ଅସହାୟ ପରିବାରର କରୁଣ କାହାଣୀ

ବାମରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ଲରିଆପାଲି ପଞ୍ଚାୟତ ନୂଆଁଡିହି ଗ୍ରାମ ପୁଖରାମାଲ ସାହିରେ ଏକ ଗରିବ ଅସହାୟ ପରିବାରର କରୁଣ କାହାଣୀ ଏବେ ସାମ୍ନାକୁ ଆସିଛି। ଶଯ୍ୟାଶାୟୀ ବାପା ଓ ୬ ଭାଇଭଉଣୀଙ୍କ ବୋଝ ଜଣେ ନାବାଳିକା ମୁଣ୍ଡରେ ପଡ଼ିଛି।

ପୁଖରାମାଲଠାରେ ମୋଟ୍‌ ୧୪ ପରିବାର ବାସ କରୁଛନ୍ତି। ସେହି ଗାଁରେ ରହନ୍ତି ଉମେଶ ମୁଣ୍ଡା(୪୦)ଙ୍କ ପରିବାର। ଗତ ଜୁନ୍‌ ମାସ ୧୧ ତାରିଖରେ ଉମେଶଙ୍କ ସ୍ତ୍ରୀ ଉର୍ମିଳା ମୁଣ୍ଡା(୩୫)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିଲା। ଘରେ ରହିଲେ ୭ ପୁଅଝିଅ। ବଡ଼ ଝିଅ ଲିଲିମା ମୁଣ୍ଡା(୧୭) ଗତ ବର୍ଷ ମାଟ୍ରିକ ପାସ କରିଥିଲେ ହେଁ ନିଜ କୁନି କୁନି ୬ ଭାଇ ଭଉଣୀଙ୍କ ସେବାଯତ୍ନ ପାଇଁ ଅଧିକ ପାଠ ପଢ଼ି ପାରିଲେ ନାହିଁ। ଦ୍ଵିତୀୟ ଝିଅ ଆଶ୍ରିତା(୧୫) ନିକଟସ୍ଥ ଜରାବଗା ଆଶ୍ରମ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଛି। ତୃତୀୟ ଓ ଚତୁର୍ଥ ସନ୍ତାନ ଦୀପିକା(୭) ଓ ଭୂମିକା(୭) ଦୁହେଁ ଯାଆଁଳା ଅଟନ୍ତି। ସେମାନେ ସ୍ଥାନୀୟ ନୂଆଁଡିହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ହିଁ ପାଠ ପଢୁଛନ୍ତି। ପଞ୍ଚମ ଝିଅ ଅମୃତା ମୁଣ୍ଡା(୬) ଚଳିତ ବର୍ଷ ଅଙ୍ଗନବାଡ଼ି କେନ୍ଦ୍ରରୁ ବାହାରି ସାରିଛନ୍ତି। ସେହିଭଳି ଷଷ୍ଠ ଓ ସପ୍ତମ ସନ୍ତାନ ଅଜୟ(୨) ଓ ବିଜୟ(୨) ବର୍ଷକୁ ମିଶାଇ ମୋଟ୍‌ ୮ ପ୍ରାଣୀ କୁଟୁମ୍ବ ଅଛନ୍ତି। ସ୍ତ୍ରୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଦିନମଜୁରିଆ ଉମେଶ କୌଣସି ମତେ ନିଜ ୭ ପୁଅଝିଅଙ୍କ ପେଟକୁ ଆହାର ଯୋଗାଇ ଆସୁଥିଲେ। ତେବେ ଗତ ୧୧ ତାରିଖରେ ଉମେଶ ହଠାତ ଅସୁସ୍ଥ ହେବାରୁ ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସଙ୍କଟାପନ୍ନ ଥିବା ଉମେଶ ୪ ଦିନ ଧରି ଚିକିତ୍ସା ଚାଲିଥିଲେ ବି ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିନଥିଲା। ବ୍ରେନ୍‌ଡେଡ୍‌ ହୋଇଥିବା କହି ଡାକ୍ତର ଫେରାଇ ଦେଲେ। ଗତ ୧୬ ତାରିଖରୁ ଉମେଶ କୋମା ଅବସ୍ଥାରେ ଅଛନ୍ତି।

ଏହିଭଳି ପରିସ୍ଥିତିରେ ବଡ଼ ଝିଅ ଲିଲିମା ମୁଣ୍ଡରେ ୬ ଭାଇଭଉଣୀଙ୍କ ମୁଣ୍ଡରେ ବୋଝ ପଡ଼ିଛି। ଶଯ୍ୟାଶାୟୀ ବାପାଙ୍କ ସେବା ଶୁଶ୍ରୁଷା କରିବା ସଙ୍ଗେ ସଙ୍ଗେ ସବୁ ଭାଇ ଭଉଣୀଙ୍କ ପାଇଁ ରନ୍ଧା ବଢ଼ା, ଖିଆପିଆ, ଶିକ୍ଷା, ସ୍ୱାସ୍ଥ୍ୟ କିଭଳି କରିବେ ସେ ନେଇ ଚିନ୍ତାରେ ରହିଛନ୍ତି। ଏ ବିଷୟରେ  ଖବର ପାଇ ବାମରାର ସମାଜସେବୀ ସୁହାନି ବାଗେ ବାମରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ପାଢ଼ୀଙ୍କ ସହିତ ଯୋଗାଯୋଗ କରି ଜାତୀୟ ପରିବାର ମଙ୍ଗଳ ଯୋଜନା ସହାୟତା ଓ ଓକିଲ ସପ୍ନେଶ୍ବର ପ୍ରଧାନଙ୍କ ସହଯୋଗରେ ସାପ କାମୁଡ଼ା ସହାୟତା ରାଶି ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ଗୁରୁବାର ଉମେଶଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ବୁଝିବା ପାଇଁ ସୁହାନି ବାଗେ, ସତ୍ୟବ୍ରତ ପାଢ଼ୀ, ନୂଆଁଡିହି ଗୌନ୍ତିଆ ସୁରେନ୍ଦ୍ର ପଟେଲ, ପୁଖରାମାଲ ଅଙ୍ଗନବାଡ଼ି କର୍ମୀ ରାଜମଣି ଲାକ୍ରା ପ୍ରମୁଖ ତାଙ୍କ ଗାଁକୁ ଯାଇ ସମସ୍ତ ଭଲମନ୍ଦ ବୁଝି ଫେରିଥିଲେ।

ଉପରୋକ୍ତ ଅସହାୟ ପରିବାର ପକ୍ଷରୁ  ଛୁଆଙ୍କ ପାଠପଢା ଓ  ଅନ୍ୟାନ୍ୟ ସୁବିଧା ସୁଯୋଗ ବାବଦକୁ ଗତ ଜୁଲାଇ ମାସରେ ବାମରାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଅଭିଯୋଗ କରାଯାଇଥିଲା। ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏ ନେଇ ସମ୍ବଲପୁର ଜିଲ୍ଲା ଓ ବାମରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିବା ବେଳେ ଅତିଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ। ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର