କଟକ: କଟକ ବଡଡାକ୍ତରଖାନାକୁ ବିଶ୍ବସ୍ତରୀୟ କରିବାକୁ ସରକାର ୩ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି। ରାଜନଗରର ଶାସକ ଦଳ ବିଧାୟକ ଧୃବ ସାହୁ ଆଜି ନିଜ ନିର୍ବାଚନମଣ୍ଡଳୀର ଜଣେ ଅସୁସ୍ଥଙ୍କୁ ଦେଖିବା ପାଇଁ ଏସ୍ସିବିକୁ ଯାଇଥିବା ବେଳେ ଦୁଇ ରୋଗୀଙ୍କୁ ତଳେ ଶୋଇ ଚିକିତ୍ସିତ ହେଉଥିବା ଦେଖିଥିଲେ।
ଏହି ଫଟୋ ବି ସେ ଆଜି ସାମାଜିକ ଗଣମାଧ୍ୟମରେ ଛାଡିଛନ୍ତି। ଦୁଇ ଅସୁସ୍ଥଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଶ୍ରୀରାମପୁର ପାଳପାଟଣା ଗ୍ରାମର ଯୁବନେତା ନଟବର ସେଠୀଙ୍କ ପିତା ଗୌରାଙ୍ଗ ସେଠୀ ଓ ଅନ୍ୟ ଜଣେ ହେଉଛନ୍ତି ଡେଙ୍ଗୁରେ ଆକ୍ରାନ୍ତ ନାରାୟଣ ମଲ୍ଲିକ। ଡେଙ୍ଗୁ ଆକ୍ରାନ୍ତ ନାରାୟଣ ବି ତଳେ ଶୋଇ ଚିକିତ୍ସିତ ହେବା ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି।