ଯାଜପୁରସଦର: ଯାଜପୁର ତହସିଲ ଅୀନରେ ବ୍ୟାପକ ବାଲି ଚୋରାଚାଲଣ ହେଉଥିବା ସଂକ୍ରାନ୍ତରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ତହସିଲ ପ୍ରଶାସନ ସକ୍ରିୟ ହୋଇଛି। ଆଜି ବେଆଇନ ବାଲିଘାଟରେ ଚଢ଼ଉ କରି ବେଆଇନ ବାଲିଗଦାରେ ନାଲି ପତାକା ଲଗାଯାଇଛି। ଏହି ବାଲି ପାହାଡ଼ ନିଲାମ ହେବ ବୋଲି ସୂଚନା ମିଳିଛି। ବୈତରଣୀ ଶାଖା ବୁଢ଼ାନଦୀର ମତାବାଜ୍ ବ୍ରିଜ ମୂଳରୁ ଶହଶହ ଟ୍ରିପ୍ ବାଲି ଚୋରି ହେଉଥିଲା। ନଦୀପଠାରେ ଶହଶହ ଟ୍ରିପ ବାଲି ଗଚ୍ଛିତ ରଖି ରାତିରେ ହାଇଓ୍ବା ଯୋଗେ ଚାଲାଣ ହେଉଥିଲା।
ଗତକାଲି ତହସିଲଦାର ଏହି ଘାଟକୁ ଯାଇ ବାଲି ଗାଡ଼ି ଜବତ କରିଥିଲେ। ଆଜି ବେଆଇନ ଘାଟରେ ପ୍ରଶାସନ ପହଞ୍ଚି ନାଲି ଫିତା ମାରିଛି। ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦେଶକ୍ରମେ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଓ ତାଙ୍କ ଟିମ୍ ବାଲି ପାହାଡ଼ରେ ନାଲିଫିତା ମାରି ବାଲିକୁ ନିଜ ଅଧୀନକୁ ନେଇଥିବା କୁହାଯାଇଛି। ଏନେଇ ଅତିରିକ୍ତ ତହସିଲଦାର ଓ ଆର୍ଆଇଙ୍କୁ ବାଲିର ଆକଳନ ଯାଞ୍ଚ କରି ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି।
ଯାଜପୁର ତହସିଲ ଅଧୀନରେ ୩ ଟି ନଦୀ ରହିଥିବାବେଳେ ସବୁଜାଗାରେ ବାଲି ମାଫିଆ ଅବାଧରେ ବାଲି ଉଠାଇ ଚାଲିଛନ୍ତି। ଦୈନିକ ୫୦ରୁ ଅଧିକ ଘାଟରୁ ବାଲି ଚୋରି ହେଉଛି। ଫଳରେ ନଦୀଶଯ୍ୟା ଗଭୀର ହୋଇ ସାଧାରଣ ଜନତାଙ୍କ ଜୀବନ ନେଉଛି। କୋଟିକୋଟି ଟଙ୍କାର ରାଜସ୍ବ ହାନି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/22-8.jpg)