ପୁରୀ: ବ୍ରିଟିସ ଦାର୍ଶନିକ ୧୮୪୭ ମସିହାରେ ଶ୍ରୀକ୍ଷେତ୍ରର ରଥଯାତ୍ରା ଦେଖି ଖାଲି ବିସ୍ମିତ ହୋଇନଥିଲେ, ବରଂ ଆଧ୍ୟାତ୍ମିକ ଭାବନା ଦେଖି ମୋହଭଙ୍ଗ ହୋଇଥିଲା। ସେ ‘ପିକଚର୍ସ ଇଲଷ୍ଟ୍ରେସନ୍‌ ଅଫ୍‌ ଆନ୍‌ସିଏଣ୍ଟ ଆର୍କିଟେକ୍‌ଚର୍‌ ଇନ୍‌ ହିନ୍ଦୁସ୍ତାନ’ ପୁସ୍ତକର ୪୩ ପୃ୍ଷ୍ଠାରେ ଲେଖିଥିବା ‘ହିଜ ଗର୍ଡସିପ୍‌ସ ଜର୍ଣ୍ଣି ବାଇ କାର୍‌’ ପ୍ରବନ୍ଧରେ ଅତି ଭୟଙ୍କର ଦୃଶ୍ୟ ବର୍ଣ୍ଣନା କରିଛନ୍ତି।
ସେ ଲେଖିଛନ୍ତି, ଶହଶହ ଲୋକଙ୍କ ଶବ ରାସ୍ତାରେ ପଡ଼ିଥାଏ। ରାସ୍ତାଗୁଡ଼ିକ ସେମାନଙ୍କ ହାଡ଼ରେ ଧଳା ଦେଖାଯାଉଥାଏ। ଲୋକେ ରଥ ତଳେ ନିଜକୁ ସମର୍ପଣ କରିଦେଇଥାଆନ୍ତି। ଆଶ୍ଚର୍ଯ୍ୟ ଯେ କେତେକ ଧର୍ମାନ୍ଧ ବ୍ୟକ୍ତି ନିଜ ଶରୀର ଦ୍ବାରା ରାସ୍ତାକୁ ମାପୁଥିଲେ। କେତେଜଣ ରାସ୍ତା ଉପରେ ଗଡ଼ୁଥିଲେ। କିଛି ଭକ୍ତ ଅସଙ୍ଗତ କ୍ରିୟାକଳାପ କରୁଥିଲେ। ଏହା ସତ ଯେ ଅନେକ ଭକ୍ତ ନିଜକୁ ରଥ ତଳେ ନିକ୍ଷେପ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେଠାରେ ଠିଆ ହୋଇଥିବା ଅନ୍ୟ ଲେକମାନେ ସେମାନଙ୍କୁ ରଥ ମାଡ଼ି ଆସିବା ପୂର୍ବରୁ ଧକ୍କା ମାରି କିମ୍ବା ଗୋଇଠା ମାରି ଘୁଞ୍ଚେଇ ଦେଉଥିଲେ।

Advertisment

ସେ ଏକଥା ବି ଲେଖିଛନ୍ତି, ମୁଁ ଚାରି ଆଡ଼େ ଗୋଟେ ଯାତ୍ରୀର ଖପୁରୀ ଖୋଜିବାକୁ ଚେଷ୍ଟା କରୁଥିଲି। ତା’ର ଭକ୍ତିଭାବକୁ ପରୀକ୍ଷା କରିବା ପାଇଁ ଚାହିଥିଲି। ପାଇଥିଲେ ଆଗ୍ରହ ବଶତଃ ନିଜ ପାଖରେ ରଖିଥାଆନ୍ତି କିନ୍ତୁ ଖପୁରୀ ତ ଦୂରର କଥା ମୁଁ ତା’ର ହାଡ଼ ଖଣ୍ଡିଏ ମଧ୍ୟ ପାଇଲି ନାହିଁ। ଏଥିରୁ ସେତେବେଳର ରଥ ସମୟରେ ଭକ୍ତମାନେ ନିଜକୁ ରଥ ତଳେ ସମର୍ପି ଦେବାର ଦୃଶ୍ୟ ବିବେଚନା କରାଯାଇପାରେ। ଫର୍ଗୁସନ ଏକଥା ବି ଉଲ୍ଲେଖ କରିଛନ୍ତି, ମୁଁ ଯେଉଁବର୍ଷ ରଥଯାତ୍ରା ଦେଖିଲି ସେବର୍ଷ ଭାଗ୍ୟ ଅନୁକୂଳ ନଥିଲା। ଠାକୁରଙ୍କ ରଥ କିଛି ବାଟ ଅଗ୍ରସର ହେବାପରେ କାଦୁଅରେ ଅଟକି ଯାଇଥିଲା। ରାସ୍ତା ଏତେ କର୍ଦମାକ୍ତ ଥିଲା ଯେ ଠାକୁରଙ୍କୁ ତାଙ୍କର ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାକୁ ତିନିଦିନ ଲାଗିଥିଲା। ଏତେ ବଡ଼ ରଥ ମୁଁ କେଉଁଠାରେ ଦେଖିନାହିଁ କିମ୍ବା କୌଣସି ଯାତ୍ରାରେ ଏତେ ଜନ ସମାଗମ ଦେଖିନାହିଁ। ଧର୍ମ ପ୍ରଚାରକମାନେ ତୀର୍ଥକର ପାଇବା ପର୍ଯ୍ୟନ୍ତ ପାଟିତୁଣ୍ଡ କରୁଥିଲେ। ସରକାରଙ୍କ ହସ୍ତକ୍ଷେପ ବନ୍ଦ ହେବାର ପ୍ରଥମ ବର୍ଷରେ ୮ ଜଣ ତୀର୍ଥଯାତ୍ରୀ ରଥ ତଳେ ଆତ୍ମାହୁତି ଦେଇଥିଲେ। ଶୁଣାଯାଏ ଭୁଲବଶତଃ ରଥ ଚକ ଭିତରେ ପଶିଯିବା ଦ୍ବାରା ସେମାନଙ୍କର ମୃତ୍ୟୁ ଘଟିଥିଲା। ସମ୍ଭବତଃ ପୂଜାରୀମାନେ ତାଙ୍କ ଠାକୁରଙ୍କୁ ବଳିଦେବା ନିମନ୍ତେ ସେମାନଙ୍କୁ ଜବରଦସ୍ତ ଠେଲି ଦେଇଥିଲେ। ସାଧାରଣ ତଥା ରାଜନୈତିକ ଜୀବନରେ ହସ୍ତକ୍ଷେପ କରି ଯଦି ଆମେ ସେମାନଙ୍କୁ ପରିଚାଳନା କରୁ, ତା’ହେଲେ କୌଣସି ଭୁଲ ହେବ ନାହିଁ ବୋଲି ସେ ଉଲ୍ଲେଖ କରିଥିଲେ।