ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାର ୧୪୭ଟି ବିଧାନସଭା ଆସନ ପାଇଁ ମୋଟ୍ ୧୨୮୫ଜଣ ପ୍ରାର୍ଥୀ ଲଢ଼ୁଛନ୍ତି। ଏଥିରେ ଜାତୀୟ ଦଳରୁ ୪୨୮ଜଣ, ରାଜ୍ୟସ୍ତରୀୟ ଦଳରୁ ୨୦୭ଜଣ, ଅଣମାନ୍ୟତାପ୍ରାପ୍ତ ପଞ୍ଜୀକୃତ ଦଳରୁ ୨୨୫ଜଣ, ୪୨୫ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଡିଆର୍ ଓ ଓଡ଼ିଶା ଇଲେକ୍ସନ ୱାଚ୍‌ ପକ୍ଷରୁ ୧୨୮୩ଜଣ ପ୍ରାର୍ଥୀଙ୍କ ସତ୍ୟପାଠକୁ ସମୀକ୍ଷା କରାଯାଇଥିବାବେଳେ ଏଥିରୁ ଜଣାପଡ଼ିଛି ଯେ ୩୪୮ଜଣ ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା ଥିବାବେଳେ ଏଥିରୁ ୨୯୨ଜଣ ପ୍ରାର୍ଥୀଙ୍କ ନାଁରେ ସାଂଘାତିକ ଆପରାଧିକ ମାମଲା ଅଛି। ‌ଯାହା ମୋଟ୍ ପ୍ରାର୍ଥୀଙ୍କ ମଧ୍ୟରୁ ୨୭%। ସେହିପରି ୪୧୨ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି। ଯାହା ମୋଟ୍ ପ୍ରାର୍ଥୀଙ୍କର ୩୨%। ହେଲେ ଏଥିରେ ରାଉରକେଲାରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ରାୟ ସବୁଠୁ ଧନୀ ପ୍ରାର୍ଥୀ। ତାଙ୍କର ୩୧୩କୋଟି ଟଙ୍କାର ସମ୍ପତ୍ତି ଅଛି। ଯେତେବେଳେ କି ୫ଜଣ ପ୍ରାର୍ଥୀଙ୍କର ଘର ନାହିଁ କି ଟଙ୍କାକର ବି ସମ୍ପତ୍ତି ନାହିଁ।

Advertisment

ଏହି ସତ୍ୟପାଠ ସମୀକ୍ଷାରୁ ଜଣାପଡ଼ିଛି ଯେ, ୨୦୧୯ରେ ମୋଟ୍ ୧୧୨୧ଜଣ ପ୍ରାର୍ଥୀ ଥିବାବେଳେ ଏଥିରୁ ୩୦% ଯଥା ୩୩୨ଜଣ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା ଥିଲା। କିନ୍ତୁ ଏଥର ମୋଟ୍ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେପିର ୧୦୦ଜଣ, କଂଗ୍ରେସର ୬୦ଜଣ, ବିଜେଡିର ୪୬ଜଣ, ଆପ୍‌ର ୭ଜଣ ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା ଅଛି। ୯୨ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା ରହିଛି। ୬୬ଜଣ ପ୍ରାର୍ଥୀଙ୍କ ନାଁରେ ମହିଳାଙ୍କ ବିରୋଧରେ ଆପରାଧିକ ମାମଲା ଥିବାବେଳେ ୪ଜଣଙ୍କ ନାଁରେ ବଳାତ୍କାର ମାମଲା ରହିଛି। ୧୦ଜଣଙ୍କ ନାଁରେ ହତ୍ୟା, ୭୦ଜଣଙ୍କ ନାଁରେ ହତ୍ୟା ଉଦ୍ୟମ, ୫ଜଣ ପ୍ରାର୍ଥୀଙ୍କର ଘୃଣ୍ୟ ବକ୍ତବ୍ୟ ମାମଲା ରହିଛି।

୨୯୨ଜଣଙ୍କ ନାଁରେ ଆପରାଧିକ ମାମଲା, ୪୧୨ ଜଣ କୋଟିପତି
୪ଜଣଙ୍କ ନାଁରେ ବଳାତ୍କାର, ୧୦ଜଣଙ୍କ ନାଁରେ ହତ୍ୟା ମାମଲା
୫ ପ୍ରାର୍ଥୀଙ୍କ ଘର ନାହିଁ କି ପାଖରେ ଟଙ୍କାଟେ ନାହିଁ

ଏଥର ଆପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ଥିବାରୁ ଯେଉଁ ଆସନରେ ତିନି କିମ୍ବା ଏହାଠୁ ଅଧିକ ଆପରାଧିକ ମାମଲା ଅଛି ସେଗୁଡ଼ିକୁ ରେଡ୍ ଆଲର୍ଟ ଆସନ କୁହାଯାଉଛି। ଏଥିରେ ୫୯ଟି ଆସନ ଏହି ବର୍ଗରେ ଅଛି। ୨୦୧୯ରେ ବି ସମାନ ସଂଖ୍ୟକ ଆସନ ରେଡ୍ ଆଲର୍ଟ ଶ୍ରେଣୀରେ ଥିଲା।
ମୋଟ୍ ୪୧୨ଜଣ କୋଟିପତି ପ୍ରାର୍ଥୀ ଥିବାବେଳେ ୧୩୦ଜଣଙ୍କର ୫କୋଟିରୁ ଅଧିକ ସମ୍ପତ୍ତି ରହିଛି। ୧୩୨ଜଣଙ୍କର ୨କୋଟିରୁ ଅଧିକ, ୩୦୪ଜଣଙ୍କର ୫୦ଲକ୍ଷରୁ ୨କୋଟି, ୨୮୩ଜଣଙ୍କର ୧୦ଲକ୍ଷରୁ ୫୦ଲକ୍ଷ, ୪୩୪ଜଣଙ୍କର ୧୦ଲକ୍ଷରୁ କମ୍‌ ସମ୍ପତ୍ତି ଅଛି। ୨୦୨୪ରେ ୩୨% କୋଟିପତି ପ୍ରାର୍ଥୀ ଥିବାବେଳେ ୨୦୧୯ରେ ୨୭% କୋଟିପତି ପ୍ରାର୍ଥୀ ଥିଲେ। ଧନୀ ପ୍ରାର୍ଥୀ ତାଲିକାରେ ବିଜେଡିର ସର୍ବାଧିକ ୯୭ ଜଣ ପ୍ରାର୍ଥୀ ଅଛନ୍ତି। ବିଜେପିର ୭୫ଜଣ, କଂଗ୍ରେସର ୭୩ଜଣ ପ୍ରାର୍ଥୀ, ଆପ୍‌ର ୪ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି। ଏହି ନିର୍ବାଚନରେ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨କୋଟି ୮୯ଲକ୍ଷ ଟଙ୍କା ରହିଥିବାବେଳେ ୨୦୧୯ରେ ଏହା ୧କୋଟି ୬୯ଲକ୍ଷ ଟଙ୍କା ଥିଲା। କଂଗ୍ରେସର ୧୪୫ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ହିସାବ କଲେ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୩କୋଟି ୯୫ଲକ୍ଷ ଟଙ୍କା ରହିଛି। ଯେତେବେଳେକି ବିଜେପିର ୧୪୭ ଜଣ ପ୍ରାର୍ଥୀଙ୍କର ୬କୋଟି ୪୫ଲ% ଏବଂ ବିଜେଡିର ୧୦କୋଟି ୨୪ଲକ୍ଷ ଟଙ୍କା ରହିଛି। ଆପ୍‌ର ୪୧ଜଣ ପ୍ରାର୍ଥୀଙ୍କର ହାରାହାରି ସମ୍ପତ୍ତି ମୂଲ୍ୟ ୧କୋଟି ୪୩ଲକ୍ଷ ଟଙ୍କା ରହିଛି। ଧନୀ ବିଧାୟକ ପ୍ରାର୍ଥୀ ତାଲିକାରେ ସବୁଠୁ ଉପରେ ଦିଲୀପ ରାୟ ରହିଛନ୍ତି। ତାଙ୍କର ୩୧୩କୋଟି ୫୩ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ସେହିପରି ଏହି ତାଲିକାର ଦ୍ବିତୀୟ ସ୍ଥାନରେ ବିଜେଡିର ଚମ୍ପୁଆ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କର ୨୨୭କୋଟି ୬୭ଲକ୍ଷ ଟଙ୍କା, ତୃତୀୟ ସ୍ଥାନରେ ବସ୍ତାର ବିଜେଡି ପ୍ରାର୍ଥୀ ସୁବାସିନୀ ଜେନାଙ୍କର ୧୩୫କୋଟି ୧୭ଲକ୍ଷ ଟଙ୍କାର ସମ୍ପତ୍ତି ଅଛି। ଅପରପକ୍ଷେ ୫ଜଣ ପ୍ରାର୍ଥୀଙ୍କର କିଛି ବି ସମ୍ପତ୍ତି ନାହିଁ। ସ୍ବାଧୀନ ପ୍ରାର୍ଥୀ ଭବାନିପାଟଣାର ରମେଶ କୁମାର ମହାନନ୍ଦ, କଣ୍ଟାବାଞ୍ଜିର ସୋହନ ସିପ୍‌କା, ଧାମନଗରର ସଞ୍ଜୟ କୁମାର ଦାସ, କୋରେଇରେ ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆର ଗୋପାଳକୃଷ୍ଣ ମହାନ୍ତିଙ୍କର ଟଙ୍କାକର ବି ସମ୍ପତ୍ତି ନାହିଁ। ସବୁଠୁ କମ୍‌ ସମ୍ପତ୍ତି ଉଦଳାର ସ୍ବାଧୀନ ପ୍ରାର୍ଥୀ ବେଣୁଧର ମହାପାତ୍ରଙ୍କର ୬୪୫ଟଙ୍କା ଅଛି।

ଅପରପକ୍ଷେ ଘସିପୁରାର ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କର ୧୨୨କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ୧୦୬କୋଟି ଟଙ୍କାର ଋଣ ଅଛି। ଚଳିତ ନିର୍ବାଚନରେ ସବୁଠୁ ଋଣଗ୍ରସ୍ତ ପ୍ରାର୍ଥୀ ପାଲଟିଛନ୍ତି ସୌମ୍ୟରଂଜନ। ଧୀନ ତାଲିକାରେ ଦ୍ବିତୀୟରେ ଥିବା ସୁବାସିନୀଙ୍କର ୨୯କୋଟି ଟଙ୍କାର ଋଣ ଅଛି। ଭଣ୍ଡାରୀପୋଖରୀରର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କର ୮୬କୋଟି ୫୮ଲକ୍ଷ ଟଙ୍କାର ସମ୍ପତ୍ତି ଥିବାବେଳେ ୨୦କୋଟି ୭୬ଲକ୍ଷ ଟଙ୍କାର ଋଣ ଅଛି। ଋଣୀ ପ୍ରାର୍ଥୀ ତାଲିକାରେ ନିରଞ୍ଜନ ତୃତୀୟ ସ୍ଥାନରେ ଅଛନ୍ତି।

ଏଥର ୨ଜଣ ପାଠ ପଢ଼ିନଥିବା ପ୍ରାର୍ଥୀ ଅଛନ୍ତି। ଯେତେବେଳେକି ୨୦୧୯ରେ ସବୁ ପ୍ରାର୍ଥୀ ଶିକ୍ଷିତ ଥିଲେ। ଏଥର ନିର୍ବାଚନରେ ୧୨ଜଣ ନାମ ଦସ୍ତଖତ କରି ଜାଣିଥିବା, ୪୮ଜଣ ୫ମ ପାସ୍, ୧୦୪ଜଣ ୮ମ ପାସ୍, ୨୧୧ଜଣ ଜଣ ଦଶମ ପାସ୍, ୨୦୩ଜଣ ଦ୍ବାଦଶ ପାସ୍, ୨୭୨ଜଣ ସ୍ନାତକ, ୧୬୧ଜଣ ବୃତ୍ତିଗତ ସ୍ନାତକ, ୧୯୩ଜଣ ସ୍ନାତକୋତ୍ତର, ୧୮ଜଣ ଡକ୍ଟରେଟ୍,୫୧ଜଣ ଡିପ୍ଲୋମା ପଢ଼ିଛନ୍ତି। ୮୦ବର୍ଷରୁ ଅଧିକ ପ୍ରାର୍ଥୀ ଏଥର ୨ଜଣ ଥିବାବେଳେ ଗତଥର ମାତ୍ର ଜଣେ ପ୍ରାର୍ଥୀ ଥିଲେ। କେନ୍ଦୁଝର ପାଟଣାର ୮୩ବର୍ଷୀୟ କଂଗ୍ରେସ ପ୍ରାର୍ଥୀ ହୃଷିକେଶ ନାୟକ ସବୁଠୁ ବରିଷ୍ଠ ପ୍ରାର୍ଥୀ। ସେହିପରି ବିଜେଡିର ୫ଜଣ ପ୍ରାର୍ଥୀଙ୍କ ବୟସ ୭୬ବର୍ଷରୁ ଅଧିକ, କଂଗ୍ରେସର ୪ଜଣ, ଭାରତୀୟ ସଂପୂର୍ଣ୍ଣ କ୍ରାନ୍ତିକାରୀ ଦଳର ଜଣେ ପ୍ରାର୍ଥୀଙ୍କ ବୟସ ୭୬ବର୍ଷରୁ ଅଧିକ। ଅପରପକ୍ଷେ ୭ଜଣ ପ୍ରାର୍ଥୀଙ୍କ ବୟସ ୨୫ବର୍ଷ ରହିଛି। ଏଥିରୁ ୪ଜଣ ସ୍ବାଧୀନ, ମାନସ‌ ଲୋକଶକ୍ତି ଦଳର ୨ଜଣ, ବିଏସ୍‌ପିର ଜଣେ ପ୍ରାର୍ଥୀ ଅଛନ୍ତି। ସବୁ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ବୟସ ୨୫ବର୍ଷରୁ ଅଧିକ।
ଓଡ଼ିଶା ଇଲେକ୍ସନ ୱାଚ୍‌ର ସଂଯୋଜକ ରଂଜନ ମହାନ୍ତି, ଉପଦେଷ୍ଟା ତଥା କୋର୍‌ କମିଟି ସଦସ୍ୟ ସହଦେବ ସାହୁ, ଡାକ୍ତର ସେବା ମହାପାତ୍ର, କ୍ଷମାକାର ସ୍ବାଇଁ ଆଜି ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି।