ସୂର୍ଯ୍ୟନାରାୟଣ ଲେଙ୍କା
ରାଜନଗର: କେବଳ ଜଙ୍ଗଲ ଓ ସମୁଦ୍ର ଅଛି। କୌଣସି ଜନବସତି ନାହିଁ। ମଣିଷ ବଦଳରେ ଜୀବଜନ୍ତୁ, ପଶୁପକ୍ଷୀ ଓ ଜଳଜୀବ ରହୁଛନ୍ତି। ହେଲେ ସେହି ଅଞ୍ଚଳକୁ ମିଳିଛି ରାଜସ୍ୱ ଗାଁର ମାନ୍ୟତା। ଏପରି ରାଜସ୍ବ ଗାଁ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଗୁପ୍ତି ସର୍କଲ୍‌ର ବଡ଼ଗହୀରମଥା ଓ ସାନଗହୀରମଥା। ବିଶ୍ବପ୍ରସିଦ୍ଧ ଗହୀରମଥାକୁ ୧୯୯୭ ସେପ୍ଟେମ୍ବର ୨୭ରେ ରାଜ୍ୟର ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳକୁ ବିନା ଅନୁମତିରେ ପ୍ରବେଶ କଲେ ମାମଲା ରୁଜୁ କରାଯାଉଛି। ମାତ୍ର ଏହି ଅଞ୍ଚଳ ଏବେ ବି କିପରି ରାଜସ୍ୱ ଗାଁ ଭାବେ ରହିଛି ତାହା ସଭିଁଙ୍କୁ ବିସ୍ମିତ କରୁଛି।

Advertisment

୧୯୯୭ରୁ ମିଳିଛି ସାମୁଦ୍ରିକ ଅଭୟାରଣ୍ୟ ମାନ୍ୟତା

ପରିବେଶପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ ଭିତରକନିକା ଜାତୀୟ ଉଦ୍ୟାନ। ମିନି ଆମାଜନ୍‌ର ମାନ୍ୟତା ପାଇଥିବା ଭିତରକନିକା ବଉଳା କୁମ୍ଭୀର, ଲୁଣା ଜଙ୍ଗଲ ଓ ଜୀବଜନ୍ତୁଙ୍କ ବାସସ୍ଥଳୀ ଭାବେ ପରିଚିତ। ୧୯୬୧ ଅକ୍ଟୋବର ୪ରେ ଭିତରକନିକାକୁ ସଂରକ୍ଷିତ ଜଙ୍ଗଲର ମାନ୍ୟତା ମିଳିଛି। ୧୯୭୫ ଏପ୍ରିଲ ୨୨ରେ ଭିତରକନିକାକୁ ଅଭୟାରଣ୍ୟ ଓ ୧୯୯୮ ଅକ୍ଟୋବର ୩ରେ ଜାତୀୟ ଉଦ୍ୟାନର ମାନ୍ୟତା ଦିଆଯାଇଛି। ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ଥିବା ବେଳାଭୂମି ଓ ବଙ୍ଗୋପସାଗରର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ୧୯୯୭ ସେପ୍ଟେମ୍ବର ୨୭ରେ ଓଡ଼ିଶାର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା। ପରିବେଶ ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା। ସାରା ବିଶ୍ବରେ ଉପଲବ୍ଧ ୫୦ ପ୍ରତିଶତ ଅଲିଭ୍‌ରିଡ୍‌ଲେ କଇଁଛ ଗହୀରମଥାରେ ଭିଡ଼ ଜମାନ୍ତି। ଓଡ଼ିଶାର ୭୦ ପ୍ରତିଶତ ତଥା ୫ପ୍ରଜାତିର ଡଲ୍‌ଫିନ୍‌ ଗହୀରମଥାରେ ଦେଖିବାକୁ ମିଳେ। ଏହି ଅଞ୍ଚଳରେ ବିନା ଅନୁମତିରେ ପାଦ ଦେଲେ ବନ ବିଭାଗ 

