ମାହାଙ୍ଗା: ରାଜ୍ୟରେ ଏଭଳି ଏକ ଥାନା ରହିଛି ଯେଉଁଠି ପୁଲିସ କର୍ମଚାରୀ ବାରାକ୍‌ ବଦଳରେ ରହୁଛନ୍ତି ପଞ୍ଚାୟତ କାର୍ଯ୍ୟାଳୟରେ। ଥାନାରେ ମହିଳା ପୁଲିସ କର୍ମଚାରୀଙ୍କ ପାଇଁ ପୋଷାକ ବଦଳାଇବା ଗୃହ ନଥିବାରୁ ମନ୍ଦିର ରୋଷଘରକୁ ଏଥିପାଇଁ ବ୍ୟବହାର କରୁଛନ୍ତି। ଅଭିଯୋଗ ନେଇ ଥାନାକୁ ଆସୁଥିବା ଲୋକଙ୍କ ପାଇଁ ଜାଗା ନଥିବାରୁ ବରଗଛ ମୂଳେ ବସୁଛନ୍ତି। ଥାନାରେ ଶୌଚାଳୟ ସୁବିଧା ନାହିଁ। ଅଭ୍ୟର୍ଥନା ଗୃହରେ ଥିବା ଏକମାତ୍ର ଶୌଚାଳୟ ଉପରେ ସମସ୍ତେ ନିର୍ଭର କରୁଛନ୍ତି। ହାଜତ ଗୃହ ଗୋଦାମ ପାଲଟିଛି। ଦୁର୍ବଳ ଭିତ୍ତିଭୂମି ସହିତ ସ୍ବୀକୃତିପ୍ରାପ୍ତ ପଦରୁ ୪୯ଟି ଖାଲି ପଡ଼ିଛି। କଟକ ଜିଲ୍ଲା ମାହାଙ୍ଗା ଥାନାର ଏଭଳି ବିକଳ ଚିତ୍ର ଦେଖିଲେ ଅପରାଧୀଙ୍କୁ ମୁକାବିଲା କ୍ଷେତ୍ରରେ ଏହି ଥାନା କେତେ ସକ୍ଷମ ହେଉଥିବ ସହଜରେ ବାରି ହୋଇପଡ଼ୁଛି।

Advertisment

ସୂଚନା ଅନୁସାରେ, ମାହାଙ୍ଗା ଥାନା ଅଧୀନରେ ଗୋଟିଏ ଫାଣ୍ତି ଥିବା ବେଳେ ୨୭ଟି ପଞ୍ଚାୟତ ବାସିନ୍ଦା ଏହି ଥାନା ଉପରେ ନିର୍ଭର କରୁଛନ୍ତି। ଏଠାରେ ଜଣେ ଏସ୍‌ଆଇ, ୩ ଏଏସ୍‌ଆଇ, ୧୫ କନେଷ୍ଟବଳ, ୩୦ରୁ ଅଧିକ ହୋମ୍‌ଗାର୍ଡ ପଦବି ଖାଲିପଡ଼ିଛି। ମହିଳା କନେଷ୍ଟବଳ ପଦବି ପୂରଣ ହେଉ ନଥିବାବେଳେ ଦୁଇ ମହିଳା ହୋମ୍‌ଗାର୍ଡଙ୍କ ଦ୍ବାରା କାମ ଚାଲୁଛି। ମହିଳା ଥାନା ଅଧିକାରୀ ପଦବି ମଧ୍ୟ ଫାଙ୍କା ପଡ଼ିଛି। 

ମନ୍ଦିର ରୋଷଘରେ ମହିଳା ପୁଲିସ ବଦଳାଉଛନ୍ତି ପୋଷାକ
ବରଗଛ ମୂଳେ ଅପେକ୍ଷା କରୁଛନ୍ତି ଅଭିଯୋଗକାରୀ
ହାଜତ ପାଲଟିଛି ଗୋଦାମ; ଖାଲିପଡ଼ିଛି ୪୯ ପଦ

ସାଧାରଣ ଲୋକ ଅଭିଯୋଗ କରିବାକୁ ଆସିଲେ ବସିବା ପାଇଁ ଜାଗା ନ ଥିବାରୁ ସେମାନେ ବାଧ୍ୟହୋଇ ବରଗଛ ଚଉତରାରେ ବସୁଛନ୍ତି। ମହିଳା ପୁଲିସ୍‌ଙ୍କ ପାଇଁ ଥାନାରେ ପୋଷାକ ବଦଳାଇବାକୁ ଗୃହଟିଏ ନାହିଁ। ଥାନା ନିକଟରେ ଥିବା ପୀର ମନ୍ଦିର ରୋଷ ଗୃହରେ ଏବେ ପୁଲିସ୍‌ କର୍ମଚାରୀ ରହୁଛନ୍ତି। ପୀର ମନ୍ଦିର ପରିସରରେ ବସି ମାମଲାର ସମାଧାନ କରାଯାଉଛି। ଥାନା ଚାରିପଟେ ପାଚେରି ନାହିଁ। ପୁରୁଣା ଥାନା ଘର ବିପଦସଙ୍କୁଳ ଅବସ୍ଥାରେ ରହିଛି। କ୍ବାର୍ଟର୍ସ ପରିସର ଜଙ୍ଗଲମୟ ହୋଇଥିବା ବେଳେ ଜବତ ଗାଡ଼ିଗୁଡ଼ିକ ସେଠାରେ ଜମାହୋଇ ରହିଛି। ଏହି ଥାନା ଅଧୀନରେ ଥିବା କୁମୁଡ଼ା ଜୟପୁର ଫାଣ୍ତିରେ ମଧ୍ୟ କର୍ମଚାରୀ ଅଭାବ ସାଙ୍ଗକୁ ପେଟ୍ରୋଲିଂ ପାଇଁ ଗାଡ଼ି ନାହିଁ। ସାଲେପୁର-କୁଆଁପାଳ ରାସ୍ତାର ଛତ୍ରତୋଟା ଛକଠାରୁ ମାହାଙ୍ଗା ଥାନା ୨ କିମି ଦୂରରେ ଅବସ୍ଥିତ। ଏହି ଛକଠାରୁ ଥାନାକୁ ଯିବାଆସିବା ସୁବିଧା ନଥିବାରୁ ଅନେକ ଲୋକ ସମସ୍ୟା ଭୋଗୁଛନ୍ତି। ଦୟନୀୟ ସ୍ଥିତିରେ ଥିବା ଏହି ଗୁରୁତ୍ବପୂର୍ଣ୍ଣ ଥାନା ଉଚ୍ଚ କର୍ତ୍ତୃପକ୍ଷଙ୍କ ନଜରକୁ କେବେ ଆସିବ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।