ରାଉରକେଲା: ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇନି; କିନ୍ତୁ ସଭା ସମିତି, ଉତ୍ସବ ଆୟୋଜନ ମାଧ୍ୟମରେ ରାଜନେତା ଜନ ସମର୍ଥନ ଜୁଟାଇବାରେ ମାତିଗଲେଣି। ବିଗତ ଦିନରେ ରକ୍ଷାବନ୍ଧନ, ଗୁରୁଦିବସ ପାଳନବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବାବେଳେ ଏବେ ବୋଇତବନ୍ଦାଣ ଉତ୍ସବରେ ତାର ପୁନରାବୃତ୍ତି ଘଟିଛି। ସାରଦା ଗୋଷ୍ଠି ଓ ବିରୋଧୀ ମିଳିତ ଗୋଷ୍ଠୀ ପୃଥକ୍‌ ଭାବେ ଭିନ୍ନ ଭିନ୍ନ ସ୍ଥାନରେ ଉତ୍ସବ ଆୟୋଜନକରି ଶକ୍ତିପ୍ରଦର୍ଶନ କରିଛନ୍ତି। ସାରଦାଙ୍କ ସମର୍ଥକ ସହରର ୪ଟି ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରିଥିବାବେଳେ ତାଙ୍କ ଜଣାଶୁଣା ବିରୋଧୀ ତଥା ରାଜ୍ୟ ଯୁବକଲ୍ୟାଣ ବୋର୍ଡ କାର୍ଯ୍ୟକାରୀ ଅଧ୍ୟକ୍ଷ କୁନ ବିହାରୀ ଦାଶଙ୍କ ନେତୃତ୍ବାଧୀନ ବିରୋଧୀ ଗୋଷ୍ଠୀର ଉତ୍ସବ ଆୟୋଜନ ଗୋଟିଏ ସ୍ଥାନରେ ସୀମିତ ରହିଥିଲା।

Advertisment

ଦିନକ ପୂର୍ବେ ଇସ୍ପାତ ସହରର ୬ଟି ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଥିଲା। ଏଥିମଧ୍ୟରୁ ୪ଟି ସ୍ଥାନ, ଯଥା ଉଦିତନଗର ଫିଟନେସ୍‌ ପାର୍କ, କଳିଙ୍ଗବିହାର, ସିଭିଲଟାଉନସିପ୍‌ ଓ ସେକ୍ଟର-୧୪ରେ ସାରଦା ଗୋଷ୍ଠୀ ଉତ୍ସବ ପାଳନ କରିଥିଲେ। ତେବେ କେବଳ ଗୋଟିଏ ସ୍ଥାନ, ସେକ୍ଟର-୨ ପଡ଼ିଆରେ କୁନଙ୍କ ଅନୁଗତମାନେ ଉତ୍ସବ ମନାଇଥିଲେ। ସେକ୍ଟର-୨ ଦୁର୍ଗାପୂଜା ପଡ଼ିଆରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀ ଦାଶ ଉପସ୍ଥିତ ଥିବାବେଳେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ପୌରହିତ୍ୟ କରିଥିଲେ। ଏଠାରେ ଢ଼େଙ୍କାନାଳ ବିଧାୟକ ସୁଧୀର ସାମଲ ମଧ୍ୟ ଯୋଗଦେଇଥିଲେ। ତେବେ ଏହି ଉତ୍ସବରେ ଯେଉଁ ଅତିଥିଙ୍କ ଯୋଗଦାନ ଚର୍ଚ୍ଚାର ଶିରୋନାମା ପାଲଟିଛି, ସେ ହେଉଛନ୍ତି ଝାରସୁଗୁଡ଼ା ବିଜେଡି ବିଧାୟକ ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଳ ଦାସ।

ଉଲ୍ଲେଖଯୋଗ୍ୟ, ସାରଦା ଝାରସୁଗୁଡ଼ା ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ବରେ ମଧ୍ୟ ଅଛନ୍ତି। ଏଣୁ ନିଜ ପର୍ଯ୍ୟବେକ୍ଷକଙ୍କ କଟ୍ଟର ବିରୋଧୀ ମେଳିରେ ଦୀପାଳିଙ୍କ ଉପସ୍ଥିତ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି। ଅପରପକ୍ଷରେ ଦୀପାଳିଙ୍କ ଉପସ୍ଥିତି ସାରଦା ବିରୋଧୀଙ୍କ ମନୋବଳ ବୃଦ୍ଧି କରିଛି। ମୋଟାମୋଟି ଭାବେ ବୋଇତବନ୍ଦାଣ ଉତ୍ସବ ଆୟୋଜନ କରି ଶକ୍ତି ପ୍ରଦର୍ଶନ କରିବାରେ ଯେ ସାରଦା ୪:୧ରେ ଆଗୁଆ ଅଛନ୍ତି। ନିକଟ ଅତୀତରେ ଏହି ମିଳିତ ବିରୋଧୀ ଗୋଷ୍ଠୀଙ୍କୁ ସାରଦା ଗୋଷ୍ଠୀ ବଡ଼ ଝଟ୍‌କା ଦେଇଥିଲା। ୮୨୨ ଦୋକାନ ବିଶିଷ୍ଟ ଇସ୍ପାତ ସେଣ୍ଟ୍ରାଲ ମାର୍କେଟ କମିଟି ହେଉଛି ସହରର ଅନ୍ୟତମ ପୁରାତନ ଓ ପ୍ରତିଷ୍ଠିତ ମାର୍କେଟ। ଏହି ମାର୍କେଟ କମିଟିକୁ ଦୀର୍ଘବର୍ଷ ହେଲା କୁନଙ୍କ ଅନୁଗତ ଶଙ୍କର ଜେନା ନିୟନ୍ତ୍ରଣ କରିଆସୁଥିବା ବେଳେ ଏଥର ସାରଦା ଖୋଦ୍‌ ହସ୍ତକ୍ଷେପ କରି ତାଙ୍କୁ ଗାଦିଚ୍ୟୁତ କରିଥିଲେ।