ମାମଲା ରୁଜୁ କରୁଛି। କିନ୍ତୁ ସରକାରୀ ରେକର୍ଡରେ ଏବେ ବି ଗହୀରମଥା ରାଜସ୍ୱ ଗାଁ ହୋଇ ରହିଛି। ସାନଗହୀରମଥାର ୩ଟି ଖାତା ନମ୍ବର ତଥା ୯୩ଟି ପ୍ଲଟ୍‌ରେ ୧୨୬ ଏକର ୮ଡିସିମିଲ ଜମି ଥିଲା ବେଳେ ୪ ଜଣ ଲୋକଙ୍କ ଜବରଦଖଲରେ ଥିବା ଭୂଲେଖ ରେକର୍ଡ କହୁଛି। ବଡ଼ଗହୀରମଥା ଗାଁର ୪୦ଟି ଖାତା ନମ୍ବରରେ ଶତାଧିକ ପ୍ଲଟ୍‌ ରହିଛି। ଏହି ଗାଁରେ ଘରବାରି ପ୍ଲଟ୍‌, ଘର, ସାରଦ ଏକ କିସମ ଜମି ବିଭିନ୍ନ ଲୋକଙ୍କ ନାମରେ ରହିଛି। ଅଧିକାଂଶ ଜମି ବାଲିଚର କିସମରେ ଥିଲା ବେଳେ ଜମିର ଚାରିପାଖରେ ବଙ୍ଗୋପସାଗର ଓ ଜଙ୍ଗଲ ଥିବା ରେକର୍ଡ କହୁଛି। ସାତଭାୟାରୁ ହବାଳିଖଟି ଯିବା ବାଟରେ ରହିଛି ଏହି ଦୁଇଟି ଗାଁ। ଗହୀରମଥାରେ ଜଣେ ବି ମଣିଷ ନ ଥିଲା ବେଳେ ବାର୍‌ହା, ହରିଣ, ସମ୍ବର, ହାଏନା, ଫିସିଂକ୍ୟାଟ୍‌, ଝିଙ୍କ, ଅହିରାଜ, ଅଜଗର ସହ ଶତାଧିକ ପ୍ରଜାତିର ପକ୍ଷୀ, ଅଲିଭ୍‌ରିଡ୍‌ଲେ କଇଁଛ, ଡଲ୍‌ଫିନ୍‌ ବସବାସ କରୁଛନ୍ତି। ଉଭୟ ବଡ଼ଗହୀରମଥା ଓ ସାନଗହୀରମଥା ଅଞ୍ଚଳର ଚାରିପଟେ କେବଳ ଜଙ୍ଗଲ ଓ ସମୁଦ୍ର ରହିଛି। ଏଠାରେ ଜଣେ ମଧ୍ୟ ମଣିଷ ରହୁନାହାନ୍ତି। ଏପରିସ୍ଥଳେ, ଦୁଇ ଗାଁ କିପରି ଏବେବି ରାଜସ୍ୱ ଗାଁର ମାନ୍ୟତା ବହନ କରୁଛି, ତାହା ଆଲୋଚନାର ପ୍ରସଙ୍ଗ ହୋଇଛି। ଏ ସମ୍ପର୍କରେ ତହସିଲଦାର ଯୀଶୁକ୍ରିଷ୍ଣ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଶେଷ ବନ୍ଦୋବସ୍ତ ସମୟରେ ଉକ୍ତ ସ୍ଥାନରେ ଲୋକଙ୍କ ଜମିବାଡ଼ି ରହିଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଜମି ସମୁଦ୍ର ଗର୍ଭକୁ ଚାଲିଯାଇଛି। ‘ରାଇଟ୍‌ ଅଫ୍‌’ ପଦ୍ଧତିରେ ଲୋକଙ୍କ ନାମ କାଟି ଦିଆଯିବା କଥା। ମାତ୍ର ଉକ୍ତ ପ୍ରକ୍ରିୟା ହୋଇନାହିଁ ବୋଲି ସେ କହିଛନ୍ତି।