କେନ୍ଦୁଝର: କେନ୍ଦୁଝର ବନଖଣ୍ଡରେ ଗୋଟିଏ ପରେ ଗୋଟିଏ ହାତୀ ପ୍ରାଣ ହରାଉଥିବା ବେଳେ ଆଜି ପୁଣି ଏକ ହାତୀଛୁଆ ଅସୁସ୍ଥ ଥିବା ଖବର ମିଳିଛି। ଛୁଆହାତୀଟିର ବୟସ ୬ ମାସ ହେବ ବୋଲି ଅନୁମାନ କରାଯାଉଛି। ହାତୀପଲରୁ ଅଲଗା ହୋଇଯାଇଥିବା ଛୁଆହାତୀଟି ଆଖପାଖ ଜଙ୍ଗଲରେ ବୁଲିବା ପରେ ଆଜି ମଇଦାନକେଲ ସଂରକ୍ଷିତ ଜଙ୍ଗଲ ଭିତରକୁ ପଳାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ବନ ବିଭାଗ ସୂଚନା ଅନୁସାରେ, ମଇଦାନକେଲ ସଂରକ୍ଷିତ ଜଙ୍ଗଲରେ କିଛିଦିନ ହେବ ଏକ ୧୨ଟିକିଆ ହାତୀପଲ ବୁଲୁଛନ୍ତି। ଏହି ପଲରେ ଏକ ୬ମାସର ଛୁଆହାତୀ ଅଛି। ଗତ ୧୦ ତାରିଖରେ ହାତୀ ସ୍କ୍ବାଡ୍‌ ଏହି ହାତୀପଲର ଗତିବିଦ୍ଧି ଅନୁଧ୍ୟାନ କରୁଥିବା ବେଳେ ହାତୀଛୁଆଟି ଛୋଟେଇ ଛୋଟେଇ ଚାଲୁଥିବା ଦେଖିବାକୁ ପାଇଥିଲେ। ତାର ଆଗ ଡାହାଣ ପଟ ଗୋଡ଼ ଫୁଲି ଯାଇଥିଲା। ଏହି ହାତୀ ପଲ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଇଥ‌ିଲେ। ଆଜି ଆମ୍ବୁଆପାଶି ନିକଟରେ ହାତୀପଲରୁ ଏହି ଅସୁସ୍ଥ ହାତୀଛୁଆଟି ଅଲଗା ହୋଇଯାଇଥିଲା। ଖବର ପାଇ ଡିଏଫ୍‌ଓ ଧନରାଜ ଏଚ୍‌ଡି, ଏସିଏଫ୍ ଅଶୋକ ଦାଶ, ଜିତେନ୍ଦ୍ର ବେହେରା, କେନ୍ଦୁଝର ସଦର ରେଞ୍ଜ ଦାୟିତ୍ୱରେ ଥିବା ଏସିଏଫ୍ ପ୍ରଭାତ କୁଅଁରଙ୍କ ସମେତ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇଥିଲେ।

ସେତେବେଳକୁ ଅସୁସ୍ଥ ହାତୀଛୁଆଟିକୁ ଅନ୍ୟହାତୀଗୁଡ଼ିକ ସାଙ୍ଗରେ ନେଇ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ଆଜି ଦିନ ତମାମ ବନ ବିଭାଗ ଅସୁସ୍ଥ ହାତୀଛୁଆକୁ ହେପାଜତକୁ ନେଇ ଚିକିତ୍ସା କରିବାପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛି। ଆସନ୍ତାକାଲି ହାତୀଛୁଆର ଚିକିତ୍ସା କରିବାକୁ ଉଦ୍ୟମ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି। ଏ ସମ୍ପର୍କରେ ଡିଏଫ୍‌ଓ ଧନରାଜ ଏଚ୍‌ଡି କହିଛନ୍ତି, ହାତୀଛୁଆଟିର ବୟସ ବହୁତ କମ ହୋଇଥିବାରୁ ମାଈହାତୀମାନେ ତାକୁ ଘେରାବନ୍ଦି କରି ରଖୁଛନ୍ତି। ତଥାପି ତାକୁ ଅଲଗା କରି ଚିକିତ୍ସା କରିବାକୁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।