ବାଲିଆପାଳ: ସୁବର୍ଣ୍ଣରେଖା ବନ୍ୟା ଲୋକଙ୍କୁ ନାକେଦମ୍ କରୁଛି। ଶୁକ୍ରବାର ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ମଧୁପୁରା ପଞ୍ଚାୟତରେ ଦେଖିବାକୁ ମିଳିଥିଲା ଏକ ସମ୍ବେଦନଶୀଳ ଘଟଣା। ଶେଷକୃତ୍ୟ ପାଇଁ ଶବ ବାହକମାନେ ଅଣ୍ଟାଏ ଉଚ୍ଚ ବନ୍ୟା ପାଣିରେ ୨ କିମିରୁ ଅଧିକ ରାସ୍ତା ଚାଲିଥିଲେ। ପ୍ରତିବର୍ଷ ସୁବର୍ଣ୍ଣରେଖାରେ ବନ୍ୟା ଆସୁଛି। ଚଳିତବର୍ଷ ନଦୀରେ ୪ ଥର ବନ୍ୟା ଆସି ସାରିଲାଣି। ଗତକାଲି ଆସିଥିବା ବନ୍ୟାରେ ବାଲିଆପାଳ ବ୍ଲକ୍ ଅନ୍ତର୍ଗତ ୬ଟି ପଞ୍ଚାୟତର ୩୦ରୁ ଅଧିକ ଗାଁ’ରେ ପାଣି ପଶିଛି।
ଏମିତି ସମୟରେ ଆଜି ଭୋର୍ ସମୟରେ କିଡ୍ନି ରୋଗରେ ପୀଡ଼ିତ ଥିବା ମଧୁପୁରା ପଞ୍ଚାୟତ ଚୈଧୁରୀକୁଦ ଗ୍ରାମର ମଧୁ ପ୍ରମାଣିକ (୫୪)ଙ୍କର ଦେହାନ୍ତ ହୋଇଯାଇଥିଲା। ଗାଁ ସହ ଶ୍ମଶାନ ବନ୍ୟା ପାଣିରେ ବୁଡ଼ି ରହିଥିବା ବେଳେ ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ବର୍ଗଦ୍ବାର ଯିବାକୁ ସ୍ଥିର କରିଥିଲେ। ହେଲେ ମୁଖ୍ୟ ରାସ୍ତାରେ ଛିଡ଼ା ରହିଥିବା ସ୍ବର୍ଗରଥ ଯାଏଁ ଶବ ନେବା ପାଇଁ ସମସ୍ତେ ନାକେଦମ୍ ହୋଇଥିଲେ। ବାହକମାନେ ଅଣ୍ଟାଏ ଉଚ୍ଚ ବନ୍ୟା ପାଣିରେ ପଶି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଶବ ବୋହି ନେଇଥିବା ଦେଖିବାକୁ ମିଳିଥିଲା। ଗାଁ’କୁ ବନ୍ୟା କାଳ ହେଉଥିବାବେଳେ ଏହାର ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନିଆଯାଉ ନ ଥିବାରୁ ଚୈଧୁରୀକୁଦ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି।