ପୁରୀ : ନଭେମ୍ବର ୮ ତାରିଖ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଛି ରାହୁ ଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ। ଏହିଦିନ ପାକତ୍ୟାଗ, ଦେବନୀତି ନିଷେଧକୁ ନେଇ ଭିନ୍ନ ମତ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଚୂଡ଼ାନ୍ତ ଶ୍ରୀମନ୍ଦିର ନୀତିକାନ୍ତିରେ ସକାଳ ୮ଟା ୨୯ ମିନିଟ୍ରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ କରାଯାଇଥିବା ବେଳେ ଗବେଷକ, ଜ୍ୟୋତିର୍ବିଦ୍ମାନେ ଭିନ୍ନ ମତ ଦେଇଛନ୍ତି। ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ବିଧି ରହିଛି। ଯେହେତୁ ଏହିଦିନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି, ସେ ଦୃଷ୍ଟିରୁ ସୂର୍ଯ୍ୟୋଦୟ ପୂର୍ବରୁ ହିଁ ଡଙ୍ଗାଭସା ସରିବ। ସୂର୍ଯ୍ୟୋଦୟ ପରେ ସବୁକିଛି ନିଷେଧ ବୋଲି ଜ୍ୟୋତିର୍ବିଦ୍ମାନେ କହିଛନ୍ତି। ଏପରିକି ଶ୍ରୀମନ୍ଦିର ପ୍ରଶାସନ ଯେଉଁ ନୀତିକାନ୍ତି ଚୂଡ଼ାନ୍ତ କରିଛି, ସେଥିରେ ଗୁରୁତର ତ୍ରୁଟି ରହିଥିବା ବି ଅଭିଯୋଗ କରିଛନ୍ତି। ଚନ୍ଦ୍ରଗ୍ରହଣ ପୂର୍ବରୁ ଏଥିରେ ସଂଶୋଧନ ଆବଶ୍ୟକ, ନଚେତ୍ ଲୋକେ ବିଭ୍ରାନ୍ତିରେ ପଡ଼ିବେ ବୋଲି ମତ ଦେଇଛନ୍ତି।
ଶ୍ରୀମନ୍ଦିର ପରିଚାଳନା କମିଟିରେ ଅନୁମୋଦିତ ନୀତିକାନ୍ତି ଅନୁଯାୟୀ, ମଙ୍ଗଳବାର ସକାଳ ୮ଟା ୨୯ ମିନିଟ୍ଠାରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ କରାଯାଇଛି। ଏହିଦିନ ଅପରାହ୍ନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି। ସଂଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ଏଣୁ ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ପୂର୍ବଦିନ ରାତିରେ ପହୁଡ଼ ପରେ ପୁଣି ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ଅନ୍ୟମାନଙ୍କ ସହ ଆଲୋଚନା କରିଛନ୍ତି।
ଶ୍ରୀଜଗନ୍ନାଥ ସଂସ୍କୃତି ବରିଷ୍ଠ ଗବେଷକ ତଥା ଜ୍ୟୋତିର୍ବିଦ୍ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଏହିଦିନ ଅପରାହ୍ନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି। ସଂଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ଏହିଦିନ ସୂର୍ଯ୍ୟୋଦୟଠାରୁ ଅର୍ଥାତ୍ ସକାଳ ୫ଟା ୫୪ ମିନିଟ୍ ୫୩ ସେକେଣ୍ଡରୁ ଅନ୍ନଭୋଜନ, ପାକ କର୍ମ ଓ ଦେବନୀତି ନିଷେଧ କରାଯାଇଛି। ଏଣୁ ସୂର୍ଯ୍ୟୋଦୟ ପୂର୍ବରୁ ଲୋକେ ଡଙ୍ଗାଭସା କାମ କରିବା ବିଧେୟ। ଗ୍ରହଣ ସର୍ବମୋକ୍ଷ ହେବାପରେ ଅର୍ଥାତ୍ ୬ଟା ୧୮ ମିନିଟ୍ ୪୭ ସେକେଣ୍ଡ ପରେ ଲୋକେ ସ୍ନାନ ସାରି ଦେବନୀତି, ଖାଦ୍ୟ ସେବନ ଆଦି କରିପାରିବେ ବୋଲି ଡ. ଦାଶ କହିଛନ୍ତି।
ଶ୍ରୀମନ୍ଦିର ନୀତିକାନ୍ତି ସମ୍ପର୍କରେ ଡ. ଦାଶ କହିଛନ୍ତି, ରାଧାରମଣ ପ୍ରେସ ବିଶୁଦ୍ଧ ଖଡ଼ିରତ୍ନ ପଞ୍ଜିକାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ବୀକୃତି ଦେଇଛି। ଏଥିରେ ଉଲ୍ଲେଖ ରହିଛି, ସକାଳ ୮ଟା ୨୯ରେ ପାକତ୍ୟାଗ, ଦେବନୀତି ନିଷେଧ ରହିଛି। କିନ୍ତୁ ଶେଷପୃଷ୍ଠାରେ ଏହା ସଂଶୋଧନ କରାଯାଇଛି। ଯେଉଁଥିରେ ସୂର୍ଯ୍ୟୋଦୟ ପୂର୍ବରୁ ପାକତ୍ୟାଗ, ଦେବନୀତି ଆଦି ନିଷେଧ ବୋଲି ଉଲ୍ଲେଖ କରାଯାଇଛି। କିନ୍ତୁ, ଏହାକୁ ସଠିକ୍ ଭାବେ ତର୍ଜମା ନ କରି ଶ୍ରୀମନ୍ଦିର ନୀତିକାନ୍ତି ଚୂଡ଼ାନ୍ତ କରାଯାଇଛି ବୋଲି ଡ. ଦାଶ କହିଛନ୍ତି।