ରାଉରକେଲା: ପୁରୁଷ ହକି ବିଶ୍ବକପ୍ ଶେଷ ହେବାକୁ ମାତ୍ର ତିନି ଦିନ ବିତିଥିବାବେଳେ ଏଯାଏ ହକିପ୍ରେମୀଙ୍କ ମନରୁ ବିଶ୍ବକପ୍ ମ୍ୟାଚ୍ର ଦୃଶ୍ୟ ଲିଭିନି। ବିଶ୍ବକପ୍ ଶେଷ ହେବାପରେ ବିଶ୍ବର ସର୍ବବୃହତ ସିଟ୍ ବିଶିଷ୍ଟ ହକି ଷ୍ଟାଡିୟମ ଏବେ ଖାଁ ଖାଁ। ତେବେ ଆଉ ମାତ୍ର ୪୦ ଦିନ ପରେ ପୁନର୍ବାର ପୁରି ଉଠିବ ହକି ଷ୍ଟାଡିୟମ। କାରଣ, ଏହି ଷ୍ଟାଡିୟମରେ ପ୍ରୋ-ଲିଗ୍ର ୬ଟି ମ୍ୟାଚ୍ ଖେଳାଯିବ। ଭାରତ, ଅଷ୍ଟ୍ରେଲିଆ ଓ ଜର୍ମାନୀ ପରସ୍ପର ମଧ୍ୟରେ ଦୁଇଟି ଲେଖାଏ ମ୍ୟାଚ୍ ଖେଳିବେ। ମାର୍ଚ୍ଚ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ; ପ୍ରତ୍ୟହ ସନ୍ଧ୍ୟା ୭ଟା ୧୦ ମିନିଟ୍ରେ ମ୍ୟାଚ୍ ଖେଳାଯିବ। ମାର୍ଚ୍ଚ ୧୦ ତାରିଖରେ ପ୍ରଥମ ମ୍ୟାଚ୍ ଭାରତ ଓ ଜର୍ମାନୀ ମଧ୍ୟରେ ଖେଳାଯିବାକୁ ଥିବାବେଳେ ଦ୍ବିତୀୟ ଦିନରେ ଅଷ୍ଟ୍ରେଲିଆ ଓ ଜର୍ମାନୀ, ତୃତୀୟ ଦିନରେ ଭାରତ ଓ ଅଷ୍ଟ୍ରେଲିଆ, ଚତୁର୍ଥ ଦିନରେ ଭାରତ ଓ ଜର୍ମାନୀ, ପଞ୍ଚମ ଦିନରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ଏବଂ ଷଷ୍ଠ ଦିନରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ।
ଏଯାବତ୍ ଦର୍ଶକଙ୍କ ମନରୁ ବିଶ୍ବକପ୍ର ନିଶା ଉତୁରିନଥିବାବେଳେ ଅଳ୍ପ କେଇଦିନ ବ୍ୟବଧାନରେ ପୁଣି ଏଠାରେ ଅନ୍ତର୍ଜାତୀୟ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ। ଏହାକୁ ହାତଛଡ଼ା ନ କରିବାକୁ ହକିପ୍ରେମୀ ଏବେଠାରୁ ବଳ କଶିଲେଣି। ଟିକେଟ୍ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ତେବେ ବିଶ୍ବକପ୍ବେଳେ ଦେଖିବାକୁ ମିଳିଥିବା ଅବହେଳାର ପୁନରାବୃତ୍ତି ପ୍ରୋ-ଲିଗ୍ରେ ହେବା ଆଶଙ୍କା ଏବେ ଦର୍ଶକଙ୍କୁ ଘାରିଛି। ଟିକେଟ୍ ବିକ୍ରିରେ ହକି ଇଣ୍ଡିଆର ଅସ୍ବଚ୍ଛ ନୀତିଠାରୁ ଆରମ୍ଭକରି ଶାସକ ନେତା, କର୍ମୀଙ୍କୁ ମନଇଚ୍ଛା ଟିକେଟ୍ ଯୋଗାଇବା ଆଦି ଅନିୟମିତତା ଚିନ୍ତାରେ ହକିପ୍ରେମୀ।
ହକିର ପ୍ରତ୍ୟେକ ସଟ୍, ପାସ୍କୁ ବୁଝି ତଦନୁଯୟୀ ଉତ୍ସବ ମନାଉଥିବା ରାଉରକେଲାର ଦର୍ଶକଙ୍କ ହକି ଜ୍ଞାନ ଉପରେ ପ୍ରଶ୍ନ କରାଯାଇନପାରେ। ଏଠାରେ ଦର୍ଶକ କେବଳ ହକିକୁ ବୁଝୁନଥିଲେ, ବରଂ ମ୍ୟାଚ୍ବେଳେ ପୋଖତ ଦର୍ଶକ ଭଳି ଉପଭୋଗ ମଧ୍ୟ କରୁଥିଲେ। କିନ୍ତୁ ବିଶ୍ବକପବେଳର ଅବ୍ୟବସ୍ଥା ଯଦି ଲାଗିରୁହେ; ତା’ହେଲେ ହଜାର ହଜାର ଦର୍ଶକ ବାଦ୍ ପଡ଼ିବା ସ୍ବାଭାବିକ୍। ବିଶ୍ବକପ୍ ସମୟରେ ମାତ୍ର ୭ ଦିନ ଭିତରେ ସବୁ ଟିକେଟ୍ ବିକ୍ରି ହୋଇଯାଇଥିବା କୁହାଯାଇଥିଲା। ବାସ୍ତବରେ ବହୁ ଲୋକ କିନ୍ତୁ ଟିକେଟ୍ ନ ପାଇ ନିରାଶହୋଇ ଫେରିଥିଲେ। ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧୯ ତାରିଖରୁ ରାଉରକେଲାରେ ଖେଳାଯିବାକୁ ଥିବା ୨୦ଟି ମ୍ୟାଚ୍ର ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା।
ଟିକେଟ୍ ବିକ୍ରିରେ ପାରଦର୍ଶୀତା ଆବଶ୍ୟକ
କଳାବଜାର, ଟ୍ରାଫିକ୍, ପାର୍କିଂ ଅବ୍ୟବସ୍ଥାରେ ସୁଧାର ଜରୁରୀ
ବିର୍ସା ମୁଣ୍ଡା ଷ୍ଟାଡିୟମର ଗେଟ୍ ନଂ ୨ ଓ ଗେଟ୍ ନଂ ୬ରେ ଦୁଇଟି କାଉଣ୍ଟର୍ରେ ଟିକେଟ୍ ବିକ୍ରି ହୋଇଥିଲା। ରାଉରକେଲାରେ ପ୍ରଥମଥର ପାଇଁ ଖେଳାଯିବାକୁ ଥିବା ବିଶ୍ବକପ୍ ମ୍ୟାଚ୍ ଦେଖିବାକୁ ଭୋର୍ ୫ଟାରୁ ଶୀତ, କୁହୁଡ଼ିରେ ଲମ୍ବା ଲାଇନ୍ ଲଗାଇଥିଲେ ଦର୍ଶକ। ପ୍ରଥମେ ଜଣଙ୍କୁ ୨ଟି ଲେଖାଏ ଟିକେଟ୍ ଦିଆଯାଇଥିବାବେଳେ ପରବର୍ତ୍ତୀ ସମୟରେ କିନ୍ତୁ ଗୋଟିଏ ଲେଖାଏ ଟିକେଟ୍ ଦିଆଯାଇଥିଲା। ମାତ୍ର ହାତଗଣତି ୫ ଶହ ଟଙ୍କିଆ ଟିକେଟ୍ ବିକ୍ରି କରାଯିବାପରେ ଟିକେଟ୍ ଶେଷ ହୋଇଥିବା ଘୋଷଣା କରିଥିଲେ। ବିଶ୍ବକପର ପ୍ରଥମ ଦିନ, ଅର୍ଥାତ୍ ଜାନୁଆରି ୧୩ ତାରିଖର ମ୍ୟାଚ୍ ପାଇଁ ଆନୁମାନିକ ମାତ୍ର ୧୦୦୦/୧୨୦୦ ହକିପ୍ରେମୀ ଟିକେଟ୍ ପାଇଥିଲେ। ଏହାକୁ କିନ୍ତୁ ହକିପ୍ରେମୀ ତୀବ୍ର ପ୍ରତିବାଦ କରିବାସହ ପ୍ରଥମ ଦିନର ଟିକେଟ୍ ମାଗିବାରୁ ଆଉ ୨/୩ ଶହ ଜଣଙ୍କୁ ଟିକେଟ୍ ବିକ୍ରି କରାଯାଇଥିଲା। ତେବେ ପ୍ରଥମ ଦିନ ବଦଳରେ ୧୫ ତାରିଖ(ଭାରତର ମ୍ୟାଚ୍ ଦିନ)ର ଟିକେଟ ଦିଆଯାଇଥିଲା। ମୋଟାମୋଟିଭାବେ ପ୍ରଥମ ଦିନରେ ପ୍ରାୟ ଦେଢ଼ ହଜାର ଟିକେଟ୍ ବିକ୍ରି ହୋଇଥିଲା।
ପରବର୍ତ୍ତୀ ସମୟରେ ଆଉ ଭାରତର ମ୍ୟାଚ୍ ବଦଳରେ ଅନ୍ୟ ଦିନଗୁଡ଼ିକର ଟିକେଟ୍ ବିକ୍ରି ହୋଇଥିଲା। ତେବେ ସମସ୍ତଙ୍କୁ କେବଳ ୧/୨ ଶହ ଟଙ୍କିଆ ହିଁ ମିଳିଥିଲା। ଏଣୁ ସେତେବେଳେ ଟିକେଟ୍ ଲୁଚାଇ ରଖିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗରେ ସତ୍ୟତା ଲୁଚିଥିବା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଥିଲା; ଯେତେବେଳେ ମ୍ୟାଚ୍ ଦିନଗୁଡ଼ିକରେ ବିଜେଡି ନେତାଙ୍କ ପକେଟ୍ରେ ଏକାଧିକ ଟିକେଟ୍ ଥିବା ଦେଖିବାକୁ ମିଳିଥିଲା। ଏମିତିକି ଛାମୁଆ ନେତାମାନେ ପୁଲାପୁଲା ଟିକେଟ୍ ରଖିଥିବା ସଗର୍ବେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିଥିଲେ। ଟିକେଟ୍ ବିକ୍ରିରେ ପାରଦର୍ଶିତାର ଅଭାବ ଯୋଗୁଁ ବହୁ ହକିପ୍ରେମୀ ଖେଳ ଉପଭୋଗ କରିବାରୁ ବାଦ୍ ପଡ଼ିଥିବାବେଳେ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ବିଶ୍ବକପ୍ବେଳେ ଜିଲ୍ଲା ପ୍ରଶାସନର ଏକାଧିକ ଭୁଲ ନୀତି ଦେଖିବାକୁ ମିଳିଥିଲା। ପ୍ରଥମତଃ, ପାର୍କିଂରେ ବହୁ ଅବ୍ୟବସ୍ଥା ହକିପ୍ରେମୀଙ୍କୁ ନିରାଶ କରିଥିଲା। ପାର୍କିଂ ସ୍ଥଳୀ ନିର୍ଦ୍ଧାରଣ କରାଯାଇଥିଲେ ମଧ୍ୟ ଯିଏ ଯୁଆଡ଼େ ଇଚ୍ଛା ହେଲା ଗାଡ଼ି ରଖିଥିଲେ।
ଏମିତିକି ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଉଦ୍ଦିଷ୍ଟ ପାର୍କିସ୍ଥଳକୁ ବି ଛାଡ଼ିନଥିଲେ। ପାର୍କିଂସ୍ଥଳୀରେ ମୁତୟନ ପୁଲିସ କର୍ମଚାରୀଙ୍କ ଅବହେଳା ଏହାର ମୁଖ୍ୟ କାରଣ ପାଲଟିଥିଲା। ଏତଦ୍ବ୍ୟତୀତ ଟ୍ରାଫିକ୍ ବ୍ୟବସ୍ଥାରେ ତାଳମେଳର ଅଭାବ ସ୍ପଷ୍ଟ ପରିଲକ୍ଷିତ ହୋଇଥିଲା। ଉଦାହରଣସ୍ବରୂପ,- ୬ ନମ୍ବର ଗେଟ୍ ଦେଇ ଷ୍ଟାଡିୟମ ଭିତରକୁ ପସିବାକୁ ସେକ୍ଟର ଅଞ୍ଚଳରୁ ଆସୁଥିବା ଦର୍ଶକ ଯାବତୀୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଗୋଟିଏ ଦିନ ସେକ୍ଟର ଅଞ୍ଚଳରୁ ଆସୁଥିବା ଦର୍ଶକଙ୍କୁ ଛେଣ୍ଡ୍ ଛକରୁ ବୁଲିକି ଯିବାକୁ ଅନୁମତି ଦିଆଯାଇଥିବାବେଳେ ତା’ ପରଦିନ ଡିଏଭି ଛକ ଏବଂ ଅନ୍ୟ ଦିନ ଟେଷ୍ଟିଂ ଲାବୋରେଟୋରୀ ଦେଇ ବୁଲିବାକୁ କୁହାଯାଇଥିଲା। ଏହି ଟ୍ରାଫିକ୍ ଅବ୍ୟବସ୍ଥା ଯୋଗୁଁ ଗୋଟିଏ ସ୍କୁଲ ବସ୍ ଅଧାରେ ରହିଯିବାରୁ କୁନି କୁନି ପିଲାମାନେ ଚାଲି ଚାଲି ଘରକୁ ଯାଇଥିଲେ। ଟିକେଟ କଳାବଜାର କିନ୍ତୁ ସବୁ ସୀମା ସରହଦ ଟପି ଯାଇଥିଲା। ଭାରତ ମ୍ୟାଚ୍ର ଟିକେଟ୍ ୧୦/୧୨ ହଜାର ଟଙ୍କାରେ ବିକ୍ରି ହୋଇଥିବା ଦେଖିବାକୁ ମିଳିଥିଲା। ଏସବୁ ଅବ୍ୟବସ୍ଥାକୁ ଆଗାମୀ ପ୍ରୋ-ଲିଗ୍ ସମୟରେ ଗୁରୁତ୍ବର ସହ ନେଇ ଅଙ୍କୁଶ ଲଗାଇବା ହିଁ ବର୍ତ୍ତମାନର ଆବଶ୍ୟକତା। ଅନ୍ୟଥା ଦୂରଦୁରାନ୍ତରୁ ମ୍ୟାଚ୍ ଦେଖିବାକୁ ଆସୁଥିବା ହକିପ୍ରେମୀ ପୁନର୍ବାର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବା ନିଶ୍ଚିତ ପ୍ରାୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/3.jpg)