‌ଗଞ୍ଜାମରେ ଶିଶୁ ବିକାଶ ଯୋଜନାର ବିକଳ ଚିତ୍ର: ବାରଣ୍ଡା, କୋଠଘର, ଭଡ଼ାଘରେ ୧୮୦୫ ଅଙ୍ଗନବାଡ଼ି କେନ୍ଦ୍ର

ପାଇଖାନା ଘର, ଖୋଲାମେଲାରେ ରୋଷେଇ
୫୧୬୧ କୋଠା ପାଇଁ ଅନୁଦାନ, ୩୪୧୩ ସରିଛି
୭୭ ହସ୍ତାନ୍ତର ହୋଇପାରୁନି, ୬୦୭ କୋଠା ଆରମ୍ଭ ହୋଇନି

ବ୍ରହ୍ମପୁର/ଜଗନ୍ନାଥପ୍ରସାଦ/ଛତ୍ରପୁର : ଫଟୋରେ ପାଠକ ଦେଖୁଥିବା ଏହି ଦୃଶ୍ୟ ହେଉଛି, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଛାମୁଣ୍ଡା ପଞ୍ଚାୟତ ଲକ୍ଷ୍ମଣପଲ୍ଲୀ ରୟତ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ବାରଣ୍ଡାର। ଦିନେ କି ଦୁଇଦିନ ନୁହେଁ, ପ୍ରତିଦିନ ଏହି ବିଦ୍ୟାଳୟର ବାରଣ୍ଡାରେ ଗାଁର ଅଙ୍ଗନବାଡ଼ି କେନ୍ଦ୍ର ପିଲାଙ୍କୁ କାମଚଳା ଭାବେ ପାଠ ପଢ଼ାଯିବା ସହ ପରିତ୍ୟକ୍ତ ପାଇଖାନା‌ରେ ଭୋଜନ ରୋଷେଇ ହୋଇ ପିଲାଙ୍କୁ ପରସା ଯାଏ। ଏଠାରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ସୁଦଷ୍ଣା ପ୍ରଧାନଙ୍କ କହିବାନୁସାରେ, ‘ବହୁବର୍ଷ ହେଲା ଗାଁର ଅଙ୍ଗନବାଡ଼ି କେନ୍ଦ୍ର ଏମିତି ଅସ୍ଥାୟୀ ଭାବେ ହିଁ ପରିଚାଳିତ ହେଉଛି। କୋମଳମତି ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପ୍ରତିମାସରେ ଏମ୍‌ପିଆର୍ ଦେବା ବେଳେ ଅବ୍ୟବସ୍ଥା ବିଷୟରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ସିନା, କୌଣସି ସୁଫଳ ମିଳୁନି।’ ‘ଖାଲି ଏତିକି ନୁହେଁ, ଦୁଇବର୍ଷ ତଳେ ୮ ଲକ୍ଷ ୨୦ହଜାର ଟଙ୍କା ବ୍ୟୟରେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ କୋଠା କାମ ଶେଷ ହୋଇସାରିଛି। କିନ୍ତୁ ଏହା ଆମକୁ ହସ୍ତାନ୍ତର ହୋଇନି।’ ସେପଟେ ଠିକାଦାର ତଥା ପୂର୍ବତନ ସରପଞ୍ଚ ବିଜୟ କୁମାର ଗୌଡ଼ଙ୍କ କହିବାନୁସାରେ କୋଠାର ନିର୍ମାଣ ବାବଦରେ ‘ମୁଁ ୧ ଲକ୍ଷ ୨୦ହଜାର ଟଙ୍କା ପ୍ରାପ୍ୟ ପାଇନି। କୌଣସି ଅଧିକାରୀ ଟଙ୍କା ଦେଉନାହାନ୍ତି। ଟଙ୍କା ପାଇଲେ ଚାବି ଦେଇଦେବି।’

