ବାଲେଶ୍ବର/ରେମୁଣା: ‘ପ୍ରଥମେ ସ୍ବାମୀ ଛାଡ଼ି ଆରପାରିକୁ ଚାଲିଗଲେ। ପୁଅବୋହୂ ଓ ନାତି ସହ ଦୁଃଖସୁଖରେ ରହୁଥିଲି। ହେଲେ ଦଇବ ବି ଏତିକି ସହିପାରିଲା ନାହିଁ। କିଛି ବର୍ଷ ତଳେ ବୋହୂ ରୋଗରେ ପଡ଼ି ଯମ ନେଇଗଲା। ଏହାର କିଛିମାସ ପରେ ପୁଅ ବି ଦୁର୍ଘଟଣାରେ ଚାଲିଗଲା। ୧୦ ବର୍ଷ ତଳେ ଗୋଡ଼ ଉପରେ ଗଛ ପଡ଼ିଯାଇଥିଲା। ତଥାପି କଷ୍ଟେମଷ୍ଟେ ଚାଲିପାରୁଥିଲି। ହେଲେ ଧୀରେ ଧୀରେ ଅକାମି ହେବାରୁ ଆଉ ଚାଲିପାରିଲି ନାହିଁ। ଶେଷରେ ଡାହାଣ ଗୋଡ଼ର ପାଦକୁ କାଟିବାକୁ ପଡ଼ିଲା। ଏବେ ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡ଼ୁଛି।’ କୋହଭରା ସ୍ବରରେ ଏହା କହିଛନ୍ତି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତ ଆଲଦା ଗ୍ରାମର ପାତି ସିଂ।

Advertisment

ଭତ୍ତା ପାଇଁ ୫ କିମି ଗୁରୁଣ୍ଡୁଛନ୍ତି
ସବୁ ଯୋଜନା ଓ ବ୍ୟବସ୍ଥା ଫେଲ୍‌ 
ମୁଣ୍ଡ ଉପରେ ଛାତ ନାହିଁ, ଦିବ୍ୟାଙ୍ଗ ନାତିକୁ ମିଳୁନି ଭତ୍ତା

ପାତି ସିଂ(୭୫)ଙ୍କ ପରିବାର କହିଲେ କେବଳ ଏବେ ଦିବ୍ୟାଙ୍ଗ ନାତି। ଅତ୍ୟନ୍ତ ଦୁର୍ଦିନ ଭିତରେ ଜୀବନ କାଟୁଛନ୍ତି। ମୁଣ୍ଡ ଉପରେ ଛାତ ନାହିଁ। ଅଧାଭଙ୍ଗା ପଲିଥିନ୍‌ ତଳେ ନାତିକୁ ଧରି ଖରା ବର୍ଷାରେ ରହୁଛନ୍ତି। ରୋଜଗାର କହିଲେ ମାତ୍ର ହଜାରେ ଭତ୍ତା ଟଙ୍କା। ଏଥିରେ ଦୁଇ ପ୍ରାଣୀ ଚଳୁଛନ୍ତି। ତାହା ବି ଯେତିକି ମିଳିବା କଥା ପାତିଙ୍କୁ ମିଳୁନାହିଁ। ଆଉ ଏହି ଭତ୍ତା ଟଙ୍କା ଆଣିବା ପାଇଁ ପାତିଙ୍କୁ ୫ କିମି ଦୂରକୁ ଗୁରୁଣ୍ଡି ଗୁରୁଣ୍ଡି ଯାଇ ଆଣିବାକୁ ପଡ଼ୁଛି। ଯଦି କେହି ଭତ୍ତା ଆଣି ଦେଉଛନ୍ତି, ଏହା ବାବଦକୁ ପାତିଙ୍କୁ ୨ ଶହ ଟଙ୍କା ଦେବାକୁ ପଡ଼ୁଛି। ଏହା ସହିତ ପୁଣି ଖାଇବା ଖର୍ଚ୍ଚ ବି ତାଙ୍କୁ ଉଠାଇବାକୁ ପଡ଼ୁଛି। ଫଳରେ କାହାକୁ ନ କହି ପାତି ଗୁରୁଣ୍ଡି ଗୁରୁଣ୍ଡି ଯାଇ ଭତ୍ତା ଆଣୁଛନ୍ତି। ତେବେ ନାତି ଦିବ୍ୟାଙ୍ଗ ହୋଇ ବି ତାଙ୍କୁ ଭତ୍ତା ମିଳୁନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଅସହାୟକୁ ଘରେ ଆଣି ଭତ୍ତା ଓ କଣ୍ଟ୍ରୋଲ ସାମଗ୍ରୀ ଦେବାକୁ ସରକାରଙ୍କ ବ୍ୟବସ୍ଥା ଥିଲେ ବି ପାତିଙ୍କୁ ଏହି ସୁବିଧା ମିଳୁନାହିଁ। ସବୁ ବ୍ୟବସ୍ଥା ଯେପରି ତାଙ୍କ ପାଇଁ ବାଟବଣା ହୋଇଛି। ଥିଲାବାଲା ଆବାସ ଘର ହା‌ତଉଛନ୍ତି, ହେଲେ ପାତିଙ୍କୁ ଘର ମିଳୁନାହିଁ। ସବୁ ଯୋଜନା ଓ ବ୍ୟବସ୍ଥା ଯେପରି ତାଙ୍କ ପାଇଁ ଫେଲ୍‌ ମାରିଛି। ବଡ଼ କଥା ହେଲା, ସ୍ଥାନୀୟ ଲୋକ ପ୍ରତିନିଧି ବି  ତାଙ୍କ ପ୍ରତି ଆଖି ବୁଜି ଦେଇଛନ୍ତି। ଫଳରେ ନିଜ ଭାଗ୍ୟକୁ ଆଦରି ପାତି ଦୁଃଖ ଓ ଯନ୍ତ୍ରଣା ସହ ସଂଘର୍ଷ କରୁଛନ୍ତି। ପ୍ରଶାସନ ପକ୍ଷରୁ ପାତିଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।