ରାଉରକେଲା/କୁଆରମୁଣ୍ଡା: ପୂର୍ବ ପୁରୁଷଙ୍କ ସୁନ୍ଦର ପୃଥିବୀ ନଷ୍ଟହେବାକୁ ବସିଛି। ସେମାନେ ଭଲ ଖାଉଥିଲେ, ଭଲ ପରିବେଶରେ ରହୁଥିଲେ। ଆମ ଆଧୁନିକ ଜୀବନଶୈଳୀ ପରିବେଶକୁ ନଷ୍ଟ କରିବାରେ ଲାଗିଛି। ଦିନ ଆସିବ, ଆମେ ଚିନ୍ତାକଲା ବେଳକୁ କିଛିନ ଥିବ। ସୁରକ୍ଷିତ ଭବିଷ୍ୟତ ଏବେ ଆମ ସମସ୍ତ ପାଇଁ ବଡ଼ ଆହ୍ବାନ ବୋଲି ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀ କହିଛନ୍ତି। ‘ସମ୍ବାଦ’ ପକ୍ଷରୁ ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଆରମୁଣ୍ଡାସ୍ଥ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ‌ ଯୋଗଦେଇ ବିଧାୟକ ଶ୍ରୀ ତିର୍କୀ କହିଛନ୍ତି, ଯାନ୍ତ୍ରିକ ଜିନିଷର ବହୁଳ ବ୍ୟବହାର ସମାଜ ଉପରେ କୁପ୍ରଭାବ ପକାଉଛି। ପ୍ଲାଷ୍ଟିକ୍‌କୁ ସମ୍ପୂର୍ଣ୍ଣ ବର୍ଜନ କରନ୍ତୁ। ଦିନକୁ ଅଧଘଣ୍ଟା ଲେଖାଏଁ ପରିବେଶ ସୁରକ୍ଷା ପାଇଁ ସମୟ ଦିଅନ୍ତୁ। ଅଧିକରୁ ଅଧିକ ଚାରାରୋପଣ କରନ୍ତୁ। ନ ହେ‌ଲେ ଆଗାମୀପିଢ଼ି ଅମ୍ଳଜାନ ପାଇଁ ଏଠିସେଠିକୁ ଦୌଡୁଥିବ। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ପରିବେଶପ୍ରେମୀ ସୁବାସ ତ୍ରିପାଠୀ ବକ୍ତାଭାବେ ଯୋଗଦେଇ କହିଥିଲେ, ଆମ ଶରୀର ପଞ୍ଚତତ୍ତ୍ବରେ ଗଢ଼ା। ପଞ୍ଚତତ୍ତ୍ବ ଅର୍ଥ ‘ବାପା ଓ ମାଆ’।

Advertisment

ବୀରମିତ୍ରପୁର ବିଧାନସଭା କ୍ଷେତ୍ରରେ ପରିବେଶ ପଞ୍ଚାୟତ

ବା’ର ଅର୍ଥ ବାୟୁ, ପା’ର ଅର୍ଥ ପାଣି, ଓ’ର ଅର୍ଥ ଓଜ ବା ତାପପାତ୍ରା, ମା’ର ଅର୍ଥ ମାଟି ଓ ଆ’ର ଅର୍ଥ ଆକାଶ। ସୁସ୍ଥ ଜୀବନ ପାଇଁ ଏହି ପାଞ୍ଚଟି ତତ୍ତ୍ବର ଆବଶ୍ୟକତା ରହିଛି। ଗୋଟିଏ ତତ୍ତ୍ବକୁ ବାଦ୍‌ଦେଇ ମଣିଷ କେବେ ବଞ୍ଚିପାରିବ ନାହିଁ। ପରିବେଶ କେତେ ପ୍ରଦୂଷିତ ହୋଇସାରିଛି, ସମସ୍ତେ ଜାଣିବା ଦରକାର। ଭବିଷ୍ୟତପିଢ଼ି କେମିତି ଭଲରେ ରହିବେ, ଏବେଠୁ ଚିନ୍ତା କରିବାର ସମୟ ଆସିଛି ବୋଲି ସେ କହିଥିଲେ। କୁଆରମୁଣ୍ଡା ତହସିଲଦାର ଚନ୍ଦ୍ରଜିତ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଶୀତଦିନେ ଶୀତ ହେଉନି, ଖରାଦିନେ ତାତି ସମ୍ଭାଳି ହେଉନି। ୧୫ ବର୍ଷ ତଳେ କର୍କଟରୋଗୀଙ୍କ ସଂଖ୍ୟା ଏତେ ନଥିଲା। ଏବେ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଦୂଷିତ ଖାଦ୍ୟ, ପାଣି ଏହାର ପ୍ରମୁଖ କାରଣ। ୧୦୦ ବର୍ଷର ଭାରତ ଏବେ ବିକାଶମୁହାଁ ‌ହୋଇଛି। ବିକଶିତ ଦେଶ ପାଇଁ କଳକାରଖାନାର ଆବଶ୍ୟକତା ରହିଛି। କିନ୍ତୁ ସେହି ଅନୁଯାୟୀ ପରିବେଶ ସୁରକ୍ଷାକୁ ଧ୍ୟାନଦେବା ଦରକାର। ଘର ଓ ପରିବାରରୁ ପରିବେଶ ସୁରକ୍ଷା ପ୍ରତି ସଚେତନ ହେବାର ବେଳ ଆସିଛି ବୋଲି‌ ସେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ କୁଆରମୁଣ୍ଡା ରେଞ୍ଜର ପଞ୍ଚନାରାୟଣ ସରାଫ ଓ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବାଶିଷ ପାଢ଼ୀ ଯୋଗଦେଇ ଜଣେ ବ୍ୟକ୍ତିର ଶରୀରକୁ ସପ୍ତାହରେ ପ୍ରାୟ ୨୦୦୦ ଖଣ୍ଡ କ୍ଷୁଦ୍ର ପ୍ଲାଷ୍ଟିକ୍‌ ଯାଉଛି। ଏଥିରୁ ପ୍ଲା‌ଷ୍ଟିକ୍‌ ଆମ ଜୀବନ ପ୍ରତି କେତେ ବିପଦ ଆଣୁଛି ବୁଝିବାକୁ ପଡ଼ିବ। ଅତିକମ୍‌ରେ ବର୍ଷକୁ ୫ଟି ଚାରାରୋପଣ କରିବା ଜରୁରୀ ହୋଇପଡ଼ିଛି ବୋଲି କହିଥିଲେ। ‘ସମ୍ବାଦ’ ରାଉରକେଲା ଜିଲ୍ଲା ପ୍ରତିନିଧି ମଳୟ ରଞ୍ଜନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କୁଆରମୁଣ୍ଡା ପ୍ରତିନିଧି କ୍ଷୀରୋଦ ମହାନ୍ତି ଧନ୍ୟବାଦ ଦେଇଥିଲେ। କନକ ନ୍ୟୁଜ୍‌ ପ୍ରତିନିଧି ଚିନ୍ମୟ ମିଶ୍ର, କ୍ୟାମେରାମ୍ୟାନ୍‌ ଗୌତମ ମାଇତି, ‘ସମ୍ବାଦ’ର ସାଗର ମହାପାତ୍ର ଓ ପ୍ରବୀର ସିଂହଦେଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।