ବଲାଙ୍ଗୀର/ଦେଓଗାଁ: ବଲାଙ୍ଗୀର ଜିଲ୍ଲାରେ ୟୁରିଆ ସାରର ଉତ୍କଟ ଅଭାବ ଦେଖାଦେଇଛି। ପ୍ୟାକ୍ସ ଜରିଆରେ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ଯୋଗାଇ ଦିଆଯାଉଛି ବୋଲି ବିଭାଗୀୟ ଅଧିକାରୀ କହୁଛନ୍ତି। କିନ୍ତୁ ସାର ପାଇଁ ପ୍ରାୟ ସବୁ ଜାଗାରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି। ଦେଓଗାଁ ବ୍ଲକ୍ରେ ୟୁରିଆ ସାର ଅଭାବର ବିକଳ ଚିତ୍ର ସାମନାକୁ ଆସିଛି। ସାର ପାଇଁ ପ୍ୟାକ୍ସରେ ଚାଷୀଙ୍କ ବଦଳରେ ଆଧାରକାର୍ଡ ଲାଇନ୍ରେ ରହୁଛନ୍ତି। ଗୌଡ଼ଗୋଠ କୃଷି ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ରାତି ୩ଟାରୁ ଲାଇନ୍ ଲଗାଇଥିଲେ। ସକାଳ ଯାଏଁ ଲାଇନ୍ରେ ଛିଡ଼ାହେବା କାଠିକର ପାଠ। ତେଣୁ ଶ୍ରମଭାର ଲାଘବ ପାଇଁ ଚାଷୀମାନେ ସାଙ୍ଗରେ ଆଣିଥିବା ଆଧାରକାର୍ଡକୁ ଲାଇନ୍ରେ ରଖି ଦେଇଥିଲେ।
ଫଳରେ ସକାଳେ ପ୍ୟାକ୍ସ ସମ୍ମୁଖରେ ଆଧାରକାର୍ଡର ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ଉକ୍ତ ପ୍ୟାକ୍ସରେ ୭୬୦ ଜଣ ଚାଷୀ ଖରିଫ ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରିଛନ୍ତି। ହେଲେ ମାତ୍ର ୩୧୫ ବସ୍ତା ସାର ଆସିଛି। ପ୍ରଥମେ ଋଣ ନେଇଥିବା ଚାଷୀଙ୍କୁ ୟୁରିଆ ସାର ଦେବାକୁ ନିୟମ ରହିଥିବାରୁ ଅଣଋଣୀ ଚାଷୀ ଆଧାରକାର୍ଡ ଧରି ଲାଇନ୍ ଲଗାଉଛନ୍ତି। କମ୍ ସାର ଥିବା ଯୋଗୁଁ ବଣ୍ଟନରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସାର ଅଭାବକୁ ନେଇ ବ୍ଲକ୍ କୃଷି ଅଧିକାରୀ ରୋହନ ଭୋଇ କହିଛନ୍ତି, ପ୍ରଚୁର ପରିମାଣରେ ସାର ଆସିଛି ଏବଂ ଦେଓଗାଁରେ ଥିବା ୧୨ଟି ପ୍ୟାକ୍ସକୁ ୩୧୫/୩୨୦ ବସ୍ତା ଲେଖାଏଁ ସାର ଆସିଛି। ହେଲେ ଚାଷୀଙ୍କ ହାତରେ ସାର ନଥିବାରୁ ସେମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଲାଗି ରହିଛି।