କାଲିମେଳା: ମାଲକାନଗିରି ଜିଲ୍ଲାର ଆଦିବାସୀ ଗାଁ ଧୀରେଧୀରେ ହେଉଛି ସ୍କୁଲ୍‌ ଶୂନ୍ୟ। ଛାତ୍ର ଉପସ୍ଥାନ କମ୍‌ ଦର୍ଶାଇ ବନ୍ଦ କରାଯାଉଛି ସ୍କୁଲ୍‌। ଫଳରେ ପିଲାମାନେ ପାଠରୁ ମୁହଁମୋଡ଼ି ଚାଷ କାମ ନଚେତ ଗାଈ ଚରାଇବାକୁ ଯାଉଛନ୍ତି। ଅନେକ ପିଲା ଘର କାମରେ ବାପା ମା’ଙ୍କୁ ସାହାଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ରେ ଏହି ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ପାଖାପାଖି ୨୪୩ଜଣ ପିଲାଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି।

Advertisment

କାଲିମେଳା ବ୍ଲକ୍‌ର ବିଭିନ୍ନ ଆଦିବାସୀ ଗାଁରେ ୨୪ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯାଇଛି। ଏହିସବୁ ସ୍କୁଲରେ ନାମ ଲେଖାଇଥିବା ୨୪୩ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା ଚିନ୍ତା ନକରି ବିଦ୍ୟାଳୟ ବନ୍ଦ କରାଯାଇଛି। ଏଠାରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ବିଭିନ୍ନ ବିଦ୍ୟାଳୟରେ ଥଇଥାନ କରାଯାଇଥିବା ବେଳେ ପିଲାଙ୍କ କଥା ସରକାର ଭୁଲିଗଲେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଆଦିବାସୀ ଅଧ୍ୟୁଷିତ ଗାଁଗୁଡ଼ିକରେ ଶିକ୍ଷା ବ୍ୟବସ୍ଥାର ଏହା ହେଉଛି ଅସଲ ଚିତ୍ର। ଶିକ୍ଷା ବିଭାଗ ତଥ୍ୟ ଅନୁସାରେ, ବ୍ଲକ୍‌ର ବଟନିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ୮ଜଣ, ଭାଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ୧୨ଜଣ, ବିରାନପାଲ୍ଲୀ ନୂତନ ପ୍ରାଥମିକ ବିଦ୍ୟାଳୟରେ ୧୫ଜଣ, ଗୌଡ଼ଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟରେ ୧୫ଜଣ, ଗୁରନାମଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟରେ ୧୫ଜଣ, ଜାଲିଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟରେ ୭ଜଣ, କେନ୍ଦୁଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟରେ ୧୨ଜଣ, କୋଡେଲଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟରେ ୧୪ଜଣ, ଏମପିଭି–୭୬ ପ୍ରାଥମିକ ବିଦ୍ୟାଳୟରେ ୧୪ଜଣ, ପେଂକୁରାଇ ନୂତନ ପ୍ରାଥମିକ ବିଦ୍ୟାଳୟରେ ୧୪ଜଣ, ପୋତାଖାଲ କଲୋନି ପ୍ରାଥମିକ ବିଦ୍ୟାଳୟରେ ୧୫ଜଣ, ରାମାଗୁଡ଼ା

ପ୍ରାଥମିକ ବିଦ୍ୟାଳୟରେ ୧୪ଜଣ, ଫାର୍ମ କଲୋନି ପ୍ରାଥମିକ ବିଦ୍ୟାଳୟରେ ୧୯ଜଣ, ଏମପିଭି–୨୨ ପ୍ରାଥମିକ ବିଦ୍ୟାଳୟରେ ୨୦ଜଣ, କୋରକୁଣ୍ଡି ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୫ଜଣ, ଗୁମକା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୯ଜଣ, ଏମଭି–୧୧୩ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୧୬ଜଣ, ସଂଗେଲ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୮ଜଣ, ଫୁଲକାନକୋଣ୍ଡା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୫ଜଣ, ପେଦାୱାଡ଼ା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଜଣେ, ଏମପିଭି-୨୦ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୫ଜଣ ପିଲା ନାମ ଲେଖାଇଥିଲେ। ଅନନ୍ତପାଲ୍ଲୀ ଓ ଗାଗରିମେଟଲା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କେହି ପିଲା ନାମ ଲେଖାଇ ନଥିଲେ। ସରକାରଙ୍କ ଧାର୍ଯ୍ୟ ୨୦ଜଣ ଉପସ୍ଥାନ ନଥିଲେ ସ୍କୁଲ ବନ୍ଦ ନିଷ୍ପତ୍ତି ଯୋଗୁ ଏହିସବୁ ସ୍କୁଲରେ ବର୍ତ୍ତମାନ ତାଲା ଝୁଲୁଛି। ଏହିସବୁ ବିଦ୍ୟାଳୟ ଖୋଳିବା ପୂର୍ବରୁ ଶିକ୍ଷା ବିଭାଗ ଏଥିପ୍ରତି କାହିଁକି ଦୃଷ୍ଟି ଦେଇ ନଥିଲେ ବୋଲି ପ୍ରଶ୍ନ ଉଠିଛି। ଆଦିବାସୀ ଗାଁଗୁଡିକରେ ଶିକ୍ଷାର ବିକାଶ କରିବାକୁ ସରକାର ସ୍ଥିତି ନପରଖି ସ୍କୁଲ ଖୋଲିବାରୁ ଏବେ ରାଜ୍ୟ ରାଜକୋଷର କୋଟିକୋଟି ଟଙ୍କା ପାଣିରେ ପଡ଼ିଲା ବୋଲି କୁହାଯାଉଛି। ଶ୍ରେଣୀଗୃହ ନିର୍ମାଣ ସହ କୋଟିକୋଟି ଟଙ୍କାରେ ଅନ୍ୟ ଭିତ୍ତିଭୂମି ନିର୍ମାଣ ହୋଇଥିଲା। ଗାଁ ଗହଳିରେ ପାଠ ପଢ଼ିପାରୁ ନଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ ଏହିସବୁ ସ୍କୁଲ ଖୋଲା ଯାଇଥିଲା।