ବିଶ୍ବଜିତ ଦାଶ

Advertisment

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ବରୁ ବାହାରିଛି ଶାସନ ମୁଖ୍ୟ କେନାଲ। କେନାଲ କଡ଼ରେ ରହିଛି ବଲବସପୁର ଗାଁ। ଜଳଭଣ୍ଡାରରେ ତିଉରା ଗାଁ ବୁଡ଼ିଯିବା ପରେ ସେହି ଗାଁର କିଛି ଲୋକ ଏବଂ ନିକଟ ତାଲବ ଗାଁର କେତେକ ଲୋକ ବଲବସପୁରରେ ବସତି ସ୍ଥାପନ କରିଥିଲେ। ଗାଁରେ ଶାନ୍ତିର ବାତାବରଣ। କାରଣ ସମସ୍ତଙ୍କ ହାତରେ ରହିଛି ରୋଜଗାର। ଯଦିଓ ଆଗଭଳି ଏହି ଗାଁରେ ଚାଷ ହେଉନି, ତଥାପି ସମସ୍ତଙ୍କୁ ଜୀବିକା ଦେଇଛି ଜଳଭଣ୍ଡାର। ଦଶନ୍ଧି ହେଲା ପିଢ଼ି ପରେ ପିଢ଼ି ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି।

ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କିଲାସମା ପଂଚାୟତ ଅଧୀନରେ ରହିଛି ବଲବସପୁର ଗାଁ’। ୪ଟି ୱାର୍ଡ ବିଶିଷ୍ଟ ଏହି ଗାଁରେ ଆଦିବାସୀ, ମାଳୀ, ତିଅର ଓ ଅନ୍ୟ ସଂପ୍ରଦାୟର ପ୍ରାୟ ୩୦୦ ପରିବାର ବସବାସ କରୁଛନ୍ତି। ଲୋକସଂଖ୍ୟା ଏକ ହଜାରରୁ ଅଧିକ। ପୁରୁଷ ଓ ମହିଳାଙ୍କ ଅନୁପାତ ପାଖାପାଖି ଅଧା-ଅଧା। ଗାଁର ସମସ୍ତେ ସ୍ବାବଲମ୍ବୀ। ଗାଁର ୭୫ ପ୍ରତିଶତ ପରିବାର ଜଳଭଣ୍ଡାରରୁ ମାଛ ଧରି ପରିବାର ପ୍ରତିପୋଷଣ କରନ୍ତି। ସକାଳୁ ସଂଧ୍ୟା ଯାଏଁ ଗାଁ ଲୋକ ଜଳଭଣ୍ଡାରରେ ମାଛଧରାରେ ବ୍ୟସ୍ତ ରୁହନ୍ତି। ସକାଳୁ ସକାଳୁ ଡଙ୍ଗା ଧରି ଜଳଭଣ୍ଡାର ଭିତରକୁ ବାହାରି ଯାଆନ୍ତି। ଜାଲ ପକାଇ ମାଛ ଧରନ୍ତି। ଶାସନ କେନାଲରୁ ବି ମାଛ ଧରନ୍ତି। ସମ୍ବଲପୁର ତଥା ଆଖପାଖ ଅଂଚଳ ସମେତ କୋଲକାତାକୁ ବି ସେଠାରୁ ମାଛ ଯାଇଥାଏ। ଗାଁର ଜଣେ ବର୍ଷିୟାନ ବ୍ୟକ୍ତି ବିରଞ୍ଚି ଭୁଏଙ୍କ କହିବାନୁସାରେ ସେ ଛୋଟ ଥିବା ସମୟରେ ତାଙ୍କ ପରିବାର ଲୋକେ ଏହି ଗାଁକୁ ଆସିଥିଲେ। ପ୍ରଥମେ ପ୍ରଥମେ କେହି ମାଛ ଧରୁନଥିଲେ। କିନ୍ତୁ ପରେ ପରେ ଡଙ୍ଗା ନେଇ ମାଛ ଧରିଲେ। ମହମ୍ମଦପୁର ସୋସାଇଟି ଜରିଆରେ ଏହି ମାଛ ଧରାଯାଏ। ଧରାଯାଉଥିବା ମାଛ ତିନି ଭାଗ ହୋଇଥାଏ। ଡଙ୍ଗା ମାଲିକଙ୍କର ଗୋଟିଏ ଭାଗ ଏବଂ ଅବଶିଷ୍ଟ ଦୁଇଭାଗକୁ ମାଛ ଧରାଳିମାନେ ଭାଗବଣ୍ଟା କରିନେଇଥାନ୍ତି।