ତେବେ କେବଳ ଏହି ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ନୁହେଁ, ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍‌ର ପ୍ରତି ଗ୍ରାମାଞ୍ଚଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ବାସ୍ତବ ଚିତ୍ର ପରଖିଲେ ଏହି ଅବ୍ୟବସ୍ଥା ଜଳଜଳ ହୋଇ ଦିଶିବ। ଆଜି ବି ପରିତ୍ୟକ୍ତ କୋଠା, କୋଠ ଓ ଆଖଡ଼ା ଘର, ଭଡ଼ାଘର ଏବଂ କୁଡ଼ିଆରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଛି। କେଉଁଠି କୋଠା କାମ ମୂଳରୁ ଆରମ୍ଭ ହୋଇନି, ତ ଆଉ କେଉଁଠି କୋଠା କାମ ସରିଥିଲେ ବି ଠିକାଦାର ଏହାକୁ ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତର କରୁନାହାନ୍ତି। କିଛି କେନ୍ଦ୍ର ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଚାଲିଛି। କେତେବେଳେ କଣ ଘଟିବ କିଛି କହି ହେବନାହିଁ। ସେହିପରି ଖୋଲାମେଲା ଆକାଶରେ ଅପରିଷ୍କାର ପରିବେଶ ଭିତରେ ଖାଦ୍ୟ ରୋଷେଇ ହେଉଥିବାର ଚିତ୍ର ବି ସାମ୍ନାକୁ ଆସୁଛି। ଅଙ୍ଗନବାଡ଼ି କେନ୍ଦ୍ର କୋଠାର କାମ ଶେଷ କରିବାକୁ କେବଳ ଡେଡ୍‌ଲାଇନ୍‌ ଜାରି ହେଉଛି, କିନ୍ତୁ କୌଣସି ସୁଫଳ ମିଳୁନି।

ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଗଞ୍ଜାମ ଜିଲ୍ଲାରେ ମୋଟ ୫୧୬୧ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଥିବା ନିଜସ୍ବ କୋଠା ନିର୍ମାଣ ଲାଗି ରାଜ୍ୟ ସରକାର ଅନୁଦାନକୁ ମଞ୍ଜୁର ଦେଇଛନ୍ତି। ତାଜା ତଥ୍ୟାନୁସା‌ରେ, ଏବେ ୩୪୧୩ କେନ୍ଦ୍ରର କୋଠା କାମ ଶେଷ ହୋଇଥିବା ୧୧୨୧ କେନ୍ଦ୍ରର କୋଠା କାମ ନିର୍ମାଣାଧୀନ ରହିଛି। ୬୦୭ କେନ୍ଦ୍ର କୋଠାର କାମ ମୂଳରୁ ଆରମ୍ଭ ହୋଇନି। ସବୁଠୁ ଦୁଃଖର କଥା ହେଲା, ୭୭ଟି ‌କୋଠାର କାମ ଶେଷ ହୋଇସାରିଥିଲେ ବି ଏଯାବତ୍ ତାହା ଆଇସିଡିଏସ୍ ବିଭାଗକୁ ହସ୍ତାନ୍ତର ହୋଇପାରୁନି। ଠିକାଦାରଙ୍କ ପ୍ରାପ୍ୟଠୁ ଆରମ୍ଭ କରି ବିଭିନ୍ନ କାରଣରୁ ତାହା ଅଟକି ରହିଛି। ଫଳରେ ସମସ୍ତ କେନ୍ଦ୍ର ଅବ୍ୟବସ୍ଥା ଘେରରେ ଚାଲିଛି। କିଛି ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ କୋଠା ନଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଛାଡ଼ୁନାହାନ୍ତି।

ପାତ୍ରପୁର ଭଳି ଦୁର୍ଗମ ବ୍ଲକ୍‌ରେ ଏହି ସମସ୍ୟା ଜଟିଳ। ତେବ‌େ ‘ସୋଫାନ୍ ସ୍କିମ୍‌’ରେ ପାତ୍ରପୁର ଓ ସୋରଡ଼ା ବ୍ଲକ୍‌ର ୧୦ଟି ଲେଖାଁଏ ୨୦ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ କୋଠା ନିର୍ମାଣ ପାଇଁ ବର୍ତ୍ତମାନ ମଞ୍ଜୁର ମିଳିଛି। ଜାଗା ଚିହ୍ନଟ କରି ତୁରନ୍ତ କାମ ଆରମ୍ଭ କରିବାକୁ ଯୋଜନା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଜିଲ୍ଲାରେ ୫୧୬୧ ଅଙ୍ଗନବାଡ଼ି କେନ୍ଦ୍ରରେ ଆବଶ୍ୟକ ୫୧୬୧ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ସ୍ଥାନରେ ୫୦୫୪ ଜଣ ଅଛନ୍ତି। ୧୦୭ ପଦବି ଖାଲିପଡ଼ିଛି। ସେହିପରି ୨୪ ଜଣ ହେଲପର୍ ପଦବି ଖାଲି ପଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର