଶ୍ବରରେ ପହଞ୍ଚି ତାଙ୍କୁ ଉତ୍ସାହିତ କରିଥିଲେ।
କମଳାକାନ୍ତ ଏବେ ବିଭିନ୍ନ ଜିଲ୍ଲାରେ ଥିବା ଦିବ୍ୟାଙ୍ଗ ପିଲାମାନଙ୍କୁ ବାସ୍କେଟ୍ ବଲ୍କୁ ନେଇ ପ୍ରଶିକ୍ଷଣ ଦେବା ସହ ବିଭିନ୍ନ ଶାରୀରିକ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି।
ଉଲ୍ଲେଖଯୋଗ୍ୟ, ଗତକାଲିଠାରୁ ମାଷ୍ଟରକ୍ୟାଣ୍ଟିନ୍ରୁ ରାଜମହଲ ମଧ୍ୟରେ ଥିବା ସାଇକେଲ୍ ଟ୍ରାକ୍ରେ ସେ ହ୍ବିଲ୍ଚେୟାର୍ ଚଲାଇଛନ୍ତି। ପ୍ରଶାସନ ଓ ବେଟର୍ ଲାଇଫ୍ ଫାଉଣ୍ଡେସନ୍ ପକ୍ଷରୁ ଏନେଇ ସମସ୍ତ ପ୍ରକାର ଆୟୋଜନ ଯାଇଥିଲା। କମଳାକାନ୍ତଙ୍କ ସୁରକ୍ଷା ପାଇଁ ୭ଜଣ ପୁଲିସ୍ ଓ ୨୦ରୁ ଅଧିକ ସ୍ବେଚ୍ଛାସେବୀ ନିୟୋଜିତ ହୋଇଥିଲେ। ଏହା ସହ ୨୪ ଘଣ୍ଟିଆ ଭିଡ଼ିଓ ଫୁଟେଜ୍ ରେକର୍ଡ କରିବା ପାଇଁ ୧୨ଜଣ ଯୋଗ୍ୟତା ପ୍ରାପ୍ତ ସ୍ବାଧୀନ ସାକ୍ଷୀ ଓ ତିନୋଟି ଡିଭାଇସ୍ ଦ୍ବାରା ସଂପୂର୍ଣ୍ଣ ରେସ୍ର ଜିପିଏସ୍ ଟ୍ରାକ୍ ରେକର୍ଡ କରାଯାଇଥିଲା। କମଳାକାନ୍ତଙ୍କ ଏହି ସଂଘର୍ଷ ଯାତ୍ରାରେ ସଫଳତା ପାଇବା ପରେ ତାଙ୍କୁ ବିଧାୟକ ଅନନ୍ତ ନାରାୟଣ ଜେନା, ବେଟର୍ ଲାଇଫ୍ ଫାଉଣ୍ଡେସନର ଚେୟାରମ୍ୟାନ୍ ଦୁର୍ଗାପ୍ରସାଦ ପଟ୍ଟନାୟକ, ଜାତୀୟ ଥଇଥାନ ପ୍ରଶିକ୍ଷଣ କେନ୍ଦ୍ରର ଫିଜିଓ ଥେରାପି ବିଭାଗର ମୁଖ୍ୟ ପିପି ମହାନ୍ତି ଏବଂ ବେଟର୍ ଲାଇଫ୍ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।