ତେବେ କେବଳ ମାଛଧରା ନୁ‌ହେଁ, ଅନ୍ୟାନ୍ୟ ପନ୍ଥା ଜରିଆରେ ବି ବଲବସପୁର ଗ୍ରାମବାସୀ ରୋଜଗାରକ୍ଷମ ହୋଇପାରିଛନ୍ତି। ଗେଣ୍ଡୁଫୁଲ ଚାଷ କରି ମାଳୀ ଜାତିର ପରିବାର ରୋଜଗାର ପାଇଁ ଭିନ୍ନ ପନ୍ଥା ଆପଣେଇଛନ୍ତି। ଗେଣ୍ଡୁଫୁଲରୁ ମାଳା ତିଆରି କରି ସମ୍ବଲପୁର ବଜାରକୁ ପଠାନ୍ତି। ଏଥିରେ ଛୋଟ ଛୋଟ ଛୁଆ ବି ଗେଣ୍ଡୁଫୁଲ ତୋଳିବାଠୁ ମାଳ ତିଆରି ଯାଏ ଲାଗି ପଡ଼ନ୍ତି। ସେହିପରି ଘରେ ଘରେ ମହିଳାଙ୍କ ହାତରେ କେନ୍ଦୁପତ୍ରରୁ ତିଆରି ହେଉଛି ବିଡ଼ି। ଏହି ଗାଁର ପ୍ରାୟ ସମସ୍ତ ମହିଳା ବିଡ଼ି ବଳୁଛନ୍ତି ଓ ରୋଜଗାର କରୁଛନ୍ତି। ବିଡ଼ି କମ୍ପାନି ସେମାନଙ୍କୁ କେନ୍ଦୁପତ୍ର ଓ ସୂତା ସହ ବ୍ୟବହୃତ ସାମଗ୍ରୀ ଯୋଗାଇଥାଏ। ଜଳଭଣ୍ଡାର ନିକଟରେ ଥିବା ଏହି ଗାଁ’ର ଛୁଆଙ୍କଠୁ ବୟସ୍କଙ୍କ ଯାଏ ପ୍ରାୟ ସମସ୍ତଙ୍କ ହାତରେ ରହିଛି ରୋଜଗାର। ଅନ୍ୟପକ୍ଷରେ ଶିକ୍ଷାକ୍ଷେତ୍ରରେ ବି ଏହି ଛୋଟିଆ ଗାଁ’ଟି ପଛରେ ନାହିଁ। ଗାଁର ପ୍ରାୟ ୭୦ ଭାଗ ଲୋ‌କ ସାକ୍ଷର। ସେଥିରୁ ପାଖପାଖି ୫୮ ଭାଗ ପୁରୁଷ ଓ ୪୨ଭାଗ ମହିଳା।

କଲେଜପଢ଼ୁଆ ଉଚ୍ଚ ଶିକ୍ଷିତ ବି ଅଛନ୍ତି। କିନ୍ତୁ ଗାଁର ବିକାଶ ପ୍ରତି ପ୍ରଶାସନ ଉଦାସୀନ । ଗ୍ରାମବାସୀଙ୍କ କହିବାନୁସାରେ, ପୂର୍ବରୁ ଏତେ ପନିପରିବା ଚାଷ ହେଉଥିଲା ଯେ ପ୍ର‌ତ୍ୟହ ଏଠାରୁ ୧୧ କିଲୋମିଟର ଦୂର ସମ୍ବଲପୁର ସହରକୁ ଶାଗ, ପନିପରିବା ଯାଉଥିଲା। ଗାଁରେ ୨୩ ଏକର ବିଶିଷ୍ଟ ଏକ ବଡ଼ ଜଳାଶୟ (ବୁଢ଼ୀକଟା) ରହିଛି। ମାତ୍ର ପୁନରୁଦ୍ଧାର ନ ହେବାରୁ ସେହି ଜଳାଶୟର ପାଣି ଚାଷ କାମରେ ସୁଦ୍ଧା ଏବେ ବ୍ୟବହାର ହୋଇପାରୁନି। ଏଣୁ ବର୍ଷା ସମୟରେ ଧାନ ଚାଷ କିଛି କରନ୍ତି। ଅନ୍ୟମାନେ ପନିପରିବା ଛାଡ଼ି ଗେଣ୍ଡୁଫୁଲ ଚାଷ କରୁଛନ୍ତି। ଗାଁର ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ପଂଚାନନ ବେହେରା, ବରିଷ୍ଠ ନାଗରିକ ଗୋପବନ୍ଧୁ ପଟେଲ, କୃଷ୍ଣଚନ୍ଦ୍ର ବେହେରା କହିଛନ୍ତି, ଆମ ଗାଁର ସମସ୍ତେ ରୋଜଗାରିଆ। ହେଲେ ଗାଁରେ ଏବଂ ପଂଚାୟତକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ଏଠାରେ ଅଷ୍ଟମ ଶ୍ରେଣୀଯାଏଁ ଶିକ୍ଷାଦାନ ବ୍ୟବସ୍ଥା ରହିଛି। ହାଇସ୍କୁଲ ତଥା କଲେଜ ଶିକ୍ଷା ପାଇଁ ଦୂର ସ୍ଥାନ ଯିବାକୁ ପଡ଼େ। ଅନ୍ୟାନ୍ୟ କୌଣସି ଆନୁସଂଗିକ ସୁବିଧା ନାହିଁ। ନା ନା ପ୍ରକାର ସମସ୍ୟା ଲାଗି ରହିଛି। ଏସବୁର ସମାଧାନ କରାଯିବା ସହ ସ୍ୱାବଲମ୍ବୀ ପରିବାରକୁ ସରକାରୀ ପ୍ରୋତ୍ସାହନ ମିଳିଲେ ଗାଁର ଚିତ୍ର ଆହୁରି ବଦଳି ଯାଆନ୍ତା ